Latest Odisha News

BREAKING NEWS

ଦଙ୍ଗା କରେ ଗୋଟିଏ ରାଜନୈତିକ ଦଳ !

ନୂଆଦିଲ୍ଲୀ : ଇଦ୍ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନକୁ ନେଇ ବିବାଦ । ରାଜ୍ୟରେ କେହି ଅଶାନ୍ତି ସୃଷ୍ଟି କରିପାରିବେନି । ମମତା ସରକାର ରାଜ୍ୟବାସୀଙ୍କ ସହ ଦୃଢତାର ସହ ଠିଆ ହୋଇଛି । ଲୋକଙ୍କୁ ଏକାଠି ରହିବାକୁ ଆହ୍ବାନ ଦେବା ସହ ଦଙ୍ଗା ଭିଆଇବାକୁ କାହା ଉସୁକେଇବା ଦ୍ବାରା ପ୍ରଭାବିତ ନହେବାକୁ ମମତା କହିଛନ୍ତି । କୋଲକାତାରେ ଇଦ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ବୟାନ ଦେଇଛନ୍ତି ମମତା । ନାଁ ନନେଇ ସେ ଉଭୟ ବିଜେପି ଓ ବାମଦଳକୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ସେପଟେ ମମତାଙ୍କ ବୟାନକୁ ନେଇ ଘେରିଛି ବିଜେପି ।

କ’ଣ କହିଲେ ମମତା?
ଇଦ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ମମତା କହିଛନ୍ତି, ସେ ଚାହୁଁନାହାନ୍ତି ରାଜ୍ୟରେ ଦଙ୍ଗା ହେଉ । ସାଧାରଣ ଲୋକ କେବେ ଦଙ୍ଗା କରନ୍ତିନାହିଁ । କେବଳ ଗୋଟିଏ ଦଳ ହିଁ ଦଙ୍ଗା କରାଏ । ପୂର୍ବରୁ ଧର୍ମନିରପେକ୍ଷତାକୁ ନେଇ ବଡ଼ ବଡ଼ କଥା କହୁଥିଲା ଲାଲ୍ ଦଳ । ହେଲେ ଏବେ ଲାଲ୍ ଓ ଗେରୁଆ ଏକାଠି ହୋଇଛନ୍ତି । ସେମାନେ ଏକାଠି ହେଲେ ବି ଦଙ୍ଗା ରୋକିବାକୁ ଆମେ କାଫି ବୋଲି ମମତା କହିଛନ୍ତି । ସବୁ ହିନ୍ଦୁ ଓ ଖ୍ରୀଷ୍ଟିଆନ୍ ମୁସଲମାନ ବିରୋଧୀ ନୁହନ୍ତି । କିଛି ରାଜନୈତିକ ଦଳ ଧର୍ମର ବେପାର କରନ୍ତି । ଆମେ ଏକାଠି ରହିଲେ ସେମାନଙ୍କ ଦୋକାନ ବନ୍ଦ କରି ଦେଇପାରିବା । ସେମାନେ ଦଙ୍ଗା କରିବାକୁ ଚାହୁଁଥିବା ବେଳେ ମମତା ଦଙ୍ଗା ରୋକିବାକୁ ଚାହୁଁଥିବା କହିଛନ୍ତି । ସେପଟେ ବିଜେପି କହିଛି, ଯେତେବେଳେ ରାମନବମୀ ପାଖେଇ ଆସେ ଇଦ ଅବସରରେ ଏଭଳି ସାଂପ୍ରଦାୟିକ ବୟାନ ଦିଅନ୍ତି ମମତା । ପୂର୍ବରୁ ମଧ୍ୟ ମମତା ଏଭଳି କରିଥିଲେ, ଆଉ ହାଓ୍ବଡାରେ ଦଙ୍ଗା ହୋଇଥିଲା ।

ମମତାଙ୍କ ବୟାନ ବିବାଦ
ବିଜେପିର ବିଭାଜନକାରୀ ରାଜନୀତିକୁ ବିରୋଧ କରିଛନ୍ତି ମମତା । ଧର୍ମ ଆଧାରରେ ବିଜେପି ଲୋକଙ୍କୁ ବାଣ୍ଟିବାକୁ ଉଦ୍ୟମ କରୁଥିବା ସେ କହିଛନ୍ତି । ମମତା ରାମକୃଷ୍ଣ ପରମହଂସ ଓ ସ୍ବାମୀ ବିବେକାନନ୍ଦଙ୍କ ବାଟରେ ଅନୁଗାମୀ । ବିରୋଧୀ ଦଳ ଜାଣିଶୁଣି ତିଆରି କରିଥିବା ଖରାପ ଧର୍ମକୁ ସେ ମାନନ୍ତିନି ବୋଲି ମମତା କହିଛନ୍ତି । ସେହିପରି ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀ ମଧ୍ୟ ବିଜେପିକୁ କଡା ସମାଲୋଚନା କରିଛନ୍ତି । ଗତ ଲୋକସଭା ନିର୍ବାଚନରେ ସମସ୍ତେ ଏକାଠି ହୋଇ ବିଜେପିକୁ ରୋକିଥିଲେ । ବିଜେପି କହୁଛି, ହିନ୍ଦୁ ବିପଦରେ, ତାର ସହଯୋଗୀ ଦଳ କହୁଛନ୍ତି, ମୁସଲିମ ବିପଦରେ । କିନ୍ତୁ ସତ ହେଉଛି ସେମାନଙ୍କ ରାଜନୀତି ପାଇଁ ପୂରା ଦେଶ ବିପଦରେ ବୋଲି ଅଭିଷେକ କହିଛନ୍ତି ।
ବାଇଟ୍- ମମତା ବାନାର୍ଜୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କେଉଁ ଧର୍ମ ଖରାପ…ବର୍ଷିଲା ବିଜେପି
ମମତାଙ୍କ ବୟାନକୁ ନେଇ ବର୍ଷିଛି ବିଜେପି । ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମମତାଙ୍କ ବୟାନକୁ ସମାଲୋଚନା କରିଛନ୍ତି । ରେଡ୍ ରୋଡରେ ଇଦ୍ ଅବସରରେ ମମତା ଇସୁକାଇବା ଭଳି ବୟାନ ଦେଇଛନ୍ତି । କେଉଁ ଧର୍ମ ଖରାପ ବୋଲି ସେ ପ୍ରଶ୍ନ କରିଛନ୍ତି । ମୁସଲିମ ତୁଷ୍ଟିକରଣ ପାଇଁ ସେ ଏଭଳି ବୟାନ ଦେଇଥିବା କହିବା ସହ ମମତା କେଉଁ ଧର୍ମ କଥା କହୁଛନ୍ତି ବୋଲି ଶୁଭେନ୍ଦୁ ଅଧିକାରୀ ପଚାରିଛନ୍ତି । ସେହିପରି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ମମତାଙ୍କୁ କଟାକ୍ଷ କରିଛନ୍ତି । ସୋସିଆଲ୍ ମିଡିଆରେ ପୋଷ୍ଟ କରି, ସନାତନ ଧର୍ମ ଖରାପ କି ବୋଲି ପ୍ରଶ୍ନ କରିଛନ୍ତି । ଏହାସହ ମମତାଙ୍କ ଜାଣତରେ ଅନେକ ହିନ୍ଦୁ ବିରୋଧୀ ଦଙ୍ଗା ହୋଇଥିବା କହିଛନ୍ତି ।

ଆସନ୍ତା ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ବିଜେପି ବିରୋଧରେ ହୁଙ୍କାର ଭରିଛନ୍ତି ମମତା । ୨୦୨୧ ନିର୍ବାଚନରେ ଭଲ କମବ୍ୟାକ କରିଥିବା ଦିଦି ଗତ ଲୋକସଭା ନିର୍ବାଚନରେ ବି ବିଜେପିକୁ ମାତ୍ ଦେଇଥିଲେ । ଟିଏମସି ବିପକ୍ଷରେ ଶାସନ ବିରୋଧୀ ଲହର ରହିଥିବା ବେଳେ ଆଗୁଆ କାଉଣ୍ଟର ରଣନୀତି ପ୍ରସ୍ତୁତ କରିଛନ୍ତି ମମତା ବାନାର୍ଜୀ ।
ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

Comments are closed.