Latest Odisha News

ମକର ସଂକ୍ରାନ୍ତିରେ ଘରେ ପ୍ରସ୍ତୁତ କରନ୍ତୁ ସୁସ୍ଵାଦୁ ମକର ଚାଉଳ

ଭୁବନେଶ୍ଵର: ମକର ସଂକ୍ରାନ୍ତି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହିପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ତେବେ ମକର ସଂକ୍ରାନ୍ତି ଅବସରରେ ପ୍ରତ୍ୟକ ଓଡିଆଙ୍କ ଘରେ ଏକ ପ୍ରସିଦ୍ଧ ଖାଦ୍ୟ ପ୍ରସ୍ତୁତ କରାଯାଏ । ଏହାକୁ ମକର ଚାଉଳ କୁହାଯାଏ । ଓଡିଆଙ୍କ ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମଧ୍ୟ ଏହାକୁ ଭୋଗ ସ୍ଵରୁପ ଲାଗି କରାଯାଏ । ମକର ଚାଉଳ ବିନା ମକର ସଂକ୍ରାନ୍ତି ଅଧୁରା । ମାର୍ଗଶୀର ମାସ ପରେ, ଯେଉଁ ନୂଆ ଧାନ ବିଲରୁ ଅମଳ ହୋଇ ଆସିଥାଏ, ସେହି ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ନୂଆ ଆଖୁରୁ ପ୍ରସ୍ତୁତ ନୂଆ ଗୁଡ ଓ ବିଭିନ୍ନ ପ୍ରକାର ଫଳ ପାକାଯାଇ ତିଆରି ହୁଏ ମକର ଚାଉଳ । ଏହି ମକର ଚାଉଲ ଶ୍ରୀମନ୍ଦିରରେ ଓ ପ୍ରତ୍ୟେକ ଘରେ ଠାକୁରଙ୍କୁ ଭୋଗ ଲଗାଯାଏ । ତେବେ ଆସନ୍ତୁ ଜାଣିବା କିପରି ତିଆରି ହୁଏ ମକର ଚାଉଳ,

ଆବଶ୍ୟକୀୟ ସାମଗ୍ରୀ:

  1. ନୂଆ ଅରୁଆ ଚାଉଳ –୧ କପ୍‌
  2. କ୍ଷୀର – ଅଧ କପ୍‌
  3. ନଡ଼ିଆ କୋରା – ଅଧ କପ୍‌
  4. କଦଳୀ – ୩ଟି
  5. କିଛି ଫଳ (ସେଓ, କମଳା, ଅଙ୍ଗୁର, ଡାଳିମ୍ବ -୧ଟି
  6. ଚିନି/ଗୁଡ଼ – ୪ ଚାମଚ
  7. ଛେନା – ଗୋଟେ କପ୍‌
  8. ଗୁଜୁରାତି ଗୁଣ୍ଡ– ୧ ଚାମଚ
  9. ଗୋଲମରିଚ ଗୁଣ୍ଡ – ୧ ଚାମଚ

ପ୍ରଣାଳୀ

ମକର ଚାଉଳ ପ୍ରସ୍ତୁତ କରିବା ପାଇଁ ହେଲେ ପୂର୍ବ ରାତିରୁ ଅରୁଆ ଚାଉଳ ପାଣିରେ ବତୁରାଇ ରଖନ୍ତୁ । ପରଦିନ ଏହାକୁ ଗୁଣ୍ତ କରି ଭଲ ଭାବରେ ଶୁଖାଇ ନିଅନ୍ତୁ । ଏହା ପରେ ଏକ ଶୁଖିଲା ପାତ୍ରରେ ଅରୁଆ ଚାଉଳ, କ୍ଷୀର, କୋରା ନିଡ଼ିଆ, ଚିନି କିମ୍ବା ଗୁଡ଼, ଗୋଲ ମରିଚ ଗୁଣ୍ତ, ଗୁଜୁରାତି ଗୁଣ୍ଡ, ଛେନା, ଅଦା ପକାଇ ଭଲ ସେ ମିଶାଇ ଦିଅନ୍ତୁ । ଏହା ପରେ ଆପଣ ଏହି ମିଶ୍ରଣରେ ପାଚିଲା କଦଳୀ କାଟିକି ପକାଇ ପାରିବେ ନଚେତ୍ ଚକଟି ମଧ୍ୟ ପାରିବେ । ସେହିପରି ଆପଣଙ୍କ ମନ ପସନ୍ଦର ଫଳ ଯେପରି ସେଓ, କମଳା, ଅଙ୍ଗୁର, ଆଦି ପକାଇ ପାରିବେ । ଶେଷରେ ପ୍ରସ୍ତୁତ ମକର ଚାଉଳରେ ଡାଳିମ୍ବ ପକାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଓଡ଼ିଶାର ସ୍ପେଶାଲ ମକର ଚାଉଳ।

 

Leave A Reply

Your email address will not be published.