Latest Odisha News

BREAKING NEWS

ଦିଦି ଖେଳିଲେ ଅସ୍ମିତା କାର୍ଡ !

କୋଲକତା: କମ୍ ହିନ୍ଦୀ ଅଧିକ ବଙ୍ଗଳା କହିବେ ଦିଦି। ଗୋଟିଏ ତୀରରେ ଅନେକ ନିଶାନା ! ମୋଦିଙ୍କ ଗସ୍ତ ପୂର୍ବରୁ ଦିଦିଙ୍କ ବଡ଼ ରଣନୀତି ! ଓଡିଶା, ଝାଡ଼ଖଣ୍ଡ ପରେ ପଶ୍ଚିମବଙ୍ଗରେ ଅସ୍ମିତା କାର୍ଡ ! ଗତ ବୁଧବାର କୋଲକାତାରେ ବଡ଼ ରାଲିର ଆୟୋଜନ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ବଙ୍ଗାଳୀ ଭାଷାଭାଷି ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ। ଏହା ବନ୍ଦ ନହେଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି ମମତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ 18ତାରିଖରେ ରାଲି କରିବାକୁ ଯାଉଥିବା ବେଳେ ବଙ୍ଗାଳୀ ଅସ୍ମିତା କାର୍ଡ ଖେଳିଛନ୍ତି ଦିଦି।

ଭୋଟର ତାଲିକା ସଂଶୋଧନକୁ ବିରୋଧ

ମହାରାଷ୍ଟ୍ର ଓ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟର ତାଲିକାରେ ହେରଫେର ନେଇ ଅଭିଯୋଗ ଆଣିଛନ୍ତି ମମତା। ବିହାରରେ ଭୋଟର ତାଲିକା ସଂଶୋଧନକୁ ଏନଆରସି ସହ ସେ ତୁଳନା କରିଛନ୍ତି। ପ୍ରଥମରୁ ହିଁ ଏସଆଇଆରକୁ ବିରୋଧ କରୁଛନ୍ତି ମମତା। ଏହାର ଅସଲ ପ୍ରୟୋଗ ପଶ୍ଚିମବଙ୍ଗରେ କରାଯିବ ବୋଲି ଟିଏମସି କହୁଛି। ସେପଟେ ମମତାଙ୍କ ବୟାନକୁ ଭୋଟବ୍ୟାଙ୍କ ରାଜନୀତି କହିଛି ବିଜେପି। ମମତା ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବଙ୍ଗାଳୀ ଭାବେ ପ୍ରଦର୍ଶିତ କରିବାକୁ ଚାହୁଁଛନ୍ତି। ଏହା ବଙ୍ଗାଳୀ ସଂସ୍କୃତିର ଅପମାନ ବୋଲି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି।

ଦିଦିଙ୍କ ବଙ୍ଗାଳୀ ଅସ୍ମିତା କାର୍ଡ !

ବଙ୍ଗାଳୀ ଭାଷାଭାଷୀ ପ୍ରବାସୀଙ୍କୁ ଅନୁପ୍ରବେଶକାରୀ କହିବା ସହ ସେମାନଙ୍କ ନାଗରିକତା ଉପରେ ବିଜେପି ପ୍ରଶ୍ନ ଉଠାଉଥିବା ଅଭିଯୋଗ କରିଛନ୍ତି ମମତା। ଭାଷା ବିବାଦକୁ ଅସ୍ତ୍ର କରି ବିଜେପି ବିରୋଧରେ ମାଇଲେଜ ନେବାକୁ ଉଦ୍ୟମ କରୁଛନ୍ତି ଦିଦି। ବଙ୍ଗାଳୀ କହିବା ଦ୍ବାରା କେହି ବାଂଲାଦେଶୀ ହୋଇଯିବେନି। ହିନ୍ଦୀ କମ୍ କହି ଅଧିକ ବଙ୍ଗାଳୀ କହିବେ କହି ବଙ୍ଗାଳୀ ଅସ୍ମିତା କାର୍ଡ ଖେଳିଛନ୍ତି ମମତା। ବଙ୍ଗାଳୀ ଅସ୍ମିତାକୁ ମଜବୁତ କରିବା ସହ ବିଜେପିର ହିନ୍ଦୀ-ହିନ୍ଦୁ ନାରେଟିଭ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇଛନ୍ତି।

ମୋଦିଙ୍କ ରାଲିର ପ୍ରଭାବ କମ୍ ପାଇଁ ରଣନୀତି

ଆସନ୍ତା 18ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଯେକୌଣସି ସ୍ଥିତିରେ ଜିତିବାକୁ ଜୋର ଲଗାଇଛି ବିଜେପି। ତେଣୁ ନିଜ ସଂଗଠନ ମଜବୁତ କରିବା ସହ ନାରେଟିଭ ବନାଇବାକୁ ଚାହୁଁଛି ଦଳ। ଏହାକୁ ଦୃଷ୍ଟିରେ ରଖି ମୋଦିଙ୍କ ଗସ୍ତ ସମୟରେ ଅନେକ ବିକାଶମୂଳକ ଯୋଜନାର ଶୁଭାରମ୍ଭ କରାଯାଇପାରେ। ତେଣୁ ମୋଦି ଗସ୍ତ ପୂର୍ବରୁ ହିଁ ବଙ୍ଗାଳୀ ଭାଷାକୁ ଅସ୍ତ୍ର କରି ବିଜେପିକୁ ଘେରିବାକୁ ଉଦ୍ୟମ କରିଛନ୍ତି ମମତା ବାନାର୍ଜୀ।

ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଗିରଫ କରି ଡିଟେନ୍ସନ କ୍ୟାମ୍ପ ପଠାଇବା ନେଇ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ବିରୋଧ କରୁଛନ୍ତି ମମତା। ଏହାକୁ ବଙ୍ଗାଳୀ ଅସ୍ମିତା ସହ ଯୋଡି ସେମାନଙ୍କ ବିରୋଧରେ ଭେଦଭାବ ଭାବେ ଦର୍ଶାଇଛନ୍ତି। ମମତାଙ୍କ ବୟାନ କେବଳ ପଶ୍ଚିମବଙ୍ଗରେ ସୀମିତ ରହିବନି ବରଂ ସାରା ଦେଶରେ ବିରୋଧୀ ଏକତାର ନେତୃତ୍ବ ଲକ୍ଷ୍ୟ ପୂରଣ ପାଇଁ ଅସ୍ତ୍ର ଭାବେ କାମ ଦେଇପାରେ। ଏହାଦ୍ବାରା ସେ କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ଜାତୀୟ ସ୍ତରରେ ବିଜେପିକୁ ଚ୍ୟାଲେଞ୍ଜ ଦେବାକୁ ସକ୍ଷମ ବୋଲି ସନ୍ଦେଶ ଦେବାକୁ ଚାହୁଁଥିବା କୁହାଯାଉଛି।

Comments are closed.