Latest Odisha News

BREAKING NEWS

ମହାରାଷ୍ଟ୍ରକୁ କରୋନା ଭୟ, ହୋଇପାରେ ୧୫ ଦିନିଆ ଲକଡାଉନ୍, ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ 

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ପ୍ରକୋପ ଜାରି ରହିଛି । ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି । କରୋନା ଦାଉରୁ ଲୋକଙ୍କୁ ରକ୍ଷା କରିବାକୁ ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣାପଡିଛି । ରାଜ୍ୟରେ କଟକଣା ଲଗାଇବାକୁ ଏସ୍‌ଓପି ପ୍ରସ୍ତୁତ କରୁଛନ୍ତି ମହାରାଷ୍ଟ୍ର ସରକାର । ଯେକୌଣସି ମୁହୂର୍ତ୍ତରେ ଲକ୍‌ଡାଉନ୍‌ ଭଳି କଟକଣା ଜାରି ହୋଇପାରେ ବୋଲି ଜଣାପଡିଛି । ଆଜି ହେବାକୁ ଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏ ନେଇ ଘୋଷଣା କରାଯିବ । ଆଜି ରାତି ୮.୩୦ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ଗତ ସପ୍ତାହରୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବ୍ୟାପକ ବୃଦ୍ଧି ପାଉଛି । ତେଣୁ ଲକ୍‌ଡାଉନ୍‌ ପରି କଟକଣା ଲାଗୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ପୂର୍ବ ବର୍ଷ ଭଳି ଲକଡାଉନ ହେବ ନାହିଁ କି ସବୁ କିଛି ବନ୍ଦ ହେବ ନାହିଁ ବୋଲି ଅନୁମାନ କରାଯାଉଛି । ମହାରାଷ୍ଟ୍ର ସରକାରଙ୍କ କୋଭିଡ୍ ଟାସ୍କଫୋର୍ସ ପକ୍ଷରୁ କଡା କଟକଣା ଜାରି ଲାଗି ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି ।

ଚଳିତ ଥର ଲକଡାଉନରେ ଯାତାୟତ ସେବାକୁ ଅନୁମତି ମିଳିବ, ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ, ଅତ୍ୟାବଶ୍ୟକ ସେବା ସହିତ ଜଡ଼ିତ ଥିବା ସଂସ୍ଥାଗୁଡିକୁ ଖୋଲା ରଖିବାକୁ ଅନୁମତି ଦିଆଯିବ । ଶିକ୍ଷାନୁଷ୍ଠାନ, ପ୍ରେକ୍ଷାଳୟ, ପଡ଼ିଆ, ପାର୍କ, ଜିମ୍ ଆଦି ବନ୍ଦ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ରେଷ୍ଟୁରାଣ୍ଟ ଗୁଡିକୁ କେବଳ ହୋମ ଡେଲିଭରି ପାଇଁ ଅନୁମତି ଦିଆଯିବାକୁ ଥିବା ବେଳେ ଜନସାଧାରଣ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯିବ । 

ମହାରାଷ୍ଟ୍ରରେ ଆଜି ଦିନକରେ ୫୧,୭୫୧ କରୋନାର ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୨୫୮ ଜଣଙ୍କ ମୃତ୍ୟୁ ହୋଇଛି । 

Leave A Reply

Your email address will not be published.