Latest Odisha News

BREAKING NEWS

ଧାରୁଆ ଅସ୍ତ୍ରରେ ଡାକ୍ତରଙ୍କୁ ୧୮ ଥର ଆକ୍ରମଣ, ଅଭିଯୁକ୍ତ ଗିରଫ

ନାଶିକ: ଶୁକ୍ରବାର ରାତିରେ ମହାରାଷ୍ଟ୍ରର ଏକ ଡାକ୍ତରଖାନାରେ ଜଣେ ବ୍ୟକ୍ତି ଡାକ୍ତରଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ହୃଦୟ ବିଦାରକ ଘଟଣା ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି, ଯେଉଁଠାରେ ଜଣେ ବ୍ୟକ୍ତି ଅତି କମରେ ୧୮ ଥର ଧାରୁଆ ଅସ୍ତ୍ରରେ ଡାକ୍ତରଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଏହା ପରେ ପୀଡିତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଡାକ୍ତର ତାଙ୍କ ଫୋନରେ କଥା ହେଉଥିବା ସମୟରେ ତାଙ୍କ ପଛରେ ଜଣେ ବ୍ୟକ୍ତି ଠିଆ ହୋଇଥିବା ସେ ଜାଣି ପାରିନଥିଲେ । ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ବ୍ୟକ୍ତି ଜଣକ ବାରମ୍ବାର ଡାକ୍ତରଙ୍କ ମୁହଁ ଏବଂ ବେକ ଉପରେ ଆକ୍ରମଣ କରିଚାଲିଛି । ଆକ୍ରମଣର ଶିକାର ହୋଇଥିବା ଡାକ୍ତର ଜଣକ ହେଲେ ୪୮ ବର୍ଷିୟ କୈଳାସ ରାଠୀ । ସେ ନାଶିକର ପଞ୍ଚବଟୀ ଅଞ୍ଚଳରେ ଏକ ହସ୍ପିଟାଲରେ ଡ୍ୟୁଟି କରୁଥିବା ସମୟରେ ଆକ୍ରମଣର ଶିକାର ହୋଇଛନ୍ତି ।

ଏହି ମାମଲା ସମ୍ପର୍କରେ ଜଣେ ପୋଲିସ ଅଧିକାରୀ କହିଛନ୍ତି, “ଏହି ଆକ୍ରମଣ ପାଇଁ ପୀଡିତଙ୍କ ଜଣେ ପୂର୍ବତନ କର୍ମଚାରୀଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି । ମହିଳା ଜଣକ ଡାକ୍ତରଖାନାରେ କାମ କରୁଥିବାବେଳେ ୬ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା । ପରେ ତାଙ୍କୁ ବରଖାସ୍ତ କରାଯାଇଥିଲା କିନ୍ତୁ ପରେ ପୁନଃ ନିଯୁକ୍ତ କରାଯାଇଥିଲା । ଏହାପରେ ସେ ଆଉ ୧୨ ଲକ୍ଷ ଟଙ୍କା ନେଇଥିଲେ ହେଲେ ଫେରସ୍ତ କରିବାକୁ ମନା କରିଦେଇଥିଲେ ।

ତେବେ ଟଙ୍କା ଫେରସ୍ତକୁ ନେଇ ରାଗ ରଖି ଉକ୍ତ କର୍ମଚାରୀଙ୍କ ସ୍ୱାମୀ ଏପରି କାଣ୍ଡ ଘଟାଇଥିବା ସନ୍ଦେହ କରି ଡାକ୍ତରଙ୍କ ପତ୍ନୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୂର୍ବତନ କର୍ମଚାରୀ ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.