ବଲାଙ୍ଗୀର: ‘ମହାପ୍ରୟାଣ’ ଯୋଜନାରେ ଶବ ନେବାକୁ ମିଳିଲାନି ଗାଡି। ଶେଷରେ ବାଧ୍ୟ ହୋଇ ମୃତକଙ୍କ ପରିବାର ମୋଟର ସାଇକେଲରେ ଶବକୁ ନେଇଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଭୀମା ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ।
ପ୍ରାଥମିକ ସୂଚନା ଅନୁଯାୟୀ, କୁଟେନପାଲିର ଅଶୋକ ତାଣ୍ଡି ନାମକ ଜଣେ ବ୍ୟକ୍ତି ଗତ ସେପ୍ଟେମ୍ବର 19 ତାରିଖରେ ଜ୍ୱରରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ତାଙ୍କ ପରିବାର ଲୋକେ ଅଶୋକଙ୍କ ମରଶରୀରକୁ ଗାଁକୁ ନେବା ପାଇଁ ମହାପ୍ରୟାଣ ଯୋଜନାରେ ଗାଡି ପାଇଁ ଡାକ୍ତରଖାନାର ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ।
ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ୱେ ମହାପ୍ରୟାଣ ଗାଡି ଡାକ୍ତରଖାନାରେ ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି। ଅନ୍ୟ କୌଣସି ବିକଳ୍ପ ନଥିବାରୁ ପରିବାର ଲୋକେ ଶବକୁ ମୋଟର ସାଇକେଲରେ ବୋହି ନେବାକୁ ନିଷ୍ପତ୍ତି ନେଇଥିଲେ। ମୃତକଙ୍କ ଭାଇ କହିଛନ୍ତି, ଅଧିକାରୀମାନେ ଆମକୁ କହିଥିଲେ ଯେ ଗାଡ଼ି ଶୀଘ୍ର ପହଞ୍ଚିବ। କିନ୍ତୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ବି ତାହା ଆସିଲା ନାହିଁ।
ସେପଟେ ଏହି ଅଭିଯୋଗକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
Comments are closed.