Latest Odisha News

BREAKING NEWS

ସାହସିକତା ପାଇଁ ପାରାଦୀପର ମେଜର ପ୍ରଭଞ୍ଜନ ପାଢ଼ୀ ସେନା ମେଡାଲରେ ସମ୍ମାନିତ

ପାରାଦୀପ: ଦକ୍ଷିଣ କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସାହସିକତା ଓ ବୀରତ୍ୱ ପାଇଁ ପାରାଦୀପରେ ଜନ୍ମିତ ତଥା ରାଷ୍ଟ୍ରୀୟ ରାଇଫଲ୍ସର ଅଧିକାରୀ ମେଜର ପ୍ରଭଞ୍ଜନ ପାଢ଼ୀ (୩୦)ଙ୍କୁ ସେନା ପଦକ ପ୍ରଦାନ କରାଯାଇଛି। ସେନା ଦିବସ (ଜାନୁଆରୀ ୧୫)ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସେ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ।

ଦକ୍ଷିଣ କଶ୍ମୀରର ଏକ ଗାଁରେ ପାକିସ୍ତାନୀ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାର ନେତୃତ୍ୱ ନେଉଥିବା ମେଜର ପାଢ଼ୀଙ୍କୁ ସୂଚନା ମିଳିଥିଲା। ଗ୍ରେନେଡ୍, ମୋର୍ଟାର୍ ଓ ଗୁଳି ମାଡ଼ ହେବାର ଆଶଙ୍କା ସତ୍ତ୍ୱେ ସେ ତୁରନ୍ତ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିବା ସହ ଯେପରି କୌଣସି ସାଧାରଣ ନାଗରିକଙ୍କ ମୃତ୍ୟୁ ନହୁଏ ସେଥିପାଇଁ ସେ ଦୃଷ୍ଟାନ୍ତମୂଳକ ନେତୃତ୍ୱ ଏବଂ ରଣନୀତି କୌଶଳ ପ୍ରଦର୍ଶନ କରିଥିଲେ।

ପୁଅର ଏହି ସମ୍ମାନକୁ ନେଇ ବାପା ବସନ୍ତ ପାଢ଼ୀ ଗର୍ବ ଓ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ସେ (ପ୍ରଭଞ୍ଜନ) ସର୍ବଦା ସାହସୀ ଓ ଦେଶପ୍ରେମୀ। ସ୍ୱୟଂଚାଳିତ ରାଇଫଲରୁ ଆଖିବୁଜା ଗୁଳି ଚଳାଇଥିବା ଆତଙ୍କବାଦୀଙ୍କ ମୁକାବିଲା କରିବାକୁ ସେ ପଛଘୁଞ୍ଚା ଦେଇନଥିଲେ। ସେ ଅନେକ ନିରୀହ ନାଗରିକ ଏବଂ ତାଙ୍କ ସାଥୀ ସୈନିକଙ୍କ ଜୀବନ ବଞ୍ଚାଇଥିଲେ। ସେ ଆମକୁ ଓ ଦେଶକୁ ଗର୍ବିତ କରିଛନ୍ତି।

ସେନା ମେଡାଲ ହେଉଛି ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ, ଯାହା ଭାରତୀୟ ସେନାର ସମସ୍ତ ପଦବୀର ଯବାନମାନଙ୍କୁ ପ୍ରଦାନ କରାଯାଏ। “କର୍ତ୍ତବ୍ୟ ପ୍ରତି ଅସାଧାରଣ ନିଷ୍ଠା କିମ୍ବା ସାହସର ଏପରି ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଯାହା ସେନା ପାଇଁ ବିଶେଷ ମହତ୍ତ୍ୱ ରଖେ ।

Leave A Reply

Your email address will not be published.