Latest Odisha News

ବିଜେପି ପ୍ରଲୋଭନରେ ବିଜେଡି ଛାଡ଼ିଛନ୍ତି ମମତା: ବିଜେଡି

ଭୁବନେଶ୍ୱର: ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଲକ୍ଷ୍ୟରେ ଚଞ୍ଚକତା କରି ବିଜେଡ଼ିରୁ ମମତା ମହନ୍ତ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ । ଦଳକୁ ସେ ଯେଭଳି ଧୋକା ଦେଲେ ତାହା ରାଜନୀତିରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ବୋଲି କହିଛନ୍ତି ସରୋଜିନୀ ।

ସେ ଆହୁରି କହିଛନ୍ତି, ମମତା ତାଙ୍କ ଇସ୍ତଫାପତ୍ରରେ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ ଭିତ୍ତିହୀନ ଓ ନିନ୍ଦନୀୟ । ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବାକୁ ଯାଇ ମମତା ମହାନ୍ତ କେବଳ ବିଜୁ ଜନତା ଦଳ ନୁହେଁ ବରଂ ସମଗ୍ର କୁଡୁମି ସମାଜ ଓ ମୟୁରଭଞ୍ଜ ଜିଲ୍ଲାକୁ ଧୋକା ଦେଇଛନ୍ତି ବୋଲି ଶ୍ରୀମତୀ ହେମ୍ବ୍ରମ କହିଛନ୍ତି ।

ମମତା ମହନ୍ତଙ୍କୁ ଜିଲ୍ଲା ପରିଷଦ ଠାରୁ ଆରମ୍ଭ କରି ରାଜ୍ୟସଭା ପରି ପଦ ଦେଇଥିଲା ବିଜେଡି । କିନ୍ତୁ ଦୁଃଖର ବିଷୟ ବିଜେପିର ପ୍ରଲୋଭନରେ ପ୍ରଭାବିତ ହୋଇ ସେ ପଦ୍ମ ଧରିଲେ । ସେ ଯଦି କୁଡୁମୀ ସମାଜର ଉନ୍ନତି ଚାହୁଁଥିଲେ ତେବେ କେବଳ ବିଜେଡିରୁ ଇସ୍ତଫା ଦେଇଥାଆନ୍ତେ । ରାଜ୍ୟସଭା ପଦ କାହିଁକି ଛାଡିଲେ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଲେନିନ୍ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ସେ ଏକ ଜାତୀୟ ଦଳକୁ ନିଜ ସଭ୍ୟ ପଦ ଦାନ କରିଦେଲେ । ନିର୍ବାଚନ ପୂର୍ବରୁ ବିଜେପି ପାଇଁ କାମ କରୁଥିଲେ । ନିଜ ସ୍ଥିତି ବଞ୍ଚାଇବା ପାଇଁ ମମତା ମହନ୍ତଙ୍କୁ ପ୍ରଲୋଭିତ କରି ନିଜ ଦଳକୁ ନେଇଛି ବିଜେପି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

Comments are closed.