ଭୁବନେଶ୍ୱର: ଆସନ୍ତା ଶୁକ୍ରବାର ମହାଶିବରାତ୍ରି । ଏଥିପାଇଁ ରାଜ୍ୟର ପ୍ରମୁଖ ଶୈବପୀଠ ପ୍ରଭୁ ଲିଙ୍ଗରାଜଙ୍କ କ୍ଷେତ୍ରରେ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି । ମହା ଶିବରାତ୍ରିରେ ହେବାକୁ ଥିବା ପ୍ରବଳ ଜନସମାଗମକୁ ସୁରୁଖୁରୁରେ ଦର୍ଶନ କରାଇବା ନେଇ କମିଶନରେଟ ପୋଲିସ ପକ୍ଷରୁ ସୋମବାର ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ଥାନା ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଇନ ଶୃଙ୍ଖଳା ଓ ଟ୍ରାଫିକ୍ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଡିସିପି, ଡିସିପି ଟ୍ରାଫିକ୍, ଅତିରିକ୍ତ ଜିଲ୍ଲାପାଳ, ଟ୍ରଷ୍ଟ ବୋର୍ଡର ସଭ୍ୟ, ବିଭିନ୍ନ ସେବାୟତ ଓ ଲୋକ ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇଥିଲା।
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୨୦ ତାରିଖ ସୁଦ୍ଧା ମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକାମ ଶେଷ ହୋଇଯିବ । ମନ୍ଦିର ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷା ନିମନ୍ତେ ୩୨ ଟି ସିସି କ୍ୟାମେରାର ବ୍ୟବସ୍ଥା କରାଯିବ । ଏହାସହ ବହୁ ସାଧା ପୋଷାକରେ ପୋଲିସ ମଧ୍ୟ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେବେ ।
ପାର୍କିଂ:
ଯାନବାହାନ ପାର୍କିଂ ପାଇଁ ୧୦ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି। ତେବେ ବଢ଼େଇବାଙ୍କ ଛକ, ଗ୍ୟାରେଜ୍ ଛକ, ସୁଭଦ୍ରା ମହତାବ ହାଇସ୍କୁଲ, ମାଉସୀ ମା’ ଛକ, କେଦାରଗୌରୀ ଛକ, ଖରାଖିଆ ବୈଦନାଥ ଛକ, ନୂଆ ଲିଙ୍ଗରାଜ ମାର୍କେଟଠାରୁ ରାସ୍ତା ସିଲ୍ କରାଯିବ ବୋଲି କୁହାଯାଇଛି। ଏହି ଅବସରରେ ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ ଲୋକମାନଙ୍କ ସହଯୋଗ କାମନା କରିବା ସହ ଟ୍ରାଫିକ ନିୟମ ମାନିବାକୁ ନିବେଦନ କରିଛନ୍ତି।
Comments are closed.