Latest Odisha News

ପବିତ୍ର ମକର ସଂକ୍ରାନ୍ତି, ଚଳଚଞ୍ଚଳ ଜଗନ୍ନାଥ ଧାମ ରୁ ସିଂହନାଥ ପୀଠ

ଭୁବନେଶ୍ଵର: ଆଜି ମକର ସଂକ୍ରାନ୍ତି। ଇଷ୍ଟଦେବୀଙ୍କ ଠାରେ ଲାଗି ହେବା ପରେ ଘରେ ଘରେ ଲୋକ ମକର ଚାଉଳ ଖାଇବେ। ନୂତନ ବସ୍ତ୍ର ପିନ୍ଧି ଘରର ବୟୋଜ୍ୟେଷ୍ଠ ମାନଙ୍କୁ ମୁଣ୍ଡିଆ ମାରିବେ। ଏହାପରେ ଘରେ ପ୍ରସ୍ତୁତ ଭଳିକି ଭଳି ପିଠା ସହ ମିଠା ଖାଇବାର ପରମ୍ପରା ରହିଛି। ମକର ସଂକ୍ରାନ୍ତି ସମୟରେ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ। ତେଣୁ ସେଦିନ ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, କ୍ଷୀର, ଗୋଲମରିଚ ଆଦି ମିଶାଇ ମକର ଚାଉଳ ପ୍ରସ୍ତୁତ ହୋଇଥାଏ। ଏହି ମକର ଚାଉଳକୁ ସୂର୍ଯ୍ୟଙ୍କୁ ଅର୍ପଣକ କରାଯାଏ ଏବଂ ଠାକୁରଙ୍କ ପାଖରେ ଲାଗି ହେବା ପରେ ଏହାକୁ ସମସ୍ତେ ସେବନ କରିଥା’ନ୍ତି। ମକର ସଂକ୍ରାନ୍ତି ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମକରଯାତ୍ରାର ଆୟୋଜିତ ହୋଇଥାଏ।

ଭାରତର ସବୁ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ। ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ। ଆଜି ପୋଙ୍ଗଲର ଶେଷ ଦିନ ଥିବାରୁ ତେଲୁଗୁ ସଂପ୍ରଦାୟର ଭାଇ ଭଉଣୀ ଏହି ଦିନକୁ ଧୁମଧାମରେ ପାଳନ କରୁଛନ୍ତି। ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ ଗତି କରିଥାନ୍ତି । ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ଆଜିର ଦିନରେ ଗୁଡ଼ି ଉଡାଇବାର ମଧ୍ୟ ପରମ୍ପରା ରହିଛି। ତେବେ ସୁରକ୍ଷା ଦୃଷ୍ଟିରୁ ଗୁଡ଼ି ଉଡାଇବାବେଳେ ମାଞ୍ଝା ସୁତା କିମ୍ବା ଚାଇନିଜ୍ ସୂତା ବ୍ୟବହାର ନକରିବାକୁ ପୋଲିସ କଡ଼ା ଚେତାବନୀ ଦେଇଛି।

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ମକରସଂକ୍ରାନ୍ତି ପ୍ରମୁଖ ଯାତ୍ରା, ଏହି ଯାତ୍ରାରେ ମକରବେଶ ବା ମକରଚୌରାଶି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଚତୂର୍ଦ୍ଧାମୂର୍ତ୍ତି । ଶ୍ରୀଜିଉଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉମାନଙ୍କର ପଟା ପହରଣ ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ । ମଧ୍ୟାହ୍ନ ଧୂପ ପରେ ନଡିଆ, ଘିଅ, ମିଠା, ଦୁଧ, ସର, ଖୁଆ ଓ ଚାଉଳର ମିଶ୍ରଣରେ ପ୍ରସ୍ତୁତ ମକର ଭୋଗ ଶ୍ରୀଜିଉଙ୍କ ପାଖରେ ଲାଗି ହେବ।

ଏପଟେ ଚଳଚଞ୍ଚଳ ହୋଇଉଠିଛି ଖୋର୍ଦ୍ଧା ଅଟ୍ରିର ହଟକେଶ୍ବର ପୀଠ । ବିଶ୍ବାସ ରହିଛି ବନ୍ଧ୍ୟା ନାରୀ ମହାଦେବଙ୍କ ପାଖରେ ଗୁହାରି ପଡ଼ି ମାନସିକ କୁଣ୍ଡରେ ଗାଧୋଇ ଗୁଆ ପାଇଲେ ପୁତ୍ରସନ୍ତାନ ଲାଭ କରନ୍ତି । ପୀଠରେ ମକର ସଂକ୍ରାନ୍ତିଠାରୁ ମାଘ ସପ୍ତମୀ ପର୍ଯ୍ୟନ୍ତ ମେଳା ଚାଲିବ । ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲୋକମାନେ କିପରି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସେହିପରି ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମକର ସଂକ୍ରାନ୍ତି ଅବସରରେ ଜାନୁଆରୀ ୧୪ ଅର୍ଥାତ୍ ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଆଠଗଡସ୍ଥିତ ପ୍ରଭୁ ସିଂହନାଥ ପୀଠ ଠାରେ ମକର ମେଳା ଆୟୋଜନ କରାଯାଇଛି। ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସିଂହନାଥ ପୀଠକୁ ସଂଯୋଗ କରୁଥିବା ବୈଦେଶ୍ଵର-ବଡ଼ମ୍ବା, ଟି-ସେତୁ ଉପରେ ଯାନବାହନ ଯାତାୟାତ ନିମନ୍ତେ କଟକଣା ଜାରି କରିଛି ପ୍ରଶାସନ ।

Leave A Reply

Your email address will not be published.