ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଓ୍ବାକଫ୍ ଜମି ନେଇ ବିଜେପିର ଲଗାଇଥିବା ଆରୋପ ଉପରେ ଭଡକିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ସାଂସଦ ଅନୁରାଗ ଠାକୁରଙ୍କ, କଂଗ୍ରେସ ୱାକଫ ଜମି ଦଖଲ କରିଥିବା ଅଭିଯୋଗକୁ ଖଣ୍ଡନ କରି, ସେ କେବେ ବି ଏଭଳି ଆରୋପରେ ପଛଘୁୟ୍ଚା ଦେବେ ନାହିଁ ବୋଲି ସିଧା ସିଧା କହିଛନ୍ତି । ଏଥିସହିତ ଅନୁରାଗ ଠାକୁରଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି ।
ଏନେଇ ଖଡଗେ କହିଛନ୍ତି, ବିଜେପି ଲୋକମାନେ ଯେଉଁ ଅଭିଯୋଗ କରୁଛନ୍ତି ଯେ, ମୋ ପାଖରେ ଓ୍ବାକଫ୍ ଜମି ରହିଛି, ତାହା ପ୍ରମାଣ କରିବା ଉଚିତ । ଅନୁରାଗ ଲଗାଇଥିବା ଆରୋପ ପ୍ରମାଣ କରନ୍ତୁ । ଯଦି ଅନୁରାଗ ଠାକୁର ତାଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗକୁ ପ୍ରମାଣ କରିପାରୁନାହାଁନ୍ତି, ତେବେ ସେ ଇସ୍ତଫା ଦିଅନ୍ତୁ ଏବଂ ଯଦି ମୋ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହୁଏ ତେବେ ମୁଁ ଇସ୍ତଫା ଦେବି ବୋଲି ସେ ଦୃଢୋକ୍ତି କରିଛନ୍ତି । ଅନୁରାଗ ଠାକୁର ଲୋକସଭାରେ ଯାହା କହିଛନ୍ତି, ତାହା ଭୁଲ, ସେ କ୍ଷମା ମାଗିବା ଉଚିତ୍। ମୋର ୱାକଫ୍ ସ୍ପେସ୍ ମଧ୍ୟ ନାହିଁ । ଏମିତି କରି ବିଜେପି ଲୋକମାନେ ମୋତେ ଭୟଭୀତ କରିବାକୁ ଚାହାଁନ୍ତି, ମୁଁ ଆଦୌ ଦବିବି ନାହିଁ, ମୁଁ କାହାଠାରୁ ଇଞ୍ଚ ମଧ୍ୟ ନେଇ ନାହିଁ, ଏଭଳି ଆରୋପ ଦ୍ବାରା ମୋର ଭାବନା ଆଘାତ ପାଇଛି ।
ଏଥିସହିତ ଖଡଗେ ଏନେଇ ଏଭଳି ଆରୋପ ନେଇ ଦୁଃଖ ପ୍ରକାଶ କରି କହିଛନ୍ତି, ମୁଁ ଜଣେ ଶ୍ରମିକଙ୍କ ପୁଅ । ବହୁ କଷ୍ଟରେ ଉପରକୁ ଉଠିଛି । ମୋ ଜୀବନ ସର୍ବଦା ଏକ ଖୋଲା ପୁସ୍ତକ, ସଂଘର୍ଷ ଏବଂ ଯୁଦ୍ଧରେ ପରିପୂର୍ଣ୍ଣ । ହେଲେ ମୁଁ ସର୍ବଦା ସର୍ବସାଧାରଣ ଜୀବନର ସର୍ବୋଚ୍ଚ ମୂଲ୍ୟବୋଧକୁ ସମର୍ଥନ କରି ଆସିଛି । ରାଜନୀତିରେ ପ୍ରାୟ ୬୦ ବର୍ଷ ଉତ୍ସର୍ଗ କରିବା ପରେ, ଏଭଳି ଅଭିଯୋଗ ପାଇଁ ମୁଁ ଯୋଗ୍ୟ ନୁହେଁ ବୋଲି ଆଜି ରାଜ୍ୟସଭାରେ ନିଜର ମତ ରଖିଥିଲେ ଖଡଗେ ।
ତେବେ କହିରଖୁଛୁ, ଗତକାଲି ଓ୍ବାକଫ୍ ଆମେଣ୍ଡମେଣ୍ଟ ବିଲ ଗୃହୀତ ହେବା ବେଳେ, ନିଜର ପକ୍ଷରେ କଂଗ୍ରେସ ଉପରେ ଜୋରଦାର ବର୍ଷିଥିଲେ, ବିଜେପି ସାଂସଦ ଅନୁରାଗ ଠାକୁର । କହିଥିଲେ, ଭାରତ ୱାକଫଙ୍କ ଭୟରୁ ମୁକ୍ତ ହେବା ଆବଶ୍ୟକ । କାରଣ କଂଗ୍ରେସ ଶାସନ କାଳରେ ପ୍ରସ୍ତୁତ ୱାକଫ ଆଇନର ଅର୍ଥ ହେଉଛି, ଯଦି ଖାତା ବଜାୟ ନହୁଏ, ତେବେ ୱାକଫ ଯାହା କହିବ ତାହା ଠିକ । ୱାକଫ ବୋର୍ଡର ଉଦ୍ଦେଶ୍ୟ ହେଉଛି ମୁସଲମାନ ସମ୍ପ୍ରଦାୟର କଲ୍ୟାଣ ପାଇଁ ସମ୍ପତ୍ତି ପରିଚାଳନା କରିବା, କିନ୍ତୁ କଂଗ୍ରେସ ଏବଂ ଏହାର ସହଯୋଗୀମାନେ ଏହାକୁ ରାଜନୈତିକ ପୃଷ୍ଠପୋଷକତା ଦେବାବେଳେ, ଭୋଟ୍ ବ୍ୟାଙ୍କ ଏଟିଏମରେ ପରିଣତ କରିଥିଲେ । ଏଥିସହିତ ୱାକଫ ବିଲ୍ ଉପରେ କଥାବାର୍ତ୍ତା ବେଳେ ଅନୁରାଗ ଠାକୁର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ନେଇ କହିଥିଲେ, କର୍ଣ୍ଣାଟକରେ ଘଟିଥିବା ୱାକଫ ସ୍କାମରେ କଂଗ୍ରେସ ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଜଙ୍କ ମଧ୍ୟ ହାତ ରହିଛି । ତାଙ୍କ ପାଖରେ ଓ୍ପାକଫ୍ ଜମି ରହିଛି । ଜାତି ଓ ଧର୍ମ ନାମରେ ଲୋକଙ୍କୁ ବିଭାଜନ କରିବା କାମ କରେ କଂଗ୍ରେସ । କର୍ଣ୍ଣାଟକ ବିଧାନସଭା ରିପୋର୍ଟରେ କେବଳ ଜଣେ ନୁହେଁ କଂଗ୍ରେସର ଅନେକ ନେତାଙ୍କ ନାମ ଉଭା ହୋଇଛି ଯେଉଁମାନେ ୱାକଫ ସମ୍ପତ୍ତି ଲୁଟି ନେଇଛନ୍ତି ଏବଂ ସ୍କାମ କରିଛନ୍ତି । ତେଣୁ ଏଥିରେ ସ୍ବଚ୍ଛତା ଆଣିବା ପାଇଁ ଏହାର ସଂଶୋଧନ ଆବଶ୍ୟକ ବୋଲି ଯୁକ୍ତି ବାଢିଥିଲେ ଅନୁରାଗ ।
Comments are closed.