Latest Odisha News

BREAKING NEWS

ଗୃହ ମନ୍ତ୍ରାଳୟର ସମନ, ହେଲେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଦିଲ୍ଲୀ ପଠାଇବେ ନାହିଁ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ମମତା ସରକାର ଓ କେନ୍ଦ୍ର ମଧ୍ୟରେ ପୁଣି ଥରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ ଦଳୀୟ ନେତାଙ୍କୁ ଆକ୍ରମଣ ଘଟଣାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ସମନ କରିଛି । ଆସନ୍ତା ୧୪ ତାରିଖରେ ନୂଆଦିଲ୍ଲୀରେ ହାଜର ହେବା ପାଇଁ କୁହାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟର ସମନ ଉପରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଦିଲ୍ଲୀ ନପଠାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କୁ ଚିଠି ଲେଖିଛନ୍ତି । ୧୪ ତାରିଖ ବୈଠକରେ ରାଜ୍ୟ ଅଧିକାରୀ ଉପସ୍ଥିତ ନରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି । ଚିଠିରେ କୁହାଯାଇଛି ଯେ, ନଡ୍ଡାଙ୍କ ଶୋଭାଯାତ୍ରା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିଲା । ନଡ୍ଡାଙ୍କୁ ଜେଡ୍ ସୁରକ୍ଷା ଦିଆଯାଇଥିଲା । ଏହି ଘଟଣାକୁ ରାଜ୍ୟ ପୋଲିସ ଗୁରୁତର ସହ ନେଇଛି ।

ଜେପି ନଡ୍ଡାଙ୍କ ଶୋଭାଯାତ୍ରା ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ରିପୋର୍ଟ ଦେବାକୁ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ରିପୋର୍ଟ ମଗାଯାଇଥିଲା । ଘଟଣା ନେଇ ରାଜ୍ୟପାଳ କେନ୍ଦ୍ରକୁ ରିପୋର୍ଟ ପଠାଇଛନ୍ତି ।

Comments are closed.