ଭୁବନେଶ୍ବର: ପଶୁ ଡାକ୍ତରମାନଙ୍କ ଅକ୍ଲାନ୍ତ ଚେଷ୍ଟା ପରେ ଚନ୍ଦକା ଜଙ୍ଗଲରେ ଆଖି ବୁଜିଲା ମାକେନା ହାତୀ । ପ୍ରାଥମିକ ତଦନ୍ତରୁ ଜଣାପଡିଛି, ହାତୀର ପାଟିରେ ଘା’ ହୋଇଥିଲା । ସଂକ୍ରମଣରୁ ସେପ୍ଟିସିମିଆ ହୋଇଥିଲା । ସେପ୍ଟିସିମିଆରେ ମାକେନା ହାତୀର ମୃତ୍ୟୁ ଘଟିଥିବା ଡିଏଫଓ କହିଛନ୍ତି ।
ଶୁକ୍ରବାର ଭୋର ସମୟରେ ମାକେନା ଅସୁସ୍ଥତା କାରଣରୁ ଚୁଡଙ୍ଗଗଡ଼ପାଖ ଜଙ୍ଗଲରେ ପଡିଯାଇଥିଲା । ନନ୍ଦନକାନନର ଏକ ଡାକ୍ତରୀ ଦଳ ମାକେନାର ଚିକିତ୍ସା କରୁଥିଲେ । ସେପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, ହାତୀର ମୃତ୍ୟୁ ମଣିଷକୃତ୍ୟ ହୋଇଥିଲେ ତଦନ୍ତ ହୋଇ ଆକ୍ସନ ନିଆଯିବ ।
ହାତୀ ମୃତ୍ୟୁର କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ଲାଗି ଓୟୁଏଟି ପ୍ରାଣୀ ଚିକିତ୍ସା ବିଭାଗର ସହାୟତା ଲୋଡା ଯାଇଥିଲା । ଓୟୁଏଟିର ଡାକ୍ତରୀ ଦଳ ଆସି ଶବ ବ୍ୟବଚ୍ଛେଦ କରିଥିଲେ। ପାଖାପାଖି ୪ ଘଣ୍ଟା ଧରି ଚାଲିଥିଲା ଶବ ବ୍ୟବଚ୍ଛେଦ ।
ହାତୀଟିର ବିଭିନ୍ନ ଅଙ୍ଗର ଭିସେରା ସଂଗ୍ରହ କରାଯାଇଛି । ସପ୍ତାହେ ଭିତରେ ଚୂଡ଼ାନ୍ତ ରିପୋର୍ଟ ଆସିବ ।
ସୂଚନାଥାଉକି, ଶୁକ୍ରବାର ସକାଳେ ଚନ୍ଦକା ଜଙ୍ଗଲର ୨୨ ବର୍ଷୀୟ ମାକେନା ହାତୀଟି ଗୁରୁତର ହୋଇ ପଡିରହି ଥିବା ସ୍ଥାନୀୟ ଲୋକ ଦେଇବାକୁ ପାଇଥିଲେ। ଚନ୍ଦକା ବନାଞ୍ଚଳ ଅଧିକାରୀ (ରେଞ୍ଜର) ଉତ୍ତମ ସାହୁଙ୍କୁ ସୂଚ଼ନା ଦେଇଥିଲେ। ବନାଞ୍ଚଳ କର୍ମଚାରୀମାନେ ଆସି ଅନୁଧ୍ୟାନ କରିବା ପରେ ଓୟୁଏଟି ଓ ନନ୍ଦନକାନନ ଚିକିତ୍ସା ବିଭାଗର ସାହାୟତା ଲୋଡା ଯାଇଥିଲା। ହାତୀଟିକୁ ସାଲାଇନ୍ ଏବଂ ମେଡିସିନ୍ ଦିଆଯାଇଥିଲା । ଏହା ପରେ ସାମାନ୍ୟ ସୁସ୍ଥ ହୋଇ ଚଲାବୁଲା କରିଥିଲା ହାତୀଟି । କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଅସୁସ୍ଥ ହୋଇପଡ଼ିଥିଲା । ଶୁକ୍ରବାର ରାତିରେ ହାତୀଟିର ମୃତ୍ୟୁ ଘଟିଛି ।
Comments are closed.