Latest Odisha News

ରାୟଗଡ଼ାରେ ଦାନ ମାଝୀର କାହାଣୀ: ପୁଅର ମୃତଦେହକୁ କାନ୍ଧରେ ବୋହିଲା ବାପା

ରାୟଗଡ଼ା: କଳାହାଣ୍ଡି ଦାନ ମାଝୀ ଘଟଣାର ପୁନରାବୃତ୍ତି । ରାୟଗଡ଼ାରେ ପୁଅର ମୃତଦେହକୁ କାନ୍ଧରେ ବୋହିଲା ବାପା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୯ବର୍ଷର ପୁଅର ପ୍ରାଣ ହରାଇବା ପରେ, ତାର ମରଶରୀରକୁ ଘରକୁ ନେବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା। ଶେଷରେ ଶବକୁ କାନ୍ଧରେ ଲଦି ବାପା ଦେଢ଼ କିଲୋମିଟର ଚାଲି ଚାଲି ଘରକୁ ଫେରିଥିବା ଅଭିଯୋଗ ହୋଇଛି ।

ଗତକାଲି ରାତିରେ ଆକାଶର ଝାଡାବାନ୍ତି ହୋଇଥିଲା । ଦେହ ଅତ୍ୟନ୍ତ ଖରାପ ହେବାରୁ ବାପା ସୂରଧର ଓ ପରିବାର ଲୋକେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଉକ୍ତ ସମୟରେ ମେଡିକାଲରେ ଦାୟିତ୍ୱରେ ଥିବା ଡାକ୍ତର ଆକାଶକୁ ପ୍ରାଥମିକ ଚିକିତ୍ସା କରିବା ପରେ ଅଧବାଟରେ ତାର ମୃତ୍ୟୁ ହୋଇଯାଇଥିବା କହିଥିଲେ ।

ଦୀର୍ଘ ସମୟ ଧରି ହସ୍ପିଟାଲ ପକ୍ଷରୁ ପୁଅର ମରଶରୀରକୁ ନେବା ପାଇଁ କୌଣସି ବ୍ୟବସ୍ଥା କରା ନ ଯିବାରୁ ଶେଷରେ ବାଧ୍ୟ ହୋଇ ବାପା ସୂରଧର ନିଜ କାନ୍ଧରେ ବୋହି ବୋହି ଘରକୁ ପୁଅର ଶବ ଆଣି ସତ୍କାର କରିଥିଲେ । ପୁଅକୁ କାନ୍ଧରେ ନେଇ ଚାଲିଯିବା ସମୟରେ ସହରର କେହି ଜଣେ ଯୁବକ ଭିଡିଓ ଶୁଟକରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ତେବେ ସରକାରଙ୍କ ତରଫରୁ ମରଶରୀରକୁ ନେବା ପାଇଁ ମହାପ୍ରୟାଣ ଗାଡି ଭଳି ଅନେକ ବ୍ୟବସ୍ଥା ଥିଲେ ମଧ୍ୟ ସୂରଧରଙ୍କ ପାଇଁ କାର୍ଯ୍ୟକାରୀ ହେଲା ନାହିଁ , ଯାହାକି ଦାନମାଝି ଘଟଣାର ପୁନରାବୃତ୍ତି ଭଳି ହୋଇଛି ।

ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖି ରାୟଗଡ଼ା ଜିଲ୍ଲାପାଳ କହିଛନ୍ତି ଯେ, ମୃତଦେହ ନେବା ପାଇଁ ସେଠାରେ ପର୍ଯ୍ୟାପ୍ତ ସଂଖ୍ୟାରେ ଗାଡ଼ି ରହିଛି।  ତେବେ ହୁଏତ ଭୁଲ୍ ବୁଝାମଣାରୁ ଏହି ଘଟଣା ଘଟିଥାଇପାରେ । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ଜିଲ୍ଲାପାଳ ।

Leave A Reply

Your email address will not be published.