ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେଲା ମହାସ୍ନାନ। ବନ୍ଦ ହେଲା ସାଧାରଣ ଦର୍ଶନ। ପାଳିଆ ସେବକଙ୍କୁ ସେବାୟତ ଛୁଇଁବାରୁ ମହାପ୍ରଭୁଙ୍କର ହେଲା ମହାସ୍ନାନ। ମଇଲମ ଚାଲିଥିବା ବେଳେ ଛୁଇଁ ଦେଇଥିଲେ ସେବାୟତ। ମହାସ୍ନାନ ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି।
ସକାଳ ୬ .୫୦ ସମୟରେ ମଙ୍ଗଳ ଆଳତୀ ପରେ ମଇଲମ ଚାଲିଥିବା ଅବସ୍ଥାରେ ପାଳିଆ ସେବକଙ୍କୁ ସେବାୟତ ଛୁଇଁଦେବା କାରଣରୁ ଏହି ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି। ମଇଲମ ନୀତି ଚାଲୁଥିବା ବେଳେ ସେବାୟତ ଆସି ଛୁଇଁ ଦେଇଥିଲେ। ତେବେ ମହାପ୍ରଭୁଙ୍କର ମହାସ୍ନାନ ନୀତି ପାଇଁ ୧ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛି। ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କର ଦର୍ଶନ କରିପାରିବେ ଭକ୍ତ।
ସୂଚନା ଅନୁସାରେ ଗତ ୨ ଦିନ ତଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଥିଲା। ପାଣିଆ ଆପଟ ସେବକ ପାଣି ନେବା ସମୟେ ପଡ଼ିଯିବାରୁ ବଡ଼ ମହାସ୍ନାନ ହୋଇଥିଲା। ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହେତୁ ପ୍ରାୟ ଦୁଇ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ୭ଟା ୫୦ରେ ଅବକାଶ ନୀତି ପରଠାରୁ ଅନ୍ୟାନ୍ୟ ନୀତି ଓ ଦର୍ଶନ ବନ୍ଦ ରହିଥିଲା। ତେବେ ପରେ ପୁଣି ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ ଆରମ୍ଭ କରିଥିଲେ।
ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଜୟ ବିଜୟ ଦ୍ବାର ସମ୍ମୁଖରୁ ଭିତର କାଠ, ଭକ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ବେହରଣ ଦ୍ୱାର ଯାଏ ଯଦି କେହି ଭକ୍ତ, ସେବାୟତ ଅବା ଯେକିହି ବ୍ୟକ୍ତିଙ୍କର କିଛି ଦୁର୍ଘଟଣା ବସତ ଶରୀରରୁ ରକ୍ତ ପଡିଲେ, ବାନ୍ତି କରିଦେଲେ ଏବଂ ଛୋଟ ଛୁଆ, ବୁଦ୍ଧ ଲୋକ ପରିସ୍ରା, ମଳତ୍ୟାଗ କରିଦେଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରାଯାଇଥାଏ। ମହାପ୍ରଭୁଙ୍କର ବଡ଼ ମହାସ୍ନାନ କରାଯାଇଥାଏ।