ମୁମ୍ବାଇ: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଶୁକ୍ରବାର ମହାରାଷ୍ଟ୍ର ନବ ନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେଙ୍କୁ ଭେଟିଛନ୍ତି। ରାଜ ଠାକରେଙ୍କ ବାସଭବନରେ ଉଭୟ ନେତାଙ୍କ ସାକ୍ଷାତ ହୋଇଥିଲା। ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଦୁଇ ନେତାଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ସେ ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ। କିନ୍ତୁ ସିନ୍ଦେ କ୍ୟାବିନେଟର ସମ୍ପ୍ରସାରଣ ପୂର୍ବରୁ ହୋଇଥିବା ଏହି ବୈଠକକୁ ନେଇ ମହାରାଷ୍ଟ୍ର ରାଜନୀତିକ କରିଡରରେ ଜୋରଦାର କଳ୍ପନା-ଜଳ୍ପନା ପ୍ରକାଶ ପାଇଛି।
କୁହାଯାଉଛି ଯେ ଏମଏନଏସକୁ ମଧ୍ୟ ସିନ୍ଦେ ସରକାରରେ ଅନ୍ତର୍ଭୁକ୍ତ କରାଯିବ। ଏଥିସହ ରାଜ ଠାକରେଙ୍କ ପୁଅ ଅମିତ ଠାକରେ ସିନ୍ଦେ ସରକାରରେ ମନ୍ତ୍ରୀ ହେବେ ବୋଲି କଳ୍ପନା-ଜଳ୍ପନା କରାଯାଉଛି। ଆଉ ରାଜ ଠାକୁରଙ୍କ ପୁଅ ଅମିତ ଠାକରେଙ୍କୁ ତାଙ୍କ କ୍ୟାବିନେଟରେ ସ୍ଥାନ ଦେଇ ଏକନାଥ ସିନ୍ଦେ ନେତୃତ୍ୱାଧୀନ ଶିବସେନା ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା ଦେବାକୁ ପ୍ରସ୍ତୁତ ହେଉଛି। ଏପରି କରି ରାଜ ଠାକରେଙ୍କ ପୁଅ ଅମିତ ଠାକରେଙ୍କୁ ଆଦିତ୍ୟ ଠାକରେଙ୍କ ପ୍ରତିଦ୍ୱନ୍ଦୀ ନେତା ଭାବେ ଦର୍ଶାଇବାକୁ ଯୋଜନା କରୁଛି।
ଅନ୍ୟପକ୍ଷରେ ଦେବେନ୍ଦ୍ର ଫଡନାଭିସ୍ ଏବଂ ରାଜ ଠାକରେଙ୍କ ଏହି ବୈଠକରେ ଏନସିପି ନେତ୍ରୀ ସୁପ୍ରିୟା ସୁଲେ କହିଛନ୍ତି ଯେ ୧୦୫ ଜଣ ବିଧାୟକଙ୍କ ଥିବା ଦଳର ନେତା ଦେବେନ୍ଦ୍ର ଫଡନାଭିସ୍ ଜଣେ ବିଧାୟକ ଥିବା ଦଳର ମୁଖ୍ୟଙ୍କ ଘରକୁ ଯାଇ ପହଞ୍ଚୁଛନ୍ତି। ରାଜ୍ୟ ରାଜନୀତିରେ କ’ଣ ଚାଲିଛି, କିଛି ବୁଝା ପଡୁନି।
ମହାରାଷ୍ଟ୍ରର ସିନ୍ଦେ ସରକାରଙ୍କ କ୍ୟାବିନେଟ୍ ସଂପ୍ରସାରଣ ହେବାର ଅଛି। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପରେ କ୍ୟାବିନେଟ ସଂପ୍ରସାରଣ ହେବ ବୋଲି କୁହାଯାଉଛି। ଏବେ କ୍ୟାବିନେଟରେ କେବଳ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସାମିଲ ହୋଇଛନ୍ତି।
Comments are closed.