Latest Odisha News

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମମତା ସରକାରର ବେଖାତିର!

କୋଲକାତା: ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପଶ୍ଚିମବଙ୍ଗ ସରକାର ନିଲମ୍ବିତ ତୃଣମୂଳ କଂଗ୍ରେସ ନେତା ଶେଖ ଶାହାଜାହାନଙ୍କ ହେପାଜତ ସିବିଆଇକୁ ହସ୍ତାନ୍ତର କରିବାକୁ ମନା କରିଦେଇଛନ୍ତି। ଶାହଜାହାନଙ୍କୁ ନିଜ ହେପାଜତକୁ ନେବା ପାଇଁ ପଶ୍ଚିମବଙ୍ଗ ପୁଲିସ ମୁଖ୍ୟାଳୟ ଭବାନୀ ଭବନରେ ପହଞ୍ଚିଥିଲା ସିବିଆଇର ଏକ ଟିମ୍ । ତେବେ ନିଲମ୍ବିତ ତୃଣମୂଳ ନେତାଙ୍କ ବିନା ସେମାନେ ଫେରିଆସିଥିଲେ।

ଗତ ଜାନୁଆରୀ ୫ ତାରିଖରେ ସନ୍ଦେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଶେଖ ଶାହାଜାହାନଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ କୋଲକାତା ହାଇକୋର୍ଟର ଖଣ୍ଡପୀଠ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଫେବ୍ରୁଆରି ୨୯ ତାରିଖରେ ଗିରଫ ହେବା ପୂର୍ବରୁ ଶାହାଜାହାଁ ୫୦ ଦିନରୁ ଅଧିକ ସମୟ ଧରି ଫେରାର ଥିବାରୁ ରାଜ୍ୟ ପୁଲିସ ସମଗ୍ର ପରିସ୍ଥିତିକୁ ଅଣଦେଖା କରିଛି ବୋଲି କୋର୍ଟ କହିଛନ୍ତି।

ଏହାପରେ ପଶ୍ଚିମବଙ୍ଗ ସରକାର ତଦନ୍ତ ରାଜ୍ୟ ପୁଲିସଠାରୁ ସିବିଆଇକୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଗତ ଜାନୁଆରି ୫ ତାରିଖରେ ସନ୍ଦେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କେତେକ ସଦସ୍ୟଙ୍କ ଉପରେ ଜନତାଙ୍କ ଆକ୍ରମଣରେ ଅନେକ ସଦସ୍ୟ ଆହତ ହୋଇଥିଲେ।

କୋଟି କୋଟି ଟଙ୍କାର ରାସନ ବଣ୍ଟନ ଦୁର୍ନୀତି ମାମଲାରେ ଇଡି ଅଧିକାରୀମାନେ ଶେଖ ଶାହାଜାହାନଙ୍କ ଘରେ ଚଢ଼ାଉ କରିବାକୁ ଯାଇଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ୫୫ ଦିନ ଫେରାର ରହିବା ପରେ ଫେବୃଆରୀ ୨୯ ତାରିଖରେ ଶେଖ୍ ଶାହାଜାହାନଙ୍କୁ ବେଙ୍ଗଲ ପୁଲିସ ଗିରଫ କରିଥିଲା।

ସନ୍ଦେଶଖାଲିରେ ଶାହାଜାହାଁ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଅନେକ ମହିଳା ଯୌନ ନିର୍ଯାତନା ଏବଂ ଜମି ହଡପ କରିଥିବା ଅଭିଯୋଗ ମଧ୍ୟ ରହିଛି।

Comments are closed.