Latest Odisha News

BREAKING NEWS

ଅଗ୍ନିବୀର ଅବସର ନେବା ପରେ ମହିନ୍ଦ୍ରା ଗ୍ରୁପରେ ନିଯୁକ୍ତି ସୁଯୋଗ: ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଚାଲିଥିବା ହିଂସାକାଣ୍ଡରେ ଦୁଃଖି ପ୍ରକାଶ କରିଛନ୍ତି ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ।  ସୋମବାର ଏହି ପ୍ରସଙ୍ଗରେ ଟୁଇଟ୍ କରି ନିଜର ଦୁଃଖ ପ୍ରକାଶ କରିବା ସହିତ ଏହି ଅଗ୍ନିବୀର ଅବସର ନେଲା ପରେ ତାଙ୍କ ଦ୍ୱାରା ପରିଚାଳିତ କମ୍ପାନୀ ସେମାନଙ୍କୁ ନିଯୁକ୍ତି ଦେବ ବୋଲି ଘୋଷଣା କରିଛନ୍ତି। ଏହି ଯୋଜନା ଅଗ୍ନିବୀରଙ୍କ ଦକ୍ଷତା ଏବଂ ଶୃଙ୍ଖଳିତ ହେବାକୁ ସୁଯୋଗ ଦେବ। ଏହା ଦ୍ୱାରା ପରିବର୍ତ୍ତୀ ସମୟରେ ଜଣେ ଅଧିକ ରୋଜଗାରକ୍ଷମ ହୋଇପାରିବ ବୋଲି ସେ କହିଛନ୍ତି। ମହିନ୍ଦ୍ରା ଗ୍ରୁପ୍ ଏଭଳି ତାଲିମପ୍ରାପ୍ତ, ଯୋଗ୍ୟ ଯୁବପିଢ଼ିଙ୍କୁ ନିଯୁକ୍ତିକୁ ସ୍ୱାଗତ କରୁଛି ବୋଲି ସେ ଟୁଇଟ୍ କରି ଜଣାଇଛନ୍ତି।

ଭାରତୀୟ ଯୁବକମାନଙ୍କୁ ଚାରି ବର୍ଷର ଅବଧି ପାଇଁ ସଶସ୍ତ୍ର ବାହିନୀର ନିୟମିତ କ୍ୟାଡରରେ ସେବା କରିବାକୁ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା କରିଛନ୍ତି। ଜୁନ୍ ୧୪ରେ ଏ ନେଇ ସରକାର ଘୋଷଣା କରିଥିଲେ। ଏହାପରେ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଉତ୍ତର ପ୍ରଦେଶ, ବିହାର, ହରିଆଣା, ତେଲେଙ୍ଗାନା, ଓଡ଼ିଶା, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ପଞ୍ଜାବ, ଝାଡ଼ଖଣ୍ଡ ଓ ଆସାମରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। କେତେକ ସ୍ଥାନରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବାରୁ ବିକ୍ଷୋଭକାରୀମାନେ ଟ୍ରେନରେ ନିଆଁ ଲଗାଇଦେବା ସହ ଗାଡିରେ ନିଆଁ ଲଗାଇଦେଇଥିଲେ। ଏଥିରେ ଉଭୟ ସରକାରୀ ଓ ବେସରକାରୀ ସମ୍ପତ୍ତିକୁ ନଷ୍ଟ ହୋଇଛି।

ଚଳିତ ବର୍ଷ ମୋଟ ୪୬ ହଜାର ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ କିନ୍ତୁ ନିକଟ ଭବିଷ୍ୟତରେ ଏହା ୧.୨୫ ଲକ୍ଷକୁ ବୃଦ୍ଧି ପାଇବ ବୋଲି ଗତକାଲି ସେନା ପକ୍ଷରୁ କୁହାଯାଇଛି। ସଶସ୍ତ୍ର ବାହିନୀରେ ନୂତନ ଭାବେ ନିଯୁକ୍ତି ପାଇଥିବା ସମସ୍ତ ଯବାନଙ୍କ ପ୍ରବେଶ ବୟସ ୧୭.୫ରୁ ୨୧ ବର୍ଷ ମଧ୍ୟରେ ଧାର୍ଯ୍ୟ କରାଯାଇଛି। କିନ୍ତୁ ଗତ ଦୁଇ ବର୍ଷ ମଧ୍ୟରେ ଏହି ନିଯୁକ୍ତି କରିବା ସମ୍ଭବ ହୋଇ ନ ଥିବାରୁ କେନ୍ଦ୍ର ସରକାର ଅଗ୍ନିବୀର ନିଯୁକ୍ତି ପାଇଁ ବୟସ ସୀମାକୁ ୨୧ ବର୍ଷରୁ ବୃଦ୍ଧି କରି ୨୩ ବର୍ଷ କରିଛନ୍ତି। ଯାହା ୨୦୨୨ ପାଇଁ କେବଳ ରହିବ ବୋଲି ସରକାର କହିଛନ୍ତି।

ତେବେ ସରକାରଙ୍କ ଏହି ନିଯୁକ୍ତି ନୀତି ବିବାଦୀୟ ବୋଲି କଂଗ୍ରେସ କହିଛି। ସଶସ୍ତ୍ର ବାହିନୀର ଦୀର୍ଘ ଦିନର ପରମ୍ପରାକୁ ଏହା ନଷ୍ଟ କରିବ ବୋଲି କହିଛି। ଏହି ଯୋଜନାରେ ନିୟୁକ୍ତି ପାଇଥିବା ସୈନିକଙ୍କୁ ଦେଶକୁ ରକ୍ଷା କରିବା ପାଇଁ ଉନ୍ନତ ତାଲିମ ଏବଂ ପ୍ରେରଣା ଦିଆଯିବାର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଏକ ସଭାରେ କହିଛନ୍ତି।

ତେବେ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜୋରଦାର ଚାଲିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରାଳୟରେ ଥିବା ଚାକିରିର ୧୦ ପ୍ରତିଶତ ପଦବୀ ସଂରକ୍ଷଣ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ ଦେବା ସହ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍) ଓ ଆସାମ ରାଇଫଲର ନିଯୁକ୍ତିରେ ସେମାନଙ୍କୁ ଅଗ୍ରାଧିକାର ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସେହିପରି ବିଜେପି ଶାସିତ ରାଜ୍ୟ ଆସାମ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିଆଣା, ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ କର୍ଣ୍ଣାଟକ ଭଳି ଅନେକ ରାଜ୍ୟ ସରକାର ରାଜ୍ୟ ସରକାରୀ ଚାକିରିରେ ଅଗ୍ନିବୀରଙ୍କୁ ପ୍ରାଥମିକତା ଦେବାକୁ ଘୋଷଣା କରିଛନ୍ତି।

Leave A Reply

Your email address will not be published.