ଭୁବନେଶ୍ୱର: ହିନ୍ଦୁ ଧର୍ମରେ ପାଳନ ହେଉଥିବା ପ୍ରତ୍ୟେକ ଓଷା ବାର ପଛରେ କୌଣସି ନା କୌଣସି କାରଣ ଲୁଚି ରହିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ମକର ସଂକ୍ରାନ୍ତି ପଛର ପୌରାଣିକ କାରଣ…
ସୂର୍ଯ୍ୟ ଧନୁରାଶି ପରିତ୍ୟାଗ କରି ମକର ରାଶିକୁ ଗଲାବେଳେ ଘଟୁଥିବା ସଂକ୍ରମଣକୁ ମକର ସଂକ୍ରାନ୍ତି କୁହାଯାଏ ଏବଂ ଏହାକୁ ମଧ୍ୟ ଉତ୍ତରାୟଣ ସଂକ୍ରାନ୍ତି ବୋଲି କହିଥାନ୍ତି ।ଏହି ସମୟରେ ଦିନ ବଡ଼ ହୁଏ ଏବଂ ଏହି ସମୟରେ ପ୍ରାଣୀର ମୃତ୍ୟୁ ହେଲେ ଉତ୍ତରାୟଣର ଅଭିମାନୀ ଦେବତା ଜୀବକୁ ନେଇ ବ୍ରହ୍ମଙ୍କୁ ପ୍ରାପ୍ତ କରାଇ ଜୀବମୁକ୍ତିର ପଥ ପରିଷ୍କାର କରୁଥିବାରୁ ଏହି ସମୟର ପ୍ରାଧାନ୍ୟ ଅଧିକ ହୋଇଥାଏ ।
ଗୀତାରେ ଉଲ୍ଲେଖ ଅଛି, “ଅଗି୍ନର୍ଜ୍ୟୋତିରହଃ ଶୁକ୍ଳଃ ଷଣ୍ମାସା ଉତ୍ତରାୟଣମ୍ । ତତ୍ର ପ୍ରୟତା ଗଛନ୍ତି ବ୍ରହ୍ମବିଦୋ ଜନାଃ” ।
ଅର୍ଥାତ୍ ଯେଉଁ ମାର୍ଗରେ ଜ୍ୟୋତିର୍ମୟ ଅଗ୍ନି-ଅଭିମାନୀ ଦେବତା,ଦିନର ଅଭିମାନୀ ଦେବତା,ଶୁକ୍ଳପକ୍ଷର ଅଭିମାନୀ ଦେବତା ଓ ଉତ୍ତରାୟଣର ଛଅମାସର ଅଭିମାନୀ ଦେବତା ଅଛନ୍ତି,ମୃତ୍ୟୁପରେ ସେହି ମାର୍ଗରେ ଯାଇଥିବା ବ୍ରହ୍ମବେତ୍ତା ଯୋଗୀମାନେ ସେହି ଦେବତାମାନଙ୍କ ଦ୍ୱାରା କ୍ରମାନ୍ୱୟରେ ନିଆଯାଇ ବ୍ରହ୍ମଙ୍କୁ ପ୍ରାପ୍ତ ହୁଅନ୍ତି । ସେହି ସାଧକଗଣ ପୁନର୍ବାର ପୃଥିବୀକୁ ଫେରନ୍ତି ନାହିଁ ମାତ୍ର ଯେଉଁମାନଙ୍କର ମୃତ୍ୟୁ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଚଳନ ସମୟରେ ହୋଇଥାଏ ସେମାନେ ପୁଣି ଫେରି ଆସନ୍ତି ।
ଗୀତାରେ ଉଲ୍ଲେଖ ଅଛି,“ଧୂମୋ ରାତ୍ରିସ୍ତଥା କୃଷ୍ଣଃ ଷଣ୍ମାସା ଦକ୍ଷିଣାୟନମ୍ । ତତ୍ର ଚାନ୍ଦ୍ରମସଂ ଜ୍ୟୋତିର୍ଯୋଗୀ ପ୍ରାପ୍ୟ ନିବର୍ତ୍ତତେ” ।
ଅର୍ଥାତ୍ ଯେଉଁ ମାର୍ଗରେ ଧୂମାଭିମାନୀ ଦେବତା,ରାତ୍ରି-ଅଭିମାନୀ ଦେବତା,କୃଷ୍ଣପକ୍ଷର ଅଭିମାନୀ ଦେବତା ଏବଂ ଦକ୍ଷିଣାୟନର ଛଅମାସର ଅଭିମାନୀ ଦେବତା ଅଛନ୍ତି,ମୃତ୍ୟୁପରେ ସେହି ମାର୍ଗରେ ଯାଇଥିବା ସକାମ କର୍ମ କରିଥିବା ଯୋଗୀ ଉପରୋକ୍ତ ଦେବତାମାନଙ୍କ ଦ୍ୱାରା କ୍ରମଶଃ ଉଦ୍ଧ୍ୱର୍ଲୋକକୁ ନିଆଯାଇ,ଚନ୍ଦ୍ରମାଙ୍କ ଜ୍ୟୋତି ପ୍ରାପ୍ତ ହୋଇ,ସ୍ୱର୍ଗରେ ନିଜ ଶୁଭକର୍ମର ଫଳ ଭୋଗ କରିସାରି ଫେରି ଆସେ । ଜଗତର ଶୁକ୍ଳ ଓ କୃଷ୍ଣ-ଦୁଇ ମାର୍ଗକୁ ସନାତନ ବୋଲି ଗ୍ରହଣ କରା ଯାଉଥିବାରୁ,ଉତ୍ତରାୟଣୀ ସମୟରେ ପ୍ରାଣୀର ମୃତ୍ୟୁ ହେଲେ ତାକୁ ପୁର୍ନଜନ୍ମ ନେବାକୁ ପଡ଼ୁ ନଥିବା ବେଳେ ଦକ୍ଷିଣାୟନ ସମୟରେ ମୃତ୍ୟୁ ହେଲେ ଜୀବକୁ ଜନ୍ମ ନେବାକୁ ପଡ଼ିଥାଏ ବୋଲି ଗୀତାରେ ଉଲ୍ଲେଖ ଅଛି । ଏହି ସମୟରେ ପୃଥିବୀ ନିକଟକୁ ସୂର୍ଯ୍ୟ ଆସିଯିବାରୁ ସୂର୍ଯ୍ୟଙ୍କର ତାପ ପୃଥିବୀରେ ଅନୁଭୂତ ହୁଏ ।
ଏହି ବିଶେଷ ଦିନର ଏକ ପୌରାଣିକ କଥା ରହିଛି ଯାହା ପିତାମହ ଭୀଷ୍ମଙ୍କ ଜୀବନୀ ସହ ଜଡିତ। ପୁରାଣ ଅନୁସାରେ ପିତାମହ ଭୀଷ୍ମଙ୍କୁ ଇଛା ମୃତ୍ୟୁର ବର ମିଳିଥିଲା। ଯେଉଁ ସମୟରେ ସେ ଶରଶଯ୍ୟାରେ ଥିଲେ ସେହିସମୟରେ ସେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିକୁ ଅପେକ୍ଷା କରିଥିଲେ ଏବଂ ଏହିଦିନ ସେ ପ୍ରାଣତ୍ୟାଗ କରିଥିଲେ।
ଏହିଭଳି ଭାବରେ ତାଙ୍କର ଏହି ବିଶେଷ ଦିନରେ ମୋକ୍ଷ ପ୍ରାପ୍ତି ହୋଇଥିଲା ବୋଲି ଏହିଦିନକୁ ମକର ସଂକ୍ରାନ୍ତି ଭାବେ ପଳାନ କରାଯାଇଥାଏ।
Comments are closed.