ଭୁବନେଶ୍ୱର:ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଚମକିବ ସୁନ୍ଦରଗଡ଼ର କାହ୍ନାକୁଣ୍ଡ । ଇବ୍ ନଦୀର ପଥର ଶଯ୍ୟା ଏତେ ସୁନ୍ଦର ହୋଇପାରେ, ତାହା ଆଖିରେ ନ ଦେଖିଲେ ବିଶ୍ବାସ କରି ହେବନି । ଜଣେ ପର୍ଯ୍ୟଟକ କାହ୍ନାକୁଣ୍ଡର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାକୁ ରିପୋଷ୍ଟ କରି ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା । ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ କାହ୍ନାକୁଣ୍ଡ ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ।
ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ… କଳାଧଳାମିଶା ମୁଗୁନି ପଥର ଛାତିରେ ବହି ଯାଉଛି ଖରସ୍ରୋତା ନଈ । ପଥର ଭିତରେ ଛୋଟବଡ଼ ଖୋଲ ଖୁନ୍ଦାଖୁନ୍ଦି ହୋଇ ରହିଛି.. ଆଉ ତା ଭିତରେ ଜିକଜାକ୍ ଭଳି ବହି ଯାଉଛି ନୀଳ ରଂଗର ଜଳସ୍ରୋତ । ଅଷ୍ଚ୍ରେଲିଆ, ନ୍ୟୁଜିଲାଣ୍ଡର ଦୀପାଞ୍ଚଳ ଭଳି ଦିଶୁଥିବା ଏହି ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ରହିଛି ଆମ ଓଡ଼ିଶାରେ। ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକରେ ରହିଛି କାହ୍ନାକୁଣ୍ଡ । ଜିଲ୍ଲା ସଦର ମହକୁମାଠାରୁ ୫୦ କିଲୋମିଟର ଦୂର ଘୋଘର ଗାଁ ପାଖରେ ବହି ଯାଉଥିବା ଇବ୍ ନଦୀ ମଝିରେ ରହିଛି ଏହି ସ୍ଥାନ … ସ୍ଥାନୀୟ ଲୋକେ ଏହାକୁ କନାକୁଣ୍ଡ କହୁଥିବା ବେଳେ ପର୍ଯ୍ୟଟନ ବିଭାଗ ଏହାର ନାମ ରଖିଛି କାହ୍ନାକୁଣ୍ଡ.. ପ୍ରକୃତରେ ଏହା ହେଉଛି ଇବ୍ ନଦୀର ପଥରଶଯ୍ୟା…
ଇବ୍ ନଦୀର ପଥରଶଯ୍ୟାରେ କାହ୍ନାକୁଣ୍ଡ ଭଳି ଭୀମକୁଣ୍ଡ, ଭୀମପାଦ, ସାତବଖରା ପରି ଅନେକ ସୌନ୍ଦର୍ଯ୍ୟଭରା ସ୍ଥାନ ରହିଛି । ଏସବୁ ସ୍ଥାନ ସୁନ୍ଦର ସତ କିନ୍ତୁ ଏଠାରେ ବିପଦ ଆଶଙ୍କା ଅଧିକ । କାରଣ ପଥର ଶଯ୍ୟାରେ ଅଣଓସାରିଆ ଭାବେ ଅଙ୍କାବଙ୍କା ଗତିରେ ନଦୀର ଧାର ପ୍ରବାହିତ ହେଉଛି । ଯେଉଁଠି ପାଦ ଖସିବାର ଯଥେଷ୍ଟ ଆଶଙ୍କା ରହିଛି । ଆଉ ପାଦ ଖସିଲେ ଜୀବନ ପ୍ରତି ବଡ଼ ବିପଦ ମଧ୍ୟ ରହିଛି । ତେଣୁ ପର୍ଯ୍ୟଟକମାନେ ଏହି ସ୍ଥାନକୁ ସୁରକ୍ଷିତ ଭାବେ କିଭଳି ଦେଖି ପାରିବେ, ସେଥିପାଇଁ ପର୍ଯ୍ୟଟନ ବିଭାଗ ଧ୍ୟାନ ଦେଇ ଟୁର୍ ଗାଇଡ୍ ନିଯୁକ୍ତି ଦେଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି
Comments are closed.