Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ ଆଦେଶକୁ ନାହିଁ ଦିଦିଙ୍କ ଖାତିର୍: କହିଲେ, ‘ଯୋଗ୍ୟ ପ୍ରାର୍ଥୀଙ୍କ ପ୍ରତି ଅନ୍ୟାୟ’

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଆଜି ବହିଷ୍କୃତ ବଙ୍ଗୀୟ ଶିକ୍ଷକମାନଙ୍କ ସମର୍ଥନରେ ବାହାରିଛନ୍ତି । ସୁପ୍ରିମକୋର୍ଟ ୨୫ ହଜାରରୁ ଅଧିକ ନିଯୁକ୍ତି ପାଇଥିବା ଶିକ୍ଷକ ଏବଂ ଅଣଶିକ୍ଷକ ନିଯୁକ୍ତିକୁ ବାତିଲ କରିବା ପରେ ଆଜି କିଛି ଏପରି କହିଛନ୍ତି ମମତା ଦିଦି ।  କୋଲକାତାର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ବହିଷ୍କୃତ ଶିକ୍ଷକଙ୍କ ଏକ ଗୋଷ୍ଠୀକୁ ଭେଟି ସେମାନଙ୍କୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏନେଇ ମମତା କହିଛନ୍ତି, ଯୋଗ୍ୟ ପ୍ରାର୍ଥୀମାନେ ବେକାର ରହିବେ ନାହିଁ । ଦୟାକରି ଏପରି ଭାବନ୍ତୁ ନାହିଁ ଯେ, ଆମେ ଏହାକୁ(ସୁପ୍ରିମକୋର୍ଟଙ୍କ ଆଦେଶ) ଗ୍ରହଣ କରିଛୁ । ଆମ ହୃଦୟ ପଥର ନୁହେଁ,  ଉଚ୍ଚ ଅଦାଲତ ନିଷ୍ପତ୍ତି ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଅନ୍ୟାୟ ।ଏହା କହିବା ପାଇଁ ମୋତେ ଜେଲ ମଧ୍ୟ ଯାଇପାରେ, କିନ୍ତୁ ମୁଁ ଏଥିରେ କିଛି ବି ଚିନ୍ତା କରେ ନାହିଁ । ଯୋଗ୍ୟ ପ୍ରାର୍ଥୀମାନେ ଯେପରି ବେକାର ନ ହୁଅନ୍ତୁ କିମ୍ବା ଚାକିରିରେ ବ୍ରେକ୍ ନ ପାଆନ୍ତୁ ତାହା ନିଶ୍ଚିତ କରିବା ପାଇଁ ସରକାରଙ୍କର ପୃଥକ ଯୋଜନା ରହିଛି କହି ଶିକ୍ଷକଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି ମୁଖ୍ୟମନ୍ତ୍ରୀ ।  ସେ ଆହୁରି ବି କହିଛନ୍ତି, ମୋ ନାମ ଏପରି କିଛି ମାମଲାରେ ଟଣାଯାଉଛି ଯାହା ବିଷୟରେ ମୁଁ କୌଣସି ଆଭାସ ପାଉନାହିଁ ।

ତେବେ ଗତ ୩ ତାରିଖରେ ସୁପ୍ରିମକୋର୍ଟ ତାଙ୍କ ରାୟରେ, ହାଇକୋର୍ଟଙ୍କ ଦ୍ବାରା ୨୦୧୬ରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ (WBSSC) ନିଯୁକ୍ତି ମାଧ୍ୟମରେ ହୋଇଥିବା ୨୫,୭୫୨ ସ୍କୁଲ ଚାକିରି ନିଯୁକ୍ତିକୁ ବାତିଲକୁ କାଏମ୍ ରଖିଥିଲେ । ଯେଉଁଥିରେ ନିଯୁକ୍ତି ପ୍ରକ୍ରିୟାରେ ବଡ଼ ଧରଣର ଅନିୟମିତତା ଏବଂ ଜାଲିଆତି ନେଇ ଉଲ୍ଲେଖ ରହିଥିଲା ।  ୨୦୧୬ରେ ନିଯୁକ୍ତିରେ ୨୪,୬୪୦ ଖାଲି ପଦବୀ ବାହାରିଥିବା ବେଳେ ୨୩ ଲକ୍ଷ ଆବେଦନ ଆସିଥିଲା । ହେଲେ ନିଯୁକ୍ତି ବେଳକୁ ଏଥିରେ ମୋଟ ୨୫,୭୫୨ ଜଣ ନିଯୁକ୍ତି ପାଇଥିଲେ । ଏନେଇ ତଦନ୍ତରୁ ଓଏମଆର ସିଟ୍‌ରେ ହେରଫେର ଏବଂ ରାଙ୍କିଂରେ ହେରଫେର ହୋଇଥିବା ଜଣାପଡ଼ିଥିଲା । ଯାହାକୁ ନେଇ କୋଲକାତା ହାଇକୋର୍ଟ ଏପ୍ରିଲ ୨୦୨୪ରେ ନିଯୁକ୍ତିଗୁଡ଼ିକୁ ବାତିଲ କରିଥିଲେ । ଯାହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ମମତା । ହେଲେ ଏଥିରେ ଶୁଣାଣି କରି ହାଇକୋର୍ଟଙ୍କୁ ନିଷ୍ପତ୍ତିକୁ ଗତ ସପ୍ତାହରେ ସୁପ୍ରିମକୋର୍ଟ ସମର୍ଥନ କରିଥିଲେ ।

Comments are closed.