Latest Odisha News

ଏକ ନିରୋଳା ପ୍ରେମ କାହାଣୀ: ପତ୍ନୀଙ୍କ ବିଚ୍ଛେଦ ଦୁଃଖ ସହି ନ ପାରି ଜୀବନ ହାରିଦେଲେ ସ୍ୱାମୀ

ବଲାଙ୍ଗିର: ଏକ ନିଛକ ପ୍ରେମ କାହାଣୀ ।  ଫିଲ୍ମ  ବା ଯାତ୍ରାର ପ୍ରେମ କାହାଣୀ ଇଏ ନୁହେଁ, ଏ କାହାଣୀ ବାସ୍ତବ ଜୀବନର । ପ୍ରେମ, ପ୍ରତିଶ୍ରୁତି ଆଉ ପ୍ରତାରଣାର ଅନେକ ଘଟଣା ଆପଣ ହୁଏତ ଶୁଣିଥିବେ । ହେଲେ ଏ ନିରୋଳା ପ୍ରେମ କାହାଣୀ ଶୁଣିଲେ ମନ ତ ଅବିଶ୍ୱାସ କରିବ । କିନ୍ତୁ କଥାଟା ସମ୍ପୂର୍ଣ୍ଣ ସତ ।

ବଞ୍ଚିଥିବାବେଳେ  ସବୁବେଳେ ପତ୍ନୀଙ୍କୁ କହୁଥିଲେ, ‘ତୁମ ବିନା ମୁଁ ବଞ୍ଚି ପାରିବିନି ।’  ଆଉ ଏକଥା ସତରେ ମଧ୍ୟ ପ୍ରମାଣିତ ବି କରିଦେଲେ । ପତ୍ନୀଙ୍କ ବିଚ୍ଛେଦ ଦୁଃଖ ସହି ନ ପାରି ଶେଷରେ ଜୀବନ ହାରିଦେଲେ ସ୍ୱାମୀ ।ଏମିତି ଅଭାବନୀୟ ତଥା ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ।

କଣ୍ଟାବାଞ୍ଜି ଥାନା ଦାବରୀ ଗାଁର ୪୫ ବର୍ଷୀୟ ଗୋଧମ ମଲ୍ଲିକ । ପତ୍ନୀ ଚନ୍ଦ୍ରକଳା ଓ ୧୪ ବର୍ଷର ଝିଅକୁ ନେଇ ତାଙ୍କର ଥିଲା ହସଖୁସିର ସଂସାର । ଗଭୀର ଭଲ ପାଇବା ଓ ସ୍ନେହ ଶ୍ରଦ୍ଧାରେ ବାନ୍ଧିହୋଇଥିଲେ  ପରିବାରର ତିନି ସଦସ୍ୟ ।ହଠାତ ପତ୍ନୀ ଚନ୍ଦ୍ରକଳା କୀଡନି ରୋଗରେ ଆକ୍ରାନ୍ତ ହେଲେ । ବହୁ ଚିକିତ୍ସା ପରେ ଭଲ ହୋଇ ପାରିନ  ଥିଲେ । ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥିଲେ ଗୋଧମ । କିନ୍ତୁ ଶେଷରେ ଗତକାଲି ରାତିରେ ଆରପାରିକୁ ଚାଲିଗଲେ ଚନ୍ଦ୍ରକଳା ।

ପତ୍ନୀଙ୍କ ବିୟୋଗରେ ଭାଙ୍ଗି ପଡିଲେ ଗୋଧମ । ‘ସେ ତ ରହିଲାନି, ଆଉ କାହାପାଇଁ ବଞ୍ଚିବି ? ’ ଏହି ଗୋଟିଏ କଥା ବାରମ୍ବାର କହୁଥିଲେ ଗୋଧମ । ଶେଷରେ ନିକଟସ୍ଥ ଜଙ୍ଗଲକୁ ଯାଇ ଗଛରେ ଝୁଲି ପଡି ଆତ୍ମହତ୍ୟା କରିଛନ୍ତି ଗୋଧମ । ୧୪ ବର୍ଷର ଝିଅ ଏବେ ମାମୁଘରେ ଅଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Comments are closed.