Latest Odisha News

ଦିନେ ଥିଲି ଲେଡି ସିଙ୍ଘମ ଏବେ ବିଜେପି ଏଜେଣ୍ଟ; ସ୍ୱାତି

ମୋ ନାଁରେ ମିଛ କହୁଥିବା ସବୁ ଆପ୍ ମନ୍ତ୍ରୀଙ୍କୁ କୋର୍ଟକୁ ଟାଣିବି

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି ନେତାଙ୍କ ଉପରେ ବର୍ଷିଛନ୍ତି ଆପ୍ ରାଜ୍ୟସଭା ସଦସ୍ୟ ସ୍ୱାତି ମାଲିୱାଲ୍ । ନିଜର ସୋସିଆଲ୍ ମିଡିଆ ପୋଷ୍ଟ ଦ୍ବାରା କ୍ଷୋଭ ପ୍ରକାଶ କରିଛନ୍ତି ଆପ୍ ନେତା ସ୍ୱାତି । ଯେଉଁଥିରେ ସେ ଲେଖିଛନ୍ତି, ବିଭବ କୁମାରଙ୍କ ନାଁରେ ଏତଲା ଦେବା ପରେ, ଦଳରେ ମୋ ଆଖ୍ୟା ବଦଳି ଯାଇଛି । ‘ଏଫଆଇଆର୍ ଦେବା ପୂର୍ବରୁ ଥିଲି ଲେଡି ସିଙ୍ଘମ ଆଉ ଏବେ ବିଜେପି ଏଜେଣ୍ଟ ହୋଇଯାଇଛି ।’ କେବଳ ସେତିକି ନୁହେଁ , ତାଙ୍କ ନାଁରେ ସବୁ ମିଥ୍ୟା ଅଭିଯୋଗ ଲଗେଇବା ପାଇଁ ଆପ୍ ମନ୍ତ୍ରୀଙ୍କୁ କୋର୍ଟ୍ ଟାଣିବେ ବୋଲି ଧମକ ଦେଇଛନ୍ତି ସ୍ୱାତି ।

ସ୍ୱାତି ମାଲିୱାଲଙ୍କ ବିରୋଧରେ ଦିଆଯାଇଥିବା ଆପର ଏଫଆଇଆର୍ କୁ ନେଇ, ସେ ସୋସିଆଲ୍ ମିଡିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି, “ଆପ୍ ମନ୍ତ୍ରୀମାନେ ମୋ ନାଁରେ ମିଥ୍ୟା ପ୍ରଚାର କରୁଛନ୍ତି ଯେ ଦୁର୍ନୀତି ପାଇଁ ମୁ୍ଁ ଏଫ୍ଆଇଆର୍ ଦାଖଲ କରିଛି। ମୁଁ ବିଜେପିର ନିର୍ଦ୍ଦେଶରେ ଏହି ସବୁ କରିଛି” । ସ୍ୱାତି କହିଛନ୍ତି ଯେ ଏହି ଏଫ୍ଆଇଆର୍ ୮ ବର୍ଷ ପୂର୍ବେ ୨୦୧୬ ରେ ଦାଖଲ କରାଯାଇଥିଲା । ପରେ ମୁଖ୍ୟମନ୍ତ୍ରୀ ଏବଂ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନିଜେ ମୋତେ ଆଉ ଦୁଇଥର ମହିଳା ଆୟୋଗର ଚେୟାରମ୍ୟାନ୍ ଭାବ ନିଯୁକ୍ତ କରିଥିଲେ। ଏହି ମାମଲା ଉପରେ ହାଇକୋର୍ଟ ମଧ୍ୟ ଦେଢ ବର୍ଷ ସମୟ ନେଇଛନ୍ତି ଯେହେତୁ ଏ ମାମଲା ସମ୍ପୂର୍ଣ୍ଣ ନକଲି ।

ସ୍ୱାତି କହିଛନ୍ତି  ଯେ ସେ ସତ କହିଥିବାରୁ ସମଗ୍ର ଟ୍ରୋଲ୍ ଆର୍ମି ତାଙ୍କ ବିରୁଦ୍ଧରେ ନିୟୋଜିତ ହୋଇଛି। ପାର୍ଟିର ସମସ୍ତଙ୍କୁ ଫୋନ୍ କରାଯାଇ ସ୍ୱାତିଙ୍କ ବ୍ୟକ୍ତିଗତ ଭିଡିଓ ଯଦି ଥାଏ ତାକୁ ପଠାଇବାକୁ କୁହାଯାଇଛି ।  ସ୍ୱାତି ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଆପର ନେତାମାନେ ତାଙ୍କ ସମ୍ପର୍କୀୟଙ୍କ ଗାଡି ନମ୍ବରର ସବିଶେଷ ତଥ୍ୟ ଟୁଇଟ୍ କରି,ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି |

ଶନିବାର ଦିନ ଆପ୍ ନେତା ଅଟିଶୀ ଦାବି କରିଛନ୍ତି ଯେ ମାଲିୱାଲ ଏକ ବେଆଇନ ନିଯୁକ୍ତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଷଡଯନ୍ତ୍ରର ଏକ ଅଂଶ ହେବାକୁ ବିଜେପି ବ୍ଲାକମେଲ କରିଛି। ଦିଲ୍ଲୀର ଅନେକ ମନ୍ତ୍ରୀ ମଧ୍ୟ ଏହି ସମାନ ଦାବି କରିଛନ୍ତି। ଏହାର ଉତ୍ତରରେ ସ୍ୱାତି କହିଛନ୍ତି, “ମୋ ନାଁରେ ମିଥ୍ୟା ପ୍ରଚାର ପାଇଁ, ମୁଁ ସବୁ ଆପ୍ ମନ୍ତ୍ରୀମାନଙ୍କୁ କୋର୍ଟ ନେବି ” ।

ସୂଚନାଯୋଗ୍ୟ, ନିକଟରେ ସ୍ୱାତୀ ମାଲିୱାଲ, ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକ ବିଭବ କୁମାରଙ୍କ ନାଁରେ ଏଫ୍ଆଇଆର୍ ଦେଇଥିଲେ । ମେ ୧୩ ତାରିଖରେ ବିଭବ କୁମାର  ସିଏମଙ୍କ ବାସଭବନରେ, ସ୍ବାତିଙ୍କ ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ ସ୍ବାତି । ଏହାପରେ ଦିଲ୍ଲୀ ପୋଲିସ ବିଭବଙ୍କୁ ଗିରଫ କରିଥିଲେ ।

Leave A Reply

Your email address will not be published.