Kharge’s claims: ‘ମୋତେ ଅଛୁଆଁ ଭଳି…’, ଖଡ଼ଗେଙ୍କ ଅଭିଯୋଗ ପରେ ବଢ଼ିଲା ବିବାଦ, ରାମଲୀଳା ମୈଦାନର ‘ଶୁଦ୍ଧିକରଣ ଯଜ୍ଞ’କୁ ନେଇ ରାଜନୀତି ତୀବ୍ର
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ରାଲି ପରେ ରାମଲୀଳା ମୈଦାନରେ ହୋଇଥିବା ‘ଶୁଦ୍ଧିକରଣ ଯଜ୍ଞ’କୁ ନେଇ ରାଜନୀତି ତୀବ୍ର ହୋଇଛି। ଏହି ଘଟଣାକୁ ନେଇ ଆଜି ସଂସଦର ଶେଷ ଦିନରେ ରାଜ୍ୟସଭାରେ ଖଡ଼ଗେ ତୀବ୍ର ଆପତ୍ତି ଉଠାଇଥିଲେ।
ଅଗଷ୍ଟ ୮ରେ ହଲଦ୍ୱାନୀର ରାମଲୀଳା ମୈଦାନରେ କଂଗ୍ରେସ ପକ୍ଷରୁ ‘ବିଜୟ ଶଙ୍ଖନାଦ ରାଲି’ ଆୟୋଜିତ ହୋଇଥିଲା। ଏଥିରେ ଖଡ଼ଗେଙ୍କ ସହ ଦଳର ଉତ୍ତରାଖଣ୍ଡ ପ୍ରଭାରୀ କୁମାରୀ ଶୈଳଜା ଓ ବିରୋଧୀ ଦଳ ନେତା ଯଶପାଲ ଆର୍ଯ୍ୟ ମଞ୍ଚରେ ଉପସ୍ଥିତ ଥିଲେ। ରାଲି ପରେ ଶ୍ରୀରାମ ସେନା ପକ୍ଷରୁ ମୈଦାନରେ ‘ଶୁଦ୍ଧିକରଣ ଯଜ୍ଞ’ କରାଯାଇଥିବା ଅଭିଯୋଗ ହୋଇଥିଲା।
ରାଜ୍ୟସଭାରେ ଖଡ଼ଗେ କହିଥିଲେ, ସେ କେବେ ନିଜର ଦଳିତ ପରିଚୟକୁ ରାଜନୈତିକ ପ୍ରସଙ୍ଗ କରିନାହାନ୍ତି। କିନ୍ତୁ ତାଙ୍କ ରାଲି ପରେ ମଞ୍ଚର ଶୁଦ୍ଧିକରଣ କରାଯିବା ତାଙ୍କୁ ଅତ୍ୟନ୍ତ ଅପମାନିତ କରିଛି। ଏହା ତାଙ୍କୁ ଅଛୁଆଁ ଭଳି ଅନୁଭବ କରାଇଥିବା ଖଡ଼ଗେ କହିବା ସହ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ଖଡ଼ଗେଙ୍କ ଅଭିଯୋଗ ପରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଘଟଣାକୁ ନିନ୍ଦା କରିଥିଲେ। ସେ କହିଥିଲେ, ଏହି ଘଟଣା ସହ ବିଜେପିର କୌଣସି ସମ୍ପର୍କ ନାହିଁ ଏବଂ ବିଜେପି ଏଭଳି କାର୍ଯ୍ୟକୁ ସମର୍ଥନ କରେ ନାହିଁ। ଘଟଣାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ରାଜ୍ୟସଭା ସଭାପତି ମଧ୍ୟ ଅସ୍ପୃଶ୍ୟତାକୁ କଡ଼ା ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର କଥା କହିଥିଲେ।
ଅନ୍ୟପଟେ, ଶ୍ରୀରାମ ସେନା ଧର୍ମାର୍ଥ ସେବା ନ୍ୟାସ ଏହି ଯଜ୍ଞକୁ ନେଇ ନିଜ ପକ୍ଷ ରଖିଛି। ଯଜ୍ଞର ଉଦ୍ଦେଶ୍ୟ କୌଣସି ଜାତି, ସମ୍ପ୍ରଦାୟ କିମ୍ବା ବ୍ୟକ୍ତିଙ୍କୁ ଅପମାନ କରିବା ନଥିଲା ବୋଲି ସଂଗଠନ କହିଛି। ଖଡ଼ଗେଙ୍କ ପୂର୍ବରୁ ଦିଆଯାଇଥିବା କିଛି ବୟାନକୁ ସନାତନ ବିରୋଧୀ ଭାବେ ଦେଖି ସେମାନେ ଧାର୍ମିକ ଆସ୍ଥା ଅନୁଯାୟୀ ଏହି ଯଜ୍ଞ କରିଥିବା ଦାବି କରିଛନ୍ତି।
ଘଟଣାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବା ବେଳେ ଏହା ଏବେ ସଂସଦରେ ମଧ୍ୟ ବଡ଼ ରାଜନୈତିକ ପ୍ରସଙ୍ଗ ପାଲଟିଛି।
