Latest Odisha News

BREAKING NEWS

ମନରେଗା ଯୋଜନାରେ ବଡ଼ ଦୁର୍ନୀତି: କାର, କୋଠା ଥାଇ ବିଜେଡି ନେତା ଉଠାଇଛନ୍ତି ଲାଭ

ଯାଜପୁର: ଦଶରଥପୁରର ସ୍ଥାନୀୟ ବିଜେଡି ନେତା ପ୍ରଦୀପ କୁମାର ମହାନ୍ତି ଯାଜପୁର ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।

ପ୍ରଦୀପ ମହାନ୍ତିଙ୍କର ନିଜସ୍ୱ ବିଳାସପୂର୍ଣ୍ଣ ଗାଡ଼ି ଓ ଦୁଇ ମହଲା କୋଠା ଥିଲେ ମଧ୍ୟ ମନରେଗା ଯୋଜନାରେ ଜବ୍ କାର୍ଡ ରଖି ଏହି ଯୋଜନାରେ ଲାଭ ଉଠାଇଛନ୍ତି। ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ମଧ୍ୟ ଜବ୍ କାର୍ଡଧାରୀ ହୋଇଥିବାରୁ ପରିବାର ଲୋକେ ମିଥ୍ୟା ବିଲ୍ ମାଧ୍ୟମରେ ଅର୍ଥ ଆତ୍ମସାତ୍ କରିଛନ୍ତି ବୋଲି ଜଣାପଡ଼ିଛି।

ପ୍ରଦୀପ ମହାନ୍ତି ଓ ତାଙ୍କ ପତ୍ନୀ ୨୦୨୦ ଏପ୍ରିଲ ୧୭ରୁ ଜୁଲାଇ ୨୬ ତାରିଖ ଯାଏଁ କାମ କରିଥିବା ଦର୍ଶାଇଛନ୍ତି ଏବଂ ସେହି ଅନୁସାରେ ୯୪ ଦିନ କାମ କରିବା ବାବଦରେ ୧୯ ହଜାର ୪୫୮ ଟଙ୍କା ପାଉଣା ପାଇଛନ୍ତି। ସେମାନେ ଜାଲିଆତି କରି ପେଟାନାଳା, ଭଣ୍ଡେଶ୍ୱର ପୋଖରୀର ପୁନରୁଦ୍ଧାର, ଦୁଇଟି ଚାଷଜମି ବିକାଶ ପାଇଁ କାମ କରିଥିବା ଅଭିଯୋଗ ହୋଇଛି।

ସେହିପରି ପ୍ରଦୀପ ମହାନ୍ତିଙ୍କ ଦୁଇ ପୁଅ ମଧ୍ୟ ମନରେଗା ଯୋଜନାରେ ଜାଲିଆତି କରି ଲାଭ ଉଠାଇଛନ୍ତି ବୋଲି ଅଭିଯୋଗ ରହିଛି। ଆଶୀର୍ବାଦ ୨୦୨୦ ଏପ୍ରିଲ ୧୭ରୁ ୨୦୨୩ ଏପ୍ରିଲ ୨୯ ଯାଏ ମନରେଗା ଅଧୀନରେ ୧୧୯ ଦିନ କାମ କରି ୨୭,୪୪୬ ଟଙ୍କା ପାଇଥିବା ସୂଚନା ରହିଛି। ପେଟାନାଳର ପୁନରୁଦ୍ଧାର ଓ ସୁରଡିହା ବନ୍ଧ ଆଦି ନିର୍ମାଣ କାମ ପାଇଁ ସେ କାମ କରିଥିବା ଦାବି କରିଛନ୍ତି।

ଦେବାଶିଷ ୨୦୨୦ ମେ’ ୮ ତାରିଖରୁ ୨୦୨୨ ମସିହା ଡିସେମ୍ବର ୧୭ ତାରିଖ ଯାଏ ଗ୍ରାମାଞ୍ଚଳ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାରେ ୧୧୯ ଦିନର କାମ ପାଇଁ ୨୮ ହଜାର ୨୧୯ ଟଙ୍କା ପାଇଛନ୍ତି।

ଏନେଇ ଯାଜପୁର ଜିଲ୍ଲାପାଳ, ଦଶରଥପୁର ବିଡିଓ, ମନରେଗା ପ୍ରକଳ୍ପ ନିର୍ଦ୍ଦେଶକ (ପିଡି)ଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି।

ମନରେଗା ଅଧୀନରେ ଅର୍ଥ ଆତ୍ମସାତ୍ ଏକ ଗୁରୁତର ପ୍ରସଙ୍ଗ, କାରଣ ଏହି ଯୋଜନା ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ରୋଜଗାର ଓ ଜୀବିକା ସୁରକ୍ଷା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ। ଏହି ଘଟଣାରେ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନର ନିଷ୍କ୍ରିୟତା ଦର୍ଶାଉଛି ଯେ ସଂପୃକ୍ତ ବ୍ୟକ୍ତି କେତେ ପ୍ରଭାବଶାଳୀ ଯାହାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନର ହାତ କମ୍ପୁଛି।

Comments are closed.