ଦୁବାଇ: ଆଇସିସି ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମାର୍ଚ୍ଚ ୪ରେ ଦୁବାଇରେ ଖେଳାଯିବ । ଏଥିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ତାର ସମସ୍ତ ମ୍ୟାଚ ପାକିସ୍ତାନ ବଦଳରେ ଦୁବାଇରେ ଖେଳୁଛି । ଇତି ମଧ୍ୟରେ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳୁଥିବାରୁ ଫାଇଦାରେ ରହୁଛି ବୋଲି ଅଭିଯୋଗ ଆସିଛି । ସୋମବାର ପ୍ରେସ କନଫେରେନ୍ସରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏହି ପ୍ରଶ୍ନ ଶୁଣି ରାଗି ଯାଇଥିଲେ । ସେ କହିଥିଲେ ଦୁବାଇ ଆମ ଘର ନୁହେଁ । ଏଠାରେ ଆମେ ବହୁତ କମ ମ୍ୟାଚ ଖେଳିଛୁ । ପ୍ରତ୍ୟେକ ମ୍ୟାଚରେ ପିଚ ବଦଳାଯାଇଛି । ଏବେ ବି ଏହା ଆମ ପାଇଁ ନୂଆ ବୋଲି ସେ କହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବଲ ସୁଇଂ କରୁଥିଲା । ପ୍ରଥମ ୨ଟି ମ୍ୟାଚରେ ଏ ଭଳି ଦେଖିବାକୁ ମିଳି ନ ଥିଲା ।
ପିଚ ଅନୁସାରେ ରଣନୀତି ପ୍ରସ୍ତୁତ କରିବା ସହ ଭଲ ପ୍ରଦର୍ଶନ କଲେ ଆମେ ଜିତିପାରିବୁ ବୋଲି ସେ କହିଛନ୍ତି । ଅଷ୍ଟ୍ରେଲିଆ ଏକ ଭଲ ଟିମ ହୋଇଥିବାରୁ ଆମକୁ ସମସ୍ତ ବିଭାଗରେ ଶୃଙ୍ଖଳିତ ପ୍ରଦର୍ଶନ କରିବାକୁ ପଡିବ ବୋଲି ରୋହିତ କହିଛନ୍ତି । ଭାରତ ଆଇସିସି ନକଆଉଟ ମୁକାବିଲାରେ ୨୦୧୧ ବିଶ୍ୱକପ ପରଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ହାସଲ କରିପାରି ନାହିଁ । ଏହି ମ୍ୟାଚକୁ ଜିତି ଟିମ ଇଣ୍ଡିଆ ପରୋକ୍ଷରେ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ ପରାଜୟର ମଧୂର ପ୍ରତିଶୋଧ ନେବ ବୋଲି ଆଶା କରାଯାଉଛି ।
Comments are closed.