ମାଲକାନଗିରି: ପୁଣି କୋର୍ଟକୁ ମିଳିଲା ବୋମା ଧମକ । ମାଲକାନଗିରି ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ବୋମା ଥିବା ନେଇ ଏକ ଧମକପୂର୍ଣ୍ଣ ମେଲ୍ ଆସିଛି । ଏହି ଖବର ସାମ୍ନାକୁ ଆସିବା ପରେ ସାରା କୋର୍ଟ ପରିସରରେ ଭୟର ବାତ୍ତାବରଣ ଦେଖିବାକୁ ମିଳିଥିଲା । କୋର୍ଟ ବିଚାରପତି, କର୍ମଚାରୀ, ଓକିଲଠୁ ଆରମ୍ଭ କରି କୋର୍ଟ ପରିସରରେ ଥିବା ସାଧାରଣ ଲୋକ ମଧ୍ୟ ଭୟଭୀତ ହୋଇଯାଇଥିଲେ ।
ଭୟରେ ସମସ୍ତେ କୋର୍ଟ ବାହାରକୁ ଦୌଡିଥିଲେ । ଏ ନେଇ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ତୁରନ୍ତ କୋର୍ଟ ପରିସରରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା । ବିଏସଏଫ ବାହିନୀର ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ହେଲେ କୌଣସି ବମ୍ ନଥିବା ଅପରେସନରୁ ଜଣାପଡିଛି ।
ତେବେ ଏଭଳି ଧମକପୂର୍ଣ୍ଣ ମେଲ୍ କେଉଁଠୁ ଆସିଛି, କିଏ ପଠାଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏନେଇ ଅଧିକ ତଦନ୍ତ ଜାରି ରହିଛି ।