Latest Odisha News

ମହାରାଷ୍ଟ୍ରରେ ଅସଲି ବନାମ ନକଲି ଲଢେଇ

ନୂଆଦିଲ୍ଲୀ: କିଏ ଅସଲି କିଏ ନକଲି? କାହାର ଦଳ ଅସଲି ? ଉଦ୍ଧବ ଠାକରେଙ୍କ ଶିବସେନା ନା ଏକନାଥ ସିନ୍ଦେଙ୍କ ଶିବସେନା? ଶରଦ ପାଓ୍ବାରଙ୍କ ଏନସିପି ନା ଅଜିତ ପାଓ୍ବାରଙ୍କ ଏନସିପି? ଅଦାଲତରେ ହେଉ କି ନିର୍ବାଚନ କମିଶନଙ୍କ ପାଖରେ, ଦଳ ପ୍ରକୃତରେ କାହାର, ସେନେଇ ଲଢେଇ ତ ହୋଇଛି । ହେଲେ ଏଥର ବିଚାର ହେବ ଜନତାଙ୍କ ଅଦାଲତରେ। ଶିବସେନା ଓ ଏନସିପି ବିଭାଜନ ହେବା ପରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନର ସାମନା କରିବେ । ତେଣୁ ଜନତା କାହାକୁ ପ୍ରକୃତ ଏନସିପି ବା ଶିବସେନା ଭାବୁଛନ୍ତି, ସେକଥା ନିର୍ବାଚନ ଫଳାଫଳ ସ୍ପଷ୍ଟ କରିବ ।

ଏନସିପି ବନାମ ଏନସିପି

ପଶ୍ଚିମ ମହାରାଷ୍ଟ୍ରରେ ମୁଖ୍ୟତଃ ଏନସିପିର ଦୁଇ ଦଳ ମୁହାଁମୁହିଁ ହେଉଛନ୍ତି । ଅସଲି ନକଲିର ଏହି ଫାଇଟ୍ ଉପରେ ସମସ୍ତଙ୍କ ନଜର ରହିଛି । ମୋଟ୍ ୫୨ଟି ସିଟରେ ଲଢୁଥିବା ଅଜିତ ପାଓ୍ବାରଙ୍କ ଏନସିପି ଦାଦା ଶରଦ ପାଓ୍ବାରଙ୍କ ଏନସିପି ବିପକ୍ଷରେ ୩୮ଟି ଆସନରେ ପ୍ରାର୍ଥୀ ଦେଇଛି । ଅଜିତ ପାଓ୍ବାରଙ୍କ ଏନସିପି ଅଧିକାଂଶ ସିଟିଂ ଏମଏଲଏଙ୍କୁ ପ୍ରାର୍ଥୀ କରିଛି ତ ନବାଗତଙ୍କୁ ଭରସା କରିଛନ୍ତି ଶରଦ ପାଓ୍ବାର । ତେବେ ଫୋକସରେ ରହିଛି ବାରାମତୀ ଲଢେଇ । କାରଣ ଏଠାରେ ଲଢେଇ ପରିବାର ମଧ୍ୟରେ । ଅଜିତ ପାଓ୍ବାରଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ପୁତୁରା ଯୁଗେନ୍ଦ୍ର ପାଓ୍ବାର । ୧୯୯୧ରୁ ବାରାମତୀ ଜିତି ଆସୁଥିବା ଅଜିତଙ୍କ ପାଇଁ ଏଥର ଚ୍ୟାଲେଞ୍ଜ ଏଥର ନିଜ ପରିବାରରୁ ହିଁ ଆସିଛି । ଉଭୟ ଦଳ ଅସ୍ତିତ୍ବର ଲଢେଇ ଲଢୁଛନ୍ତି ।

ଅସଲି ଶିବସେନା କାହାର?

ଏକନାଥ ସିନ୍ଦେଙ୍କ ଦଳ ନା ଉଦ୍ଧବ ଠାକରେଙ୍କ ଦଳ? ଅସଲି ଶିବସେନାକୁ ନେଇ ବି ମହାରାଷ୍ଟ୍ର କୁରୁକ୍ଷେତ୍ରରେ ଜୋରଦାର ଫାଇଟ୍ ହେଉଛି । ୪୯ଟି ସିଟରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି । ଏହା ମଧ୍ୟରୁ ୧୨ଟି ସିଟ୍ କେବଳ ମୁମ୍ବାଇ ମହାନଗରରେ ରହିଛି । ମୁମ୍ବାଇ ଶିବସେନାର ଗଡ଼ ରହିଥିବା ବେଳେ ଏଥର କେଉଁ ଦଳକୁ ବାଛିବେ ଜନତା? ତାଉପରେ ନଜର ରହିଛି । ୨୦୧୯ରେ ଶିବସେନା ୫୬ଟି ସିଟ୍ ଜିତିଥିଲା । ଏହା ମଧ୍ୟରୁ ୪୧ଜଣ ବିଧାୟକ ଏକନାଥ ସିନ୍ଦେଙ୍କ ସମର୍ଥନରେ ଯାଇଥିଲେ ତ ୧୫ଜଣ ଉଦ୍ଧବଙ୍କ ସହ ରହିଥିଲେ । ୧୫ସିଟିଂ ଏମଏଲଏଙ୍କ ସହ ୯୬ଜଣ ପ୍ରାର୍ଥୀ ଦେଇଛନ୍ତି ଉଦ୍ଧବ ଠାକରେ । ସେପଟେ ଏକନାଥ ସିନ୍ଦେ ୭୮ଜଣ ପ୍ରାର୍ଥୀ ଦେଇଛନ୍ତି । ଓ୍ବର୍ଲି ହେଉ କି ମାହିମ, ବିଭିନ୍ନ ସିଟରେ ବ୍ଲକବଷ୍ଟର ମୁକାବିଲା ଦେଖିବାକୁ ମିଳିବ ।

କ’ଣ ଥିଲା ଲୋକସଭା ରାୟ?

ଦୁଇଟି ଦଳରୁ ବାହାରିଥିବା ୪ଟି ଦଳ ପାଇଁ ବିଧାନସଭା ଅଗ୍ନିପରୀକ୍ଷା । ତେବେ ପୂର୍ବରୁ ଲୋକସଭା ନିର୍ବାଚନ ଲଢିଥିଲେ ୪ଦଳ । ଅଜିତ ପାଓ୍ବାର ୪ଟି ସିଟରେ ଲଢିଥିବା ବେଳେ ଗୋଟିଏ ହିଁ ଜିତିପାରିଥିଲେ । ଯେବେକି ଶରଦ ପାଓ୍ବାରଙ୍କ ଏନସିପି ୧୦ଟିରେ ଲଢି ୮ଟି ସିଟ ଜିତିଥିଲା। ସେହିପରି ଶିବସେନାର ଉଭୟ ଦଳ ୧୩ସିଟରେ ମୁହାଁମୁହିଁ ହୋଇଥିଲେ । ଦୁଇ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଉଦ୍ଧବ ଠାକରେଙ୍କ ଶିବସେନା ୬ଟି ସିଟ୍ ଜିତିଥିଲା ତ ଏକନାଥ ସିନ୍ଦେଙ୍କ ଶିବସେନା ଖାତାକୁ ୭ଟି ଯାଇଥିଲା । ଅର୍ଥାତ ଏନସିପିରେ ଶରଦ ପାଓ୍ବାର ଲୋକସଭାରେ ଭଲ ପ୍ରଦର୍ଶନ କରିଥିଲେ ବି ଶିବସେନାରେ ଟକ୍କର ବରାବରିର ରହିଥିଲା ।

ମହାରାଷ୍ଟ୍ରରେ ମହାୟୁତି ଓ ଏମଭିଏ ମଧ୍ୟରେ ପାରମ୍ପରିକ ଲଢେଇ ହେଉଥିଲେ ବି ବିଭାଜିତ ଦୁଇ ଦଳ ମଧ୍ୟରେ ରୋଚକ ଲଢେଇ ଦେଖିବାକୁ ମିଳିବ । ବିଶ୍ବାସଘାତକତା, ନେତୃତ୍ବକୁ ଚ୍ୟାଲେଞ୍ଜ, ଅସ୍ତିତ୍ବର ଲଢେଇ ନେଇ ରାୟ ଦେବେ ଜନତା ।

Comments are closed.