Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଉଦ୍ଧବଙ୍କ ଅଢ଼େଇ ବର୍ଷ… କ’ଣ ପାଇଲେ, କ’ଣ ହରାଇଲେ ?

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା । ସରକାର ଗଠନ ପାଇଁ ଯେତିକି ଡ୍ରାମା ହୋଇଥିଲା ଏବେ କ୍ଷମତା ବଞ୍ଚାଇବାକୁ ବେଶ୍ କସରତ କରିବାକୁ ପଡ଼ୁଛି । ଏକନାଥ ସିନ୍ଦେଙ୍କ ଚାଲରେ ଫସି ଯାଇଥିବା ଉଦ୍ଧବ ସରକାର ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି । କିନ୍ତୁ ଅନ୍ୟପଟେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପୂର୍ବରୁ ସରକାରୀ ବାସଭବନ ଛାଡ଼ି ଦେଇଛନ୍ତି । ଯାହା ଉଦ୍ଧବ ଠାକରେଙ୍କୁ ବ୍ୟାକଫୁଟକୁ ଟାଣି ନେଇଛି ।

କ୍ଷମତା ରାଜନୀତିରେ ଥକି ପଡ଼ିଥିବା ଠାକରେ ମାତୋଶ୍ରୀ ଫେରି ଯାଇଛନ୍ତି । ୨୦୧୯ ନଭେମ୍ବର ୨୮ ତାରିଖରେ ଏନସିପି, କଂଗ୍ରେସ ସମର୍ଥନରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଠାକରେ ପରିବାରର ପ୍ରଥମ ବ୍ୟକ୍ତି ଭାବେ ସାମ୍ବିଧାନିକ ପଦରେ ବସିଥିଲେ ଉଦ୍ଧବ । ମାତ୍ର ଅଢ଼େଇ ବର୍ଷରେ ବେଶ୍ କିଛି ଓଲଟ ପାଲଟ ହୋଇ ଯାଇଛି । ମେଣ୍ଟ ସହଯୋଗୀ ଏନସିପି ଓ କଂଗ୍ରେସ ଉଦ୍ଧବଙ୍କ ସାଥ୍ ଦେଉଥିବା ବେଳେ ଦଳ ଭିତର ବିଦ୍ରୋହରେ ଦ୍ରୋହୀ ହୋଇ ଯାଇଛନ୍ତି ଉଦ୍ଧବ ଠାକରେ ।

୨୦୧୯ରେ ଠାକରେ ମୁଖ୍ୟମନ୍ତ୍ରୀ ହେବା ମହାରାଷ୍ଟ୍ର ରାଜନୀତି ପାଇଁ ଐତିହାସିକ ଘଟଣା ଥିଲା । ଶିବସେନା ବିଚାରଧାରାର ବିପରୀତ ୨ ରାଜନୈତିକ ଦଳ ବାଧ୍ୟ ବାଧ୍ୟକତାରେ ଉଦ୍ଧବଙ୍କ ସହ ମହାବିକାଶ ଅଘାଡ଼ି ମେଣ୍ଟ ଗଢ଼ି ସରକାର ଗଠନ କରିଥିଲେ । ଏଥିପାଇଁ ଶିବସେନା, ବିଜେପି ସହ ଥିବା ୨ ଦଶନ୍ଧିରୁ ଅଧିକ ଦିନର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ଟାଣିଥିଲା ।

ଏନସିପି ଓ କଂଗ୍ରେସ ସହ ମିଶି ଶିବସେନା ସରକାର ଅଢ଼େଇ ବର୍ଷ ପୂରା କରିଥିବା ବେଳେ ଏକନାଥ ସିନ୍ଦେଙ୍କ ପାଇଁ ସଂକଟରେ ସରକାର । ସରକାରକୁ ଆସିବା ପୂର୍ବରୁ ଉଦ୍ଧବଙ୍କ ଛବି ସମ୍ପୂର୍ଣ୍ଣ ସ୍ୱଚ୍ଛ ଥିଲା । ଦୁର୍ନୀତି କି ଭ୍ରଷ୍ଟାଚାର ଅଭିଯୋଗ ନଥିଲା ଉଦ୍ଧବଙ୍କ ବିରୋଧରେ ।

କିନ୍ତୁ ରାଜନୈତିକ ବିଶ୍ଲେଷକଙ୍କ ମତରେ ଉଦ୍ଧବ ଠାକରେଙ୍କ ସରକାର ତାଙ୍କ ଘର ଯାଏ ସୀମିତ ଥିଲା । ଉଦ୍ଧବ ଅଧିକାଂଶ କ୍ୟାବିନେଟ୍ ବୈଠକ ଭିଡିଓ କନଫରେନ୍ସିଂରେ କରିଥିବା ବେଳେ ସରକାରୀ ବାସଭବନରୁ ସରକାର ଚାଲୁଥିଲା । ଯାହକୁ ନେଇ ଦଳ ଭିତରେ ଗୁଞ୍ଜରିତ ଅସନ୍ତୋଷ ଏବେ ସାମ୍ନାକୁ ଆସିବା ପରେ ସରକାର ଉପରେ ସଂକଟ ଛାଇ ଯାଇଛି ।

Leave A Reply

Your email address will not be published.