ନୂଆଦିଲ୍ଲୀ: ଭାଷାକୁ ନେଇ ସରଗରମ ମହାରାଷ୍ଟ୍ର ରାଜନୀତି । ନିକଟରେ ମହାରାଷ୍ଟ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ସେଥିରେ ମରାଠୀ ଓ ଇଂରାଜୀ ମିଡିୟମ ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ତୃତୀୟ ଭାଷା ଭାବେ ହିନ୍ଦୀ ପଢାଇବା ବାଧ୍ୟତାମୂଳକ କରାଯାଇଛି । ତେବେ ଏହି ତ୍ରିଭାଷୀ ନିର୍ଦ୍ଦେଶ ବିରୋଧରେ ଜୋରଦାର ହୋଇଛି ରାଜନୀତି । ଭାଷା ବିବାଦକୁ ମଧ୍ୟରେ ହିନ୍ଦୀ ବିରୋଧରେ ଏକାଠି ହୋଇଛନ୍ତି ରାଜ ଠାକରେ ଓ ଉଦ୍ଧବ ଠାକରେ । ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଏହା ବିରୋଧରେ ଆନ୍ଦୋଳନ ଡାକରା ଦେଇଥିବା ବେଳେ ତାଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି ଉଦ୍ଧବ ଠାକରେ ।
ତ୍ରିଭାଷୀ ଫର୍ମୁଲାକୁ ବିରୋଧ
ମହାରାଷ୍ଟ୍ର ସରକାରଙ୍କ ତ୍ରିଭାଷୀ ଫର୍ମୁଲାକୁ ବିରୋଧ କରିଛନ୍ତି ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକରେ ଓ ଏମଏନଏସ ମୁଖ୍ୟ ରାଜ ଠାକରେ । ମହାରାଷ୍ଟ୍ରର ଶିକ୍ଷାମନ୍ତ୍ରୀ ଦାଦା ଭୁସେ ରାଜ ଠାକରେଙ୍କୁ ଭେଟି ଏନେଇ ଆଲୋଚନା କରିଛନ୍ତି । ତେବେ ଏଥିରେ ସନ୍ତୁଷ୍ଟ ହୋଇନାହାନ୍ତି ଏମଏନଏସ ମୁଖ୍ୟ । ତ୍ରିଭାଷୀ ଫର୍ମୁଲା ବିରୋଧରେ ଆନ୍ଦୋଳନ ଡାକରା ଦେଇଛନ୍ତି ରାଜ ଠାକରେ । ଜୁଲାଇ ୫ତାରିଖରେ ଗିରଗାଓଁ ଚୌପାଟିରୁ ତ୍ରିଭାଷୀ ଫର୍ମୁଲା ବିରୋଧରେ ମାର୍ଚ୍ଚ କରିବାକୁ ଘୋଷଣା କରିଛନ୍ତି। ଏଥିରେ କୌଣସି ରାଜନୈତିକ ବ୍ୟାନର ରହିବନି । ତେବେ କିଏ କିଏ ଏଥିରେ ସାମିଲ ହେଉଛନ୍ତି ତାହା ଉପରେ ନଜର ରଖିବେ ବୋଲି ରାଜ ଠାକରେ କହିଛନ୍ତି । ହିନ୍ଦୀ ଭାଷା ବାଧ୍ୟତାମୂଳକ କରିବା ବିରୋଧରେ ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି ଉଦ୍ଧବ ଠାକରେ । ଏହାକୁ ଭାଷାର ଏମର୍ଜେନ୍ସି କହିବା ସହ ସମସ୍ତ ମରାଠୀଙ୍କୁ ରାଜନୈତିକ ମତଭେଦ ଭୁଲି ଏକାଠି ହେବାକୁ ସେ ଆହ୍ବାନ ଦେଇଛନ୍ତି। ଯେତେ ଚେଷ୍ଟା କଲେ ବି ମହାରାଷ୍ଟ୍ରରେ ହିନ୍ଦୀ ଲଦି ଦିଆଯାଇ ପାରିବନି ବୋଲି ଉଦ୍ଧବ କହିଛନ୍ତି ।
ଭାଷା ବିବାଦରେ ବଡ଼ ସୁଯୋଗ !
ଭାଷାକୁ ନେଇ ଆକ୍ରାମକ ଆଭିମୁଖ୍ୟ ରାଜ ଠାକରେଙ୍କ ରାଜନୈତିକ ଆଧାର ରହିଆସିଛି । ମରାଠୀ ଓ ଅଣମରାଠୀ ପ୍ରସଙ୍ଗ ଆଧାରରେ ନିଜ ରାଜନୈତିକ ମାଟି ମଜବୁତ କରିଥିବା ରାଜ ଠାକରେଙ୍କ ଦଳ ନିକଟରେ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଗୋଟିଏ ବି ସିଟ୍ ଜିତି ପାରିନଥିଲା । ଏହାପଛରେ ମରାଠୀ ଓ ଅଣମରାଠୀ ପ୍ରସଙ୍ଗ ଦୁର୍ବଳ ହେବାକୁ ବି କାରଣ କୁହାଯାଉଛି । ଏବେ ତ୍ରିଭାଷୀ ପ୍ରସଙ୍ଗକୁ ମରାଠୀ ଅସ୍ମିତା ସହ ଯୋଡି ଏମଏନଏସକୁ ପୁଣି ପ୍ରାସଙ୍ଗିକ କରିବାକୁ ଉଦ୍ୟମ କରୁଛନ୍ତି ରାଜ ଠାକରେ । ସେହିପରି ଉଦ୍ଧବ ଠାକରେଙ୍କ ଶିବସେନା ଲୋକସଭା ଭଳି ପ୍ରଦର୍ଶନ ବିଧାନସଭା ନିର୍ବାଚନରେ କରିପାରିଲାନି । ଏହା ପଛରେ ମରାଠୀ ଭୋଟବ୍ୟାଙ୍କ ବାଣ୍ଟିହେବା କାରଣ । ମରାଠା ସଂରକ୍ଷଣ ଆନ୍ଦୋଳନ ପ୍ରଭାବରେ ଲୋକସଭା ନିର୍ବାଚନ ବେଳେ ମହାବିକାଶ ଅଘାଡି ସପକ୍ଷରେ ଭୋଟ୍ ଦେଇଥିଲେ ମରାଠା ଭୋଟର । ତେଣୁ ପୁଣି ମରାଠୀ ଅସ୍ମିତା ପ୍ରସଙ୍ଗ ଶିବସେନା ୟୁବିଟି ପାଇଁ ରାଜନୈତିକ ସଂଜୀବନୀ ପାଲଟିପାରେ ।
ମାତ୍ତୃଭାଷାକୁ ମିଳୁ ପ୍ରାଥମିକତା
ଭାଷା ବିବାଦକୁ ନେଇ ଆକ୍ରାମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଠାକରେ ଭାଇ । ସେପଟେ ଏନସିପି ମୁଖ୍ୟ ଶରଦ ପାଓ୍ବାର ରାଜ୍ୟ ସରକାରଙ୍କୁ ଏଭଳି ନକରିବାକୁ କହିଛନ୍ତି । ମହାରାଷ୍ଟ୍ର ସରକାର ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ହିନ୍ଦୀ ବାଧ୍ୟତାମୂଳକ କରିବା ଜିଦ୍ ଛାଡିଦେବା ଉଚିତ୍ ବୋଲି ସେ କହିଛନ୍ତି । କୌଣସି ପିଲା ନୂଆ ଭାଷା ଶିଖି ନିଜ ମାତ୍ତୃଭାଷାଠାରୁ ଦୂରେଇ ଯିବା ଠିକ୍ ନୁହେଁ । ଯେକୌଣସି ରାଜ୍ୟରେ ମାତ୍ତୃଭାଷାକୁ ପ୍ରାଥମିକତା ମିଳିବା ଜରୁରୀ । ବିରୋଧୀ ଦଳଙ୍କ ପ୍ରବଳ ବିରୋଧ ପରେ ସରକାର ହିନ୍ଦୀକୁ ତୃତୀୟ ବାଧ୍ୟତାମୂଳକ ଭାଷା ବଦଳରେ ବିକଳ୍ପ ଭାଷା କରିଛନ୍ତି । ତେବେ ରାଜନୀତି ଥମିବାର ନାଁ ନେଉନି ।
Comments are closed.