Latest Odisha News

BREAKING NEWS

ମହାରାଷ୍ଟ୍ରରେ କାହାକୁ କେତେ ମନ୍ତ୍ରୀ ପଦ?

ନୂଆଦିଲ୍ଲୀ: ଆସିଲା ମହାରାଷ୍ଟ୍ରରେ ପାଓ୍ବାର ସେୟାରିଂ ଫର୍ମୁଲା ! ବିଜେପି ପାଖରେ ରହିବ ୨୨ ମନ୍ତ୍ରାଳୟ ! ସିନ୍ଦେ ଓ ପାଓ୍ବାରଙ୍କ ଭାଗରେ କେତେ? ଆସନ୍ତା ୫ତାରିଖରେ ମୁମ୍ବାଇର ଆଜାଦ ମଇଦାନରେ ଶପଥ ଗ୍ରହଣ ସମାରୋହ । ତେବେ ସେଦିନ କେବଳ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ । କିଏ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଏହାକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ, ଦେବେନ୍ଦ୍ର ଫଡନାବିସ ଏକପ୍ରକାର ହେବା ନିଶ୍ଚିତ ବୋଲି କୁହାଯାଉଛି । ଆସନ୍ତାକାଲି ସକାଳେ ବିଜେପି ବିଧାୟକ ଦଳ ବୈଠକ ବସିବ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିର୍ମଳା ସୀତାରମଣ ଓ ବିଜୟ ରୂପାଣି ଆଜି ମହାୟୁତି ନେତାଙ୍କ ସହ ବୈଠକ କରିବା ପରେ କାଲି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବେ ।

କାହାକୁ କେତେ ମନ୍ତ୍ରୀ ପଦ?

ମହାରାଷ୍ଟ୍ର ସରକାରରେ ବିଜେପି ପାଖରେ ୨୧ରୁ ୨୨ ମନ୍ତ୍ରୀପଦ ରହିପାରେ । ବିଜେପି ହାତରେ ଗୃହ ମନ୍ତ୍ରାଳୟ ରହିପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି ବାଚସ୍ପତି ପଦ ମଧ୍ୟ ବିଜେପି ନିଜ ପାଖରେ ରଖିପାରେ । ଅନ୍ୟ ବିଭାଗ ନେଇ ପରେ ଚର୍ଚ୍ଚା ହେବ । ସେହିପରି ମେଣ୍ଟ ସରକାରରେ ଏକନାଥ ସିନ୍ଦେଙ୍କ ଶିବସେନାକୁ ୧୧ରୁ ୧୨ଟି ମନ୍ତ୍ରୀ ପଦ ଓ ଅଜିତ ପାଓ୍ବାରଙ୍କ ଏନସିପିକୁ ୧୦ଟି ମନ୍ତ୍ରୀ ପଦ ମିଳିପାରେ । ତେବେ ଏକନାଥ ସିନ୍ଦେ ୧୬ମନ୍ତ୍ରୀ ପଦ ପାଇଁ ଦାବି କରିଛନ୍ତି । ୫ତାରିଖରେ ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାର ଶପଥ ନେବେ ବୋଲି କୁହାଯାଉଛି ।

କାହାକୁ ମିଳିବ କେଉଁ ବିଭାଗ?
ମହାରାଷ୍ଟ୍ରରେ ବିଜେପି ଗୃହ ଓ ରାଜସ୍ବ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ନିଜ ପାଖରେ ରଖିପାରେ । ଏହାସହ ଦଳ ଖାତାକୁ ବାଚସ୍ପତି ଓ ବିଧାନ ପରିଷଦ ଅଧ୍ୟକ୍ଷ ପଦ ଯାଇପାରେ । ଏନସିପିକୁ ଅର୍ଥ ତ ସିନ୍ଦେଙ୍କ ଶିବସେନାକୁ ସହର ବିକାଶ ମନ୍ତ୍ରାଳୟ ଯାଇପାରେ । ନୂଆ ସରକାର ଗଠନ ପରେ ୧୬ତାରିଖରୁ ନାଗପୁରରେ ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ତେବେ ଏହା ପୂର୍ବରୁ ମହାୟୁତିର ନେତା ଦେବେନ୍ଦ୍ର ଫଡନାବିସ, ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାର ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ଫର୍ମୁଲାକୁ ନେଇ ସହମତି ପ୍ରକାଶ କରିବେ । ତେବେ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଅସୁସ୍ଥତା ପାଇଁ ବୈଠକ ବାରମ୍ବାର ଘୁଞ୍ଚୁଛି ।

ଫଡନାବିସ ନୂଆ ସିଏମ୍ !

ମହାରାଷ୍ଟ୍ର ବିଧାନସଭା ଫଳାଫଳ ପ୍ରକାଶ ପାଇବାର ଦେଢ ସପ୍ତାହ ବିତିଥିଲେ ମଧ୍ୟ କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ତାକୁ ନେଇ ସସପେନ୍ସ ଲାଗିରହିଛି । ତେବେ ବିଜେପି ନେତା ଦେବେନ୍ଦ୍ର ଫଡନାବିସ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ତାଙ୍କ ନାଁ ଫାଇନାଲ୍ କରାଯାଇଥିବା ବେଳେ କେବଳ ଘୋଷଣା ବାକି ରହିଥିବା କୁହାଯାଉଛି । ପୂର୍ବରୁ ଦୁଇ ଥର ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି ଫଡନାବିସ । ପ୍ରଥମ ଥର ୫ବର୍ଷ ଓ ଦ୍ବିତୀୟ ଥର ୭୨ଘଣ୍ଟାର ସିଏମ ରହିଥିବା ଦେବେନ୍ଦ୍ର ଫଡନାବିସ ସିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ ରହିଥିଲେ । ଆରଏସଏସ ସହ ଭଲ ସଂପର୍କ ଥିବା ଫଡନାବିସ ମୋଦି ଓ ଶାହାଙ୍କର ବି ନିକଟତର ନେତା । ମୁଖ୍ୟମନ୍ତ୍ରୀ ପଦ ପାଇଁ ଫଡନାବିସଙ୍କୁ ସହଯୋଗୀ ଅଜିତ ପାଓ୍ବାର ବି ସମର୍ଥନ କରିଛନ୍ତି ।

କାହିଁକି ସିଏମ୍ ସସପେନ୍ସ?

ମହାରାଷ୍ଟ୍ରରେ ୨୩୨ସିଟ୍ ସହ ବଡ ବିଜୟ ହାସଲ କରିଛି ମହାୟୁତି । ବିଜେପି ୧୩୨ ସିଟ୍ ସହ ବଡ ଦଳ ହୋଇଛି । ମ୍ୟାଜିକ ନମ୍ବରଠାରୁ ମାତ୍ର ୧୩ଟି ସିଟ୍ ଦୂରରେ ରହିଥିବା ବିଜେପି ଯେକୌଣସି ଗୋଟିଏ ସହଯୋଗୀ ଦଳ ସହ ମିଶି ସରକାର ଗଠନ କରିପାରିବ । ତେବେ ସିନ୍ଦେ ଓ ଅଜିତ ପାଓ୍ବାରଙ୍କୁ ଯେକୌଣସି ମତେ ମେଣ୍ଟରେ ରଖି ମରାଠା ଓ ଓବିସି ଭୋଟରଙ୍କୁ ସନ୍ତୁଷ୍ଟ କରିବାକୁ ଅଙ୍କ କଷୁଛି ବିଜେପି । ଚଳିତ ନିର୍ବାଚନରେ ବିଜେପି ଜବରଦସ୍ତ ବିଜୟ ହାସଲ କରିଥିଲେ ବି ଦଳ ଆଗକୁ ହେବାକୁ ଥିବା ବିଏମସି ନିର୍ବାଚନ ଉପରେ ନଜର ରଖିଛି । ତେଣୁ ରାଜ୍ୟରେ ରାଜନୈତିକ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପଦ ଘୋଷଣା ସହ ମନ୍ତ୍ରୀପଦ ବଣ୍ଟନ କରିବ ବିଜେପି ।

Leave A Reply

Your email address will not be published.