ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ। ଓଁ ନମୋ ଭାଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ପୂଜାର ଏକ ଅଭିନ୍ନ ଅଙ୍ଗ ହେଲା ତାଙ୍କ ପାର୍ଶ୍ଵ ଦେବତାମାନଙ୍କ ସେବା ପୂଜା। ତେଣୁ ତାଙ୍କର ଅବକାଶ ନୀତି ପରେ ବାହାନ ଗରୁଡ଼ଙ୍କ ପୂଜା କଥା ଆମେ ଜାଣିଲେ, ବର୍ତ୍ତମାନ ଜାଣିବା ସୂର୍ଯ୍ୟ ପୂଜା ବିଷୟରେ, କାରଣ ପ୍ରତ୍ୟୁଷରୁ ସୂର୍ଯ୍ୟ ପୂଜା ନକଲେ, ପ୍ରଭୁଙ୍କ ରୋଷ ହୋମ ସମ୍ପନ୍ନ ହୋଇ ରୋଷ କାର୍ଯ୍ୟ ଆରମ୍ଭ ହେବନି। ଏହି ଭାବରେ ପ୍ରକୃତ ପୂଜା ପଦ୍ଧତିର ପ୍ରଥମ ତଥା ମୂଖ୍ୟ ଅଙ୍ଗ ହେଉଛି ସୂର୍ଯ୍ୟ ପୂଜା। ଏହା ମୂଖ୍ୟ ମନ୍ଦିର ବାହାରେ ପୂର୍ବଦିଗରେ ଅବା ଅଗ୍ନି କୋଣରେ ହୋଇଥାଏ। ସମୟ ସମୟରେ ଏହି ଦୁଇ ସ୍ଥାନର ଠିକ ମଝିରେ ସୂର୍ଯ୍ୟପୂଜା ଆୟୋଜନ ହୋଇଥାଏ। ନିର୍ଦ୍ଧାରିତ ସ୍ଥାନରେ ସୂର୍ଯ୍ୟଙ୍କ ବିଗ୍ରହ ସ୍ଥାପନ କରି ଏହି ପୂଜା କରିବେ। ବିଗ୍ରହର ପରିବର୍ତ୍ତେ ସୂର୍ଯ୍ୟ ଯନ୍ତ୍ର ମଧ୍ୟ ସ୍ଥାପନ କରାଯାଇ ପାରେ। ଉଭୟ ବିଗ୍ରହ ଓ ସୂର୍ଯ୍ୟ ଯନ୍ତ୍ର ଅଭାବରେ ନାଲି ମୁରୁଜରେ ସୂର୍ଯ୍ୟ ରୂପେ ଅଷ୍ଟଦଳ ପଦ୍ମ ଅଙ୍କନ କରି ତାହାଙ୍କୁ ପୂଜା ମଧ୍ୟ କରାଯାଇଥାଏ।
ପ୍ରଥମେ ପୂଜକ ଆସନରେ ବସି ସାମାନ୍ୟ ଅର୍ଘ୍ୟ ସଂସ୍କାର କରିବେ। ତତ୍ପରେ ବହି ମାତୃକା ଶୁଦ୍ଧି କାର୍ଯ୍ୟ କରିବେ କିମ୍ବା ସ୍ଥଳ ବିଶେଷରେ ସାଧାରଣ ଆସନ ଶୁଦ୍ଧି, ପ୍ରାଣାୟାମ ଆଦି କରି ମନ୍ତ୍ର ନ୍ୟାସ କରିବେ। ସୂର୍ଯ୍ୟ ପୂଜାର ମୂଖ୍ୟ ଉପାଦାନ ହେଲା ଅର୍ଘ୍ୟ ପ୍ରଦାନ। ଆଗାମୀ ଅଧ୍ୟାୟରେ ସମ୍ପୂର୍ଣ ପୂଜା ବିଧି ମନ୍ତ୍ର ସହ ଆଲୋଚନା କରିବା। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।
ମନ ବଚନ ଧନେ କରି
ଯେ ହୋଏ ପର ଉପକାରୀ।
ଦିନ ହରଇ ଦୁଃଖ ସୁଖେ
ସେ ଧନ୍ୟ ଇହ -ପରଲୋକେ।
ଜୟ ଜଗନ୍ନାଥ (ଦ . ତ୍ରି. ଉବାଚ )