ନୂଆଦିଲ୍ଲୀ: ବିବାହର ପାଖାପାଖି ୨ମାସ ପରେ ଦିଲ୍ଲୀରେ ଗ୍ରାଣ୍ଡ ରିସେପ୍ସନ୍ ଦେଇଛନ୍ତି ତୃଣମୂଳ କଂଗ୍ରେସ (ଟିଏମସି) ଲୋକସଭା ସାଂସଦ ମହୁଆ ମୋଇତ୍ରା ଏବଂ ପୂର୍ବତନ ବିଜୁ ଜନତା ଦଳ (ବିଜେଡି) ସାଂସଦ ପିନାକୀ ମିଶ୍ର । ମହୁଆ ମୋଇତ୍ରା ଏବଂ ପିନାକୀ ମିଶ୍ର ଅଗଷ୍ଟ ୫ ତାରିଖରେ ଏକ ଭବ୍ୟ ବିବାହ ସ୍ୱାଗତ ସମ୍ବର୍ଦ୍ଧନାର ଆୟୋଜନ କରିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ନୂଆଦିଲ୍ଲୀର ହୋଟେଲ ଲଳିତରେ ଏହି ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଦଳର ଅନେକ ରାଜନୈତିକ ବ୍ୟକ୍ତିବିଶେଷ ଏହି ଉତ୍ସବରେ ଯୋଗ ଦେଇଥିଲେ । ପଶ୍ଚିମବଙ୍ଗ ସାଂସଦ ମହୁଆ ମୋଇତ୍ରା ମେ ୩୦ ତାରିଖରେ ଜର୍ମାନୀରେ ଅନୁଷ୍ଠିତ ଏକ ବ୍ୟକ୍ତିଗତ ବିବାହ ଉତ୍ସବରେ ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।
ଦିଲ୍ଲୀ ରିସେପ୍ସନରେ, ମହୁଆଙ୍କୁ ସୁନା କାରୁକାର୍ଯ୍ୟ ଏବଂ ପାରମ୍ପରିକ ସୁନା ଅଳଙ୍କାର ସହିତ ଏକ ଲାଲ ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଥିଲା। ସେହିପରି ପିନାକୀ ଲାଲ କାରୁକାର୍ଯ୍ୟ ହୋଇଥିବା ବର୍ଡର ସହିତ ଏକ କ୍ଲାସିକ୍ ଧଳା ପାରମ୍ପରିକ ପୋଷାକ ପିନ୍ଧିଥିଲେ । ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋଗୁଡ଼ିକରେ ମହୁଆ ମୋଇତ୍ରା ଏବଂ ପିନାକୀ ମିଶ୍ର ଉପସ୍ଥିତ ଲୋକଙ୍କୁ ଅଭିବାଦନ କରୁଥିବା ଏବଂ ସହକର୍ମୀ ଏବଂ ବନ୍ଧୁମାନଙ୍କଠାରୁ ଆଶୀର୍ବାଦ ଗ୍ରହଣ କରୁଥିବା ଦେଖାଯାଇଥିଲା।
ତେବେ ଏହି ରିସେପ୍ସନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସମେତ ସମାଜବାଦୀ ପାର୍ଟି ନେତା ଏବଂ ପୂର୍ବତନ ଉତ୍ତର ପ୍ରଦେଶ ମନ୍ତ୍ରୀ ବୀରେନ୍ଦ୍ର ସିଂହ, ତୃଣମୂଳ ସାଂସଦ ଏବଂ ରାଜ୍ୟସଭାରେ ଉପନେତା ସାଗରିକା ଘୋଷ, ଅଭିନେତ୍ରୀ ଏବଂ ତୃଣମୂଳ ସାଂସଦ ରଚନା ବାନାର୍ଜୀ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ସାଂସଦ ସୁପ୍ରିୟା ସୁଲେ, ତୃଣମୂଳ ସାଂସଦ ସୟୋନି ଘୋଷ, ଶିବସେନା ୟୁବିଟି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ, ପୂର୍ବତନ କଂଗ୍ରେସ ସାଂସଦ କୁନୱର ଦାନିଶ ଅଲି, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଡିଏମକେ ସାଂସଦ ଥାଙ୍ଗାପାଣ୍ଡିଆନ ଏବଂ ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ ପ୍ରମୁଖ ଉପସ୍ଥିତ ରହିଥିବା ଫଟୋରେ ନଜର ଆସିଛନ୍ତି ।
୬୫ ବର୍ଷୀୟ ପିନାକୀ ମିଶ୍ର ଏବଂ ୫୦ ବର୍ଷୀୟ ମହୁଆ ମୋଇତ୍ରା ଉଭୟଙ୍କ ଏହା ଦ୍ବିତୀୟ ବିବାହ ଥିଲା । ପୂର୍ବରୁ ପିନାକୀ ସଙ୍ଗୀତା ମିଶ୍ରଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ ପୁଅ ଓ ଝିଅ ଅଛନ୍ତି। ପିନାକୀ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ । ସେହିପରି ପ୍ରଥମ ସ୍ବାମୀ ଲାର୍ସ ବ୍ରରସନଙ୍କୁ ଛାଡ଼ପତ୍ର ଦେବା ପରେ ଜଣେ ଓକିଲ ଜୟ ଅନନ୍ତ ଦେହାଦ୍ରାଇଙ୍କ ସହ ମହୁଆଙ୍କର ପ୍ରେମ ସଂପର୍କ ରହିଥିଲା। ହେଲେ ତାଙ୍କ ଠାରୁ କିଛି ବର୍ଷ ତଳେ ମହୁଆ ଅଲଗା ହୋଇଯାଇଥିଲେ।
ଯଦି ଉଭୟଙ୍କ ରାଜନୈତିକ ଯାତ୍ରା ଦେଖିବା ତେବେ, ପିନାକୀଙ୍କର ରାଜନୈତିକ ଯାତ୍ରା କଂଗ୍ରେସରୁ ଆରମ୍ଭ ହୋଇଥିଲା। ୧୯୯୬ରେ ସେ ପ୍ରଥମ ଥର ପାଇଁ କଂଗ୍ରେସ ଟିକେଟ୍ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗଦେଇ ତିନି ଥର ପୁରୀରୁ ଲୋକସଭାକୁ ପ୍ରତିନିଧିତ୍ବ କରିଥିଲେ । ୨୦୨୪ ନିର୍ବାଚନରେ ସେ ଲଢ଼ି ନଥିଲେ। ତାହା ପରଠାରୁ ରାଜ୍ୟ ରାଜନୀତିରେ ସେ ସକ୍ରିୟ ନାହାନ୍ତି । ସେହିପରି ୧୯୭୪ ମସିହାରେ ଆସାମରେ ଜନ୍ମ ଗ୍ରହଣ କରିଥିବା ମହୁଆ ତାଙ୍କ କ୍ୟାରିଅର ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କର ରୂପେ ଆରମ୍ଭ କରିଥିଲେ । ବିଦେଶରୁ ଚାକିରି ଛାଡ଼ି ସେ ଭାରତ ଫେରିବା ପରେ ରାଜନୀତିରେ ପାଦ ଦେଇ କଂଗ୍ରେସରୁ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ୨୦୧୦ରେ ସେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ । ୨୦୧୬ରେ ମହୁଆ କରିମପୁର ବିଧାନସଭା କ୍ଷେତ୍ରରୁ ଏବଂ ୨୦୧୯ରେ ସେ ପ୍ରଥମଥର ପାଇଁ ପଶ୍ଚିମବଙ୍ଗର କ୍ରିଷ୍ଣାନଗର ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମୋଦୀ ସରକାରଙ୍କ ଦୃଢ଼ ସମାଲୋଚକ ତଥା ଜଣେ ସ୍ପଷ୍ଟଭାଷୀ ଭାବେ ବେଶ୍ ପରିଚିତ ମହୁଆ ତାଙ୍କ ଭାଷଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । ୨୦୨୩ ଡିସେମ୍ବର ୮ରେ ସେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ନୈତିକତା କମିଟିର ସୁପାରିସ ଆଧାରରେ ଲୋକସଭାରୁ ବହିଷ୍କାର ହୋଇଥିଲେ । ତେବେ ୨୦୨୪ରେ ସେ ପୁନଃ ନିର୍ବାଚିତ ହୋଇଥିଲେ ।
Comments are closed.