ପୁରୀ: ଅକ୍ଷୟ ତୃତୀୟଠାରୁ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କ ଚାପ ଖେଳ । ଅବଶ୍ୟ ଏଥର କରୋନା ଭାଇରସ ଯୋଗୁ ଚାପ ଖେଳ ମନ୍ଦିର ଭିତରେ ଅନୁଷ୍ଠିତ ହେଉଛି । ଚାପ ଅବସରରେ ମହାପ୍ରଭୁଙ୍କ ନିକଟରେ ଭୋଗ ହୋଇଥାଏ ମାଣ୍ଡୁଅ ଓ ହଂସକେଳି । ଆସନ୍ତୁ ଜାଣିବା ସେହି ଭୋଗ ସମ୍ପର୍କରେ..
ଚନ୍ଦନ ଯାତ୍ରାର ଅବଧି ହେଉଛି ୪୨ ଦିନ । ଏହି ସମୟରେ ଶ୍ରୀମନ୍ଦିରରେ ବିରାଜିତ ଦାରୁ ବିଗ୍ରହମାନଙ୍କୁ ଚନ୍ଦନ ଲାଗି ବେଶ କରାଯାଉଥିବା ବେଳେ, ଦ୍ୱିପ୍ରହର ଧୂପ ପରେ ଠାକୁରଙ୍କ ନୌକା ବିହାର ବା ଚାପଖେଳ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ମଦନ ମୋହନ, ଭୂଦେବୀ, ଶ୍ରୀଦେବୀ ଓ ରାମକୃଷ୍ଣ ଶ୍ରୀକ୍ଷେତ୍ରର ଆରାଧ୍ୟ ପଞ୍ଚ ମହାଦେବଙ୍କ ସହ ଚାପ ଖେଳିଥାନ୍ତି। ଏହି ସମୟରେ ଠାକୁରମାନଙ୍କ ପାଖରେ ୨ଟି ପାରମ୍ପରିକ ପ୍ରସାଦ ଲାଗି ହୋଇଥାଏ।
ଗୋଟିଏର ନାଁ ମାଣ୍ଡୁଅ ଓ ଅନ୍ୟଟି ହେଉଛି ହଂସକେଳି। ଏହି ଦୁଇ ମିଷ୍ଠାନ୍ନ ପ୍ରସାଦ କେମିତି ପ୍ରସ୍ତୁତ ହୁଏ ଆସନ୍ତୁ ଜାଣିବା । ଛେନା, ଅଟା, ଅଳେଇଚ, ଲବଙ୍ଗ, କର୍ପୁର ଓ ଚିନିରେ ପ୍ରସ୍ତୁତ ଗୋଲାକାର ମିଷ୍ଠାନ୍ନ ହେଉଛି ମାଣ୍ଡୁଅ। ଚିନି, ଲବଙ୍ଗ ଓ ଅଳେଇଚ ଭିନ୍ନ ଭିନ୍ନ କରି ଗୁଣ୍ଡ କରି ଚୂରି ଦିଆଯାଏ। ତା ପରେ ଛେନାକୁ ଚିପୁଡି ଏଥିରେ ଅଟା ଗୋଳାଇ ଦିଆଯାଏ । ଏହି ଗୋଳାରେ ମିଶାଇ ଦିଆଯାଏ ଅଳେଇଚ, ଲବଙ୍ଗ ଓ କର୍ପୁର ଗୁଣ୍ଡ । ଏହି ମିଶ୍ରଣକୁ ଗୁଳା ଗୁଳା କରି କଦଳୀ ପତ୍ରରେ ରଖି ଏହାକୁ ଘିଅରେ ଛଣାଯାଏ ଏବଂ ଶେଷରେ ଏଥିରେ ଚିନି ଗୁଣ୍ଡ ଛିଞ୍ଚି ଦିଆଯାଏ । ମହାପ୍ରଭୁ ଚାପରେ ବିଜେକରି ଜଳକ୍ରୀଡା କରିବା ପରେ ଏହି ସୁସ୍ୱାଦୁ ମାଣ୍ଡୁଅ ପ୍ରସାଦ ଭାବେ ଗ୍ରହଣ କରିଥାନ୍ତି । ପାଣିରେ ହଂସଟିଏ ପହଁରିବା ବେଳେ ଯେଉଁ ଜଳ ତରଙ୍ଗ ସୃଷ୍ଟି ହୁଏ ତାହାର ପ୍ରତିକୃତି ହେଉଛି ହଂସକେଳି ବ୍ୟଞ୍ଜନ । ବିରି, ନଡିଆ, ଚାଉଳ ଚୂନା, ଗୁଡ଼, କର୍ପୁର ଓ ଅଳେଇଚରେ ଏହି ଦିବ୍ୟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ନଡ଼ିଆ କୋରାକୁ ଗୁଡ଼ ପାଗରେ ପକାଇ କର୍ପୁର ଓ ଅଳେଇଚ ଗୋଲାଇ ପୁର ପ୍ରସ୍ତୁତ କରାଯାଏ । ଏହାପରେ ଚାଉଳ ଚୂନା ଓ ବିରି ମିଶାଇ ମଣ୍ଡାପିଠା ଭଳି ଆକୃତି ଦିଆଯାଏ । ଏହା ମଧ୍ୟରେ ଉପରୋକ୍ତ ପୁର ପକାଇ ଘିଅରେ ଛଣାଯାଏ। ମାଣ୍ଡୁଅ ସହ ଏହାକୁ ମହାପ୍ରଭୁଙ୍କ ସମ୍ମୁଖରେ ପରସି ଦିଆଯାଏ । ଏହି ପ୍ରସାଦ ପାଇବା ପରେ ଠାକୁରମାନେ ପୁନଃ ରାତିଚାପକୁ ବିଜେ କରିଥାନ୍ତି।
Comments are closed.