Latest Odisha News

ପୁଣି ମମତା ଦିଦିଙ୍କ ରାଗ  

ନୂଆଦିଲ୍ଲୀ: ଆଉ ଆସିବେନି ବୋଲି କହି ଆସିଲେ । ନୀତି ଆୟୋଗ ବୈଠକ ଅଧାରୁ ଉଠି ଚାଲିଗଲେ । ଆମେ କହୁଛୁ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥା । ପୁଣି ଦେଖିବାକୁ ମିଳିଛି ଦିଦିଙ୍କ ଗରମ ମିଜାଜ୍ । ମମତାଙ୍କ ଅଭିଯୋଗ ହେଲା ଯେ, ସବୁ ବିରୋଧୀ ଦଳ ପକ୍ଷରୁ ସେ ବୈଠକରେ ଯୋଗ ଦେଇଥିଲେ । ବିଜେପି ଓ ବିଜେପି ସମର୍ଥକ ମୁଖ୍ୟମନ୍ତ୍ରୀଙ୍କୁ ୧୫ରୁ ୨୦ ମିନିଟ କହିବା ପାଇଁ ସୁଯୋଗ ଦିଆଗଲା । ସେ କହିବା ବେଳେ ମାତ୍ର ୫ ମିନିଟ ପରେ ମାଇକ୍ ବନ୍ଦ କରିଦିଆଯାଇଥିଲା । ବୈଠକ ବର୍ଜନ କରି ଚାଲିଆସିଲେ ବୋଲି କହିଛନ୍ତି ମମତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ନୀତି ଆୟୋଗ ବୈଠକରୁ ମମତା ଉଠି ଚାଲିଆସିବା ଜାତୀୟ ରାଜନୀତିକୁ ସରଗରମ କରିଛି ।

ମମତା ବାନାର୍ଜୀଙ୍କ ଗରମ ମିଜାଜ ଭାରତୀୟ ରାଜନୀତିରେ ବେଶ୍ ଚର୍ଚ୍ଚିତ । ଗରମ ମିଜାଜ ପାଇଁ ମମତା ପରିଚିତ । ଏହି କିଛି ଦିନ ତଳେ ବାଂଲାଦେଶରୁ ଆସୁଥିବା ଲୋକଙ୍କୁ  ପଶ୍ଚିମବଙ୍ଗରେ ଆଶ୍ରୟ ମିଳିବ ବୋଲି ମମତା କହିବା ପରେ କଡା ଆପତ୍ତି ପ୍ରକାଶ କରିଥିଲେ କେନ୍ଦ୍ର ସରକାର । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତାଗିଦ କଲା ପରେ ରାଗିଯାଇଥିଲେ ମମତା । ତାଙ୍କୁ କିଏ ଶିଖାଇବା ଦରକାର ନାହିଁ ବୋଲି କହିଥିଲେ । ଏଣେ ଏକ ଯୈାନ ଶୋଷଣ ଅଭିଯୋଗରେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ସହ ମମତାଙ୍କ କଡା ଟିକାଟିପ୍ପଣୀ ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି ।

ମମତାଙ୍କ ଗରମ ମିଜାଜ ଓ ଏକତରଫା ପଦକ୍ଷେପ ସହଯୋଗୀ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଇଣ୍ଡିଆ ମେଂଟରେ ଟିଏମସି ଅଂଶୀଦାର ଥିଲେ ମଧ୍ୟ ଅନେକ ପ୍ରସଙ୍ଗରେ ଇଣ୍ଡିଆ ମେଂଟ ପ୍ରତି ମମତାଙ୍କ ମମତା ନଥିବା ସ୍ପଷ୍ଟ ହେଉଛି ।

ବଜେଟରେ କେନ୍ଦ୍ର ସରକାରଙ୍କ ଭେଦଭାବ ଅଭିଯୋଗ କରି ନୀତି ଆୟୋଗ ବୈଠକ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଇଂଡି ମେଂଟ । କିନ୍ତୁ ମମତା ବୈଠକରେ ଯୋଗ ଦେବାକୁ ନିଜେ ନିଷ୍ପତ୍ତି ନେଇଥିଲେ । ତାଙ୍କୁ ମନାଇବା ପାଇଁ କଂଗ୍ରେସ କୁଆଡେ ଉଦ୍ୟମ କରିଥିଲା । କିନ୍ତୁ ମମତା ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ । ଏପରିକି ବିରୋଧୀ ଦଳ ପକ୍ଷରୁ ସେ ବୈଠକରେ ଯୋଗ ଦେଉଛନ୍ତି ବୋଲି କହିଥିଲେ ମମତା । ହେଲେ ବୈଠକରେ ଝଡ ସୃଷ୍ଟି କରି ଚାଲିଆସିଲେ ।

ବୈଠକ ପୂର୍ବରୁ ବିରୋଧୀ ଇଣ୍ଡି ମେଂଟରେ ସମନ୍ୱୟର ଅଭାବ ରହିଥିବା କହିଥିଲେ ମମତା । ସବୁ ଅଂଶୀଦାର ଦଳକୁ ନେଇ ଇଣ୍ଡି ମେଂଟ ଚାଲିପାରୁନାହିଁ  କହିଥିଲେ । ମମତାଙ୍କ ଏହି ମନ୍ତବ୍ୟ ଇଣ୍ଡି ମେଂଟ ପାଇଁ ସୃଷ୍ଟି କରିଥିଲା ଏକ ପ୍ରକାର ଲଜ୍ଜାଜନକ ପରିସ୍ଥିତି । ସ୍ପଷ୍ଟ ହେଉଛି ଇଣ୍ଡି ମେଂଟରେ ତ ରହିଛନ୍ତି ମମତା । କିନ୍ତୁ ନିଜକୁ ସୁହାଇବା ଭଳି ସୁବିଧା ଅନୁସାରେ ନିଷ୍ପତ୍ତି ନେଉଛନ୍ତି ।

ମମତା ବାରମ୍ବାର କାହିଁକି ରାଗୁଛନ୍ତି । ପ୍ରତିବାଦ ଓ ବିରୋଧର ଅଲଗା ଶୈଳୀ ବି ରହିଛି । କିଛି ତ ରାଜନୈତିକ ଶାଳୀନତା ରଖିବା ଜରୁରୀ ବୋଲି ଚର୍ଚ୍ଚା ହେବା ସ୍ୱାଭାବିକ ।

Comments are closed.