Latest Odisha News

ମହାରାଷ୍ଟ୍ର ଶାସକ ମେଂଟରେ ଆସନ ଭାଗବଂଟା କେଁ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ସବୁ ଦଳ ଆରମ୍ଭ କରିଦେଲେଣି ପ୍ରସ୍ତୁତି। ଶାସକ ମହାୟୁତି ଓ ବିରୋଧୀ ମହା ବିକାଶ ଅଘାଡି ଆସନ ବୁଝାମଣାରେ ବ୍ୟସ୍ତ। ଦୁଇ ମେଂଟର ଅଂଶୀଦାର ଦଳ ମଧ୍ୟରେ ଆସନ ଭାଗବଂଟାକୁ ଟଣାଓଟରା ଓ ମତଭେଦ କଥା ସାମନାକୁ ଆସୁଛି। ବିଜେପି, ଏକନାଥ ସିନ୍ଦେ ଶିବସେନା ଓ ଅଜିତ ପାୱାରଙ୍କ ଏନସିପିକୁ ନେଇ ଗଠିତ ମହାୟୁତି ମେଂଟରେ ଆସନ ଭାଗବଂଟାକୁ ନେଇ ମତଭେଦ ରହିଥିବା ଜଣାପଡିଛି।

କିଏ ଚାହୁଁଛି କେତେ ଆସନ ?

ମହାରାଷ୍ଟ୍ର ବିଧାନସଭାରେ ମୋଟ ଆସନ ସଂଖ୍ୟା ହେଉଛି ୨୮୮ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ୧୦୦ରୁ ୧୦୫ ଆସନରେ ଲଢିବାକୁ ଚାହୁଁଛି । ବିଜେପି ୧୬୦ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବାକୁ ଇଚ୍ଛୁକ । ଅଜିତ ପାୱାରଙ୍କ ଏନସିପି ୬୦ରୁ ୮୦ ଆସନ ଦାବି କରିଛି । ଏ ଯାଏଁ ଚୂଡାନ୍ତ ନିଷ୍ପତ୍ତି ହୋଇପାରିନାହିଁ। ଆସନ ବୁଝାମଣା ବାବଦରେ ଆଲୋଚନା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମୁମ୍ବାଇ ଗସ୍ତ କରିଥିଲେ। କିନ୍ତୁ କିଛି ଫଇସଲା ହୋଇପାରିନାହିଁ।

୧୦୦ରୁ ଅଧିକ ଆସନ ସପକ୍ଷରେ ସିନ୍ଦେ ଶିବସେନାର ଯୁକ୍ତି

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ୧୦୦ରୁ ଅଧିକ ଆସନରେ ପ୍ରାର୍ଥୀ ଦେବା ପାଇଁ ଚାହୁଁଛି । ଏଥିପାଇଁ ଅମିତ ଶାହଙ୍କ ପାଖରେ ଯୁକ୍ତି ଉପସ୍ଥାପନ କରିଛି ଶିବସେନା । ଲୋକସଭା ନିର୍ବାଚନରେ ଶିବସେନାର ପ୍ରଦର୍ଶନ ଭଲ ଥିଲା । ଶିବସେନା ପ୍ରାର୍ଥୀଙ୍କ ଷ୍ଟ୍ରାଇକ ରେଟ୍ ଭଲ ଥିଲା ବୋଲି ଦଳ ଦର୍ଶାଇଛି ଦଳ । ଶିବସେନାର ଯୁକ୍ତି ହେଲା ଯେ, ଲୋକସଭା ନିର୍ବାଚନରେ ଉଦ୍ଧବ ଥାକ୍ରେଙ୍କ ଶିବସେନା ନିଜ ଦମରେ ଭୋଟ୍ ପାଇବାରେ ବିଫଳ ହୋଇଥିଲା । ଇଣ୍ଡି ବ୍ଲକ୍ ପାଇଁ ଭୋଟ୍ ପାଇଥିଲା ଉଦ୍ଧବ ଥାକରେଙ୍କ ଶିବସେନା । ୧୦୦ରୁ ଅଧିକ ଆସନ ମିଳିଲେ ହିଁ ଉଦ୍ଧବ ଥାକରେ ଶିବସେନାର ମୁକାବିଲା କରାଯାଇ ମହାବିକାଶ ଅଘାଡିକୁ ହରାଇ ହେବ ବୋଲି ଶିବସେନା କର୍ମକର୍ତ୍ତା କହଛନ୍ତି । ମହାୟୁତିର ଅଂଶୀଦାର ଦଳଙ୍କ ମଧ୍ୟରେ ଏହି ମାସ ସୁଦ୍ଧା ସିଟ୍ ସେୟାରିଂ ଫର୍ମୁଲା ଚୂଡାନ୍ତ ହୋଇପାରେ । ଶିବସେନାକୁ ୮୦ରୁ ୯୦ ଓ ଏନସିପିକୁ ୫୦ରୁ ୬୦ ଆସନ ମିଳିବା ନେଇ ଚର୍ଚ୍ଚା ହେଉଛି ।

ଆଂଚଳିକ ଏନସିପି ନେତା ବିଗାଡି ପାରନ୍ତି ମହାୟୁତି ଗଣିତ

ମହାୟୁତି ସରକାରର ଅଂଶୀଦାର ଥିବା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏନସିପି ଦାବି କରିଛି ୬୦ରୁ ୮୦ ଆସନ । ଦାବି ମୁତାବକ ଆସନ ନମିଳିଲେ ଏନସିପି ମହାୟୁତିରୁ ଓହରିପାରେ ବୋଲି ଚର୍ଚ୍ଚା ହେଉଛି । ଦଳର ଅଧିକାଂଶ ବିଧାୟକଙ୍କ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଭଲ ପ୍ରଭାବ ରହିଛି । ଯଦି ଏହି ଟାଣୁଆ ବିଧାୟକମାନଙ୍କୁ ଅସନ୍ତୁଷ୍ଟ କରାଯାଏ, ତାହା ହେଲେ ସେମାନେ ମହାବିକାଶ ଅଘାଡିରେ ଯୋଗ ଦେଇ ବିଜେପି ମେଂଟର ଗଣିତ ବିଗାଡିପାରନ୍ତି ବୋଲି କିଛି ରାଜନୀତି ପର୍ଯ୍ୟବେକ୍ଷକ କହିଛନ୍ତି ।

ବିଜେପିର ଆକଳନ

ବିଜେପି ଏଥର ୧୫୦ରୁ ଅଧିକ ଆସନରେ ପ୍ରାର୍ଥୀ ଦେବା ପାଇଁ ଇଚ୍ଛୁକ । ଗତ ଲୋକସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ଖାସ୍ ନଥିଲା । ବିଧାନସଭା ନିର୍ବାଚନରେ ୧୫୦ରୁ ଅଧିକ ଆସନରେ ଲଢିଲେ ହିଁ ଦଳ ୧୦୦ ଆସନ ଜିତିପାରିବ ବୋଲି ବିଜେପି କର୍ମକର୍ତ୍ତାଙ୍କ ଯୁକ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ସପକ୍ଷରେ ହାୱା ଥିଲା । ୧୬୦ ଆସନରେ ଲଢି ୧୦୫ରେ ଜିତିଥିଲା ବିଜେପି । ଏବେ ସେଭଳି ସ୍ଥିତି ନାହିଁ । ସବୁ ଅଂଶୀଦାର ଦଳ ଆଖିଦୃଶିଆ ଆସନ ଜିତିବା ଆବଶ୍ୟକ । ଏହା ନହେଲେ ମହାୟୁତି ସରକାର ଗଠନ ହୋଇପାରିବ ନାହିଁ ବୋଲି ବିଜେପିର ମତ । ବିଭିନ୍ନ ମତ ମଧ୍ୟରେ କାହାକୁ କେତେ ଆସନ ମିଳୁଛି, ତାହା ଆଉ କେଇଦିନ ମଧ୍ୟରେ ସ୍ପଷ୍ଟ ହେବା ସମ୍ଭାବନା ରହିଛି।

 

Comments are closed.