Latest Odisha News

ଜାଣନ୍ତୁ ୫ ବର୍ଷରେ କେତେ ବଦଳିଛି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ

ନୂଆଦିଲ୍ଲୀ : ଘୋଷଣା ହୋଇଛି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ। ଦୁଇ ରାଜ୍ୟରେ ବିଜେପି ନତୃତ୍ଵାଧୀନ ଏନଡିଏ ଓ ଇଣ୍ଡିଆ ବ୍ଲକ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ଏନଡିଏ ଶାସନ କରୁଥିବା ବେଳେ ଝାଡଖଣ୍ଡରେ ସରକାର ଚଲାଉଛି ଜେଏମଏମ ମେଣ୍ଟ ସରକାର। ଦୁଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଶେଷ ହୋଇନାହିଁ ସିଟ୍ ସେୟାରିଂ। ବିଜେପି ହରିୟାଣାରେ ବିଜୟ ଲାଭ ପରେ ଅଧିକ ଉତ୍ସାହିତ ହୋଇଛି ବିଜେପି । ଅନ୍ୟପକ୍ଷରେ ଆଗାମୀ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ଇଣ୍ଡିଆ ବ୍ଲକ।

ଝାଡ଼ଖଣ୍ଡ ନିର୍ବାଚନରେ ସହଯୋଗୀ ଦଳ ସହ ନିର୍ବାଚନ ଲଢିବ ବିଜେପି
ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି ବିଜେପି। ହରିୟାଣା ବିଜୟ ପରେ ବେଶ ଉତ୍ସାହିତ ଅଛି ଦଳ। ଏଥର ଝାଡଖଣ୍ଡରେ ବିଜେପି ବର୍ତ୍ତମାନ ସରକାରରେ ଥିବା ଜେଏମଏମ- କଂଗ୍ରେସ ଆଲାଏନ୍ସ ସହିତ କଡା ମୁକାବିଲା କରିବ। ତେଣୁ ବିଜେପି ଏଥର ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ୟୁନିଅନ, ଲୋକ ଜନଶକ୍ତି ପାର୍ଟି ଓ ଜନତା ଦଳ ୟୁନାଇଟେଡ ସହଯୋଗରେ ଝଡଖଣ୍ଡରେ ନିର୍ବାଚନ ଲଢିବ।
୨୦୧୯ ମସିହାରେ ବିଜେପି ଏକା ନିର୍ବାଚନ ଲଢିଥିବା ବେଳେ ଜେଏମଏମ କଂଗ୍ରେସ ଓ ଆରଜେଡି ସହିତ ମେଣ୍ଟ କରିଥିଲା। ରାଜ୍ୟର ମୋଟ ୮୧ ସିଟ ମଧ୍ୟରୁ ଜେଏମଏମ ଆଲାଏନ୍ସ ୪୭ ସିଟ ଜିତିଥିବା ବେଳେ ବିଜେପି ୨୫ ସିଟରେ ବିଜୟଲାଭ କରିଥିଲା।

କ’ଣ ରହିଛି ଝାଡଖଣ୍ଡର ବଡ ମୁଦ୍ଦା ?
ଝାଡଖଣ୍ଡରେ ଦରବୃଦ୍ଧି, ବେରୋଜଗାରି ଓ ଆର୍ଥିକ ଅସମାନତା ମୁଖ୍ୟ ପ୍ରସଙ୍ଗ। ବିରୋଧୀ ଦଳ ଏହି ପ୍ରସଙ୍ଗ ଉଠେଇବାର ଅଧିକ ଆଶଙ୍କା ରହିଛି। ରାଜ୍ୟରେ ହେମନ୍ତ ସୋରେନ ସରକାର ଥିବା ବେଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ କଂଗ୍ରେସର ସମର୍ଥନ ରହିଛି। ବିରୋଧୀ ହେମନ୍ତ ସୋରେନଙ୍କ ବିରୋଧରେ ବିଭିନ୍ନ ଆରୋପ ଲଗାଉଥିବାର ଦେଖିବାକୁ ମିଳିଛି। ହେମନ୍ତ ସୋରେନ ଜେଲରେ ଥିବା ସମୟରେ ରାଜ୍ୟରେ ଚମ୍ପାଇ ସୋରେନ ସରକାର ଚାଲିଥିଲା। ହେମନ୍ତ ସୋରେନ ଜାମିନ ପାଇବା ପରେ ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ଗାଦି ଛାଡିବାକୁ ପଡିବାରୁ, ସେ ବିଜେପିରେ ମିଶିଥିଲେ । ଚମ୍ପାଇଙ୍କ ସହାୟତାରେ ଆଦିବାସୀ ଭୋଟକୁ ହାତେଇବାକୁ ବିଜେପି ଚେଷ୍ଟା ଚଳାଇଛି।

ଝାଡଖଣ୍ଡରେ ହେମନ୍ତ ସୋରେନଙ୍କ ପାଇଁ କଣ ରହିଛି ଚାଲେଞ୍ଜ ?

କଂଗ୍ରେସ ଜେଏମଏମ ସହିତ ମେଣ୍ଟରେ ଥିଲେ ମଧ୍ୟ ଦଳର ସ୍ଥିତି ମଜବୁତ ନାହିଁ । ରାଜ୍ୟରେ ଆଦିବାସୀ ନେତୃତ୍ଵକୁ ଆଗକୁ ନେବାକୁ ବିଜେପି ପ୍ରସ୍ତୁତ କରିଛି ରଣନୀତି। ଦଳ ପ୍ରଥମେ ଦ୍ରୌପଦୀ ମୁର୍ମୂଙ୍କୁ ରାଷ୍ଟ୍ରପତି ଓ ପରେ ମୋହନ ମାଝିଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରିଛି। ସେହିପରି ଅଳ୍ପ କିଛିଦିନ ହେବ ଚମ୍ପାଇ ସୋରେନ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିର ଏହି ଆଦିବାସୀକୈନ୍ଦ୍ରିକ କାର୍ଯ୍ୟ ଆଗାମୀ ନିର୍ବାଚନ ପାଇଁ ବଡ ଫ୍ୟାକ୍ଟର ହେବା ଆଶଙ୍କା କରାଯାଉଛି।

କ’ଣ ରହିଛି ମହାରାଷ୍ଟ୍ରର ମୁଖ୍ୟ ମୁଦ୍ଦା
ମହାରାଷ୍ଟ୍ରରେ ସଂରକ୍ଷଣ ପ୍ରସଙ୍ଗ ବିରୋଧୀଙ୍କ ପ୍ରଚାରର ମୁଖ୍ୟ ମୁଦ୍ଦା ପାଲଟିଛି। ଗତ ୬ ମାସ ହେବ ମରାଠା ମାନେ ଓବିସି କୋଟାରେ ଅନ୍ତର୍ଭୁକ୍ତ ହେବାପାଇଁ ଦାବି କରି ଆସୁଛନ୍ତି। ଏହାକୁ ଅନ୍ୟ ପଛୁଆ ବର୍ଗ ବିରୋଧ କରୁଥିବାରୁ ସଂରକ୍ଷଣ ପ୍ରସଙ୍ଗ ରାଜ୍ୟରେ ଥମିବାର ନାଁ ଧରୁନି। ଏହାରି ମଧ୍ୟରେ ଧନଗର ସମାଜ ଆଦିବାସୀ ଅନ୍ତର୍ଭୁକ୍ତ ପାଇଁ ଦାବି କରୁଥିବା ବେଳେ ଆଦିବାସୀ ସମ୍ପ୍ରଦାୟ ଏହାକୁ ବିରୋଧ କରିବାରେ ଲାଗିଛି। ମନୋଜ ଜରାଙ୍ଗେଙ୍କ ନେତୃତ୍ବରେ ଚାଲିଥିବା ମରାଠା ସଂରକ୍ଷଣ ଆନ୍ଦୋଳନ ନିର୍ବାଚନରେ ପ୍ରଭାବ ପକାଇ ପାରେ। ସେହିପରି ମହାରାଷ୍ଟ୍ର ଗ୍ରାମାଞ୍ଚଳରେ କୃଷକ ଆନ୍ଦୋଳନ ମଧ୍ୟ ନିର୍ବାଚନରେ ପ୍ରଭାବ ପକାଇବା ନେଇ ଚର୍ଚ୍ଚା ହେଉଛି।

୫ ବର୍ଷରେ କେତେ ବଦଳିଛି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ?

ମହାୟୁତି ଶାସନାଧୀନ ମହାରାଷ୍ଟ୍ର ସରକାରରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଅଛନ୍ତି। ଏନସିପି ମୁଖ୍ୟ ଅଜିତ ପାୱାର ଓ ବିଜେପି ନେତା ଦେବେନ୍ଦ୍ର ଫଡନାବିସ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ୨୦୧୯ ନିର୍ବାଚନ ପରେ ମହାରାଷ୍ଟ୍ର ରାଜନୀତିରେ ବାରମ୍ବାର ବିଭ୍ରାଟ ଦେଖିବାକୁ ମିଳିଛି। ୨୦୧୯ରେ ବିଜେପି ଶିବସେନା ସହ ମିଶି ନିର୍ବାଚନ ଲଢିଥିଲା। ନିର୍ବାଚନ ଫଳ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦାକୁ ନେଇ ବିବାଦ ଦେଖାଯାଇଥିଲା। ଏହା ପରେ ଉଦ୍ଧବ ଠାକରେ ଦଳରୁ ଅଲଗା ହୋଇଯାଇଥିଲେ। ଦେବେନ୍ଦ୍ର ଫଡନାବିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ସହ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏହି ସରକାର ୮୦ ଘଣ୍ଟା ଚାଲିବା ପରେ ଅଜିତ ପାୱାର ମହା ବିକାଶ ଅଘାଡି (ଏମଭିଏ)ରେ ସାମିଲ ହୋଇଥିଲେ। ଏମଭିଏ ଉଦ୍ଧବ ଠାକରେଙ୍କ ନେତୃତ୍ବରେ ସରକାର ଗଠନ କରିବା ସହ ଅଜିତ ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଜୁନ ୨୦୨୨ ରେ ଶିବସେନାର ଏକନାଥ ସିନ୍ଦେଙ୍କ ସମେତ ସବୁ ଏମଏଲଏ ବିଜେପିରେ ମିଶିଥିଲେ। ତେଣୁ ବିଜେପି ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ସହ ନୂଆ ସରକାର ଗଢିଥିଲା। ବର୍ଷେ ପରେ ଅର୍ଥାତ ୨୦୨୩ ମସିହାରେ ଅଜିତ ପାୱାର ବିଜେପିରେ ମିଶିଥିଲେ। ବର୍ତ୍ତମାନ ମହାରାଷ୍ଟ୍ରରେ ଦୁଇଟି ଶିବସେନା ସହ ଦୁଇଟି ଏନସିପି ଦଳ ରହିଛି। ସେଥିମଧ୍ୟରୁ ଗୋଟିଏ ଶିବସେନା ଓ ଗୋଟିଏ ଏନସିପି ବିଜେପି ଆଲାଏନ୍ସରେ ରହିଛି। ସେହିପରି ଅନ୍ୟ ଶିବସେନ ଓ ଏନସିପି କଂଗ୍ରେସ ସହିତ ମେଣ୍ଟରେ ରହିଛି। ମହାରାଷ୍ଟ୍ର ନିର୍ବାଚନ ତାରିଖ ଘୋଷଣା ପରେ ଉଦ୍ଧବ ଶିବସେନାର କିଛି ନେତା ବିଜେପି ସହିତ ସମ୍ପର୍କରେ ଥିବା ଜାଣିବାକୁ ମିଳିଛି। ସେମାନେ ଶିବସେନା ଛାଡି ବିଜେପିରେ ମିଶିବାର ଯଥେଷ୍ଟ ସମ୍ଭାବନା ରହିଛି। ରାଜ୍ୟରେ ବିଜେପି ପାଲା ଭାରି ହେବା ଦେଖିବାକୁ ମିଳିଛି।

ସେହିପରି ୨୦୧୯ ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ ) ଓ କଂଗ୍ରେସ ମେଣ୍ଟ କରି ବିଜେପିକୁ ହରାଇ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପୁଣିଥରେ ସରକାର ଗଢିବାକୁ ଜେଏମଏମ ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟକୁ ମଜବୁତ କରିବାକୁ ଚେଷ୍ଟା କରୁଛି। ହେମନ୍ତ ସୋରେନ ଏବଂ ତାଙ୍କ ପରିବାର ବିରୋଧରେ ଅନେକ ଅଭିଯୋଗ ରହିଛି। ଏହା ଆଗାମୀ ନିର୍ବାଚନରେ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ।

ମହାରାଷ୍ଟ୍ରରେ ରହିଛି କାହାର କେଉଁ ସ୍ଥିତି ?
ଲୋକସଭା ନିର୍ବାଚନରେ ମହାୟୁତି ଆଶା ଅନୁଯାୟୀ ସଫଳତା ପାଇ ପାରିନଥିଲା। ଅପରପକ୍ଷରେ ବିଜେପି ଅଧିକ ଭୋଟ ସହ ଆସନ ମଧ୍ୟ ଅକ୍ତିଆର କରିଥିଲା। ଵହ ପରେ ମହାୟୁତି ସରକାର ନିଜର ରଣନୀତି ବଦଳାଇବା ସହ “ଲଡକି ବହିନ” ଓ ଯୁବକଙ୍କୁ ଭତ୍ତା ଦେବା ଯୋଜନାର ଘୋଷଣା କରିଥିଲା। ଆଗାମୀ ଦିନରେ ରାଜ୍ୟବାସୀ ରାଜନୀତି, ବେରୋଜଗାରି , ଭ୍ରଷ୍ଟାଚାର ଆଧାରରେ ଭୋଟ ଦେବେ କି ପୁଣି ସଂରକ୍ଷଣ, ଜାତୀୟ ସମୀକରଣ ଓ ନୂଆ ମେଣ୍ଟକୁ ସ୍ଵୀକାର କରିବେ ଦେଖିବାକୁ ବାକି ରହିଲା।

 

ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ

Leave A Reply

Your email address will not be published.