Latest Odisha News

BREAKING NEWS

ବୃଦ୍ଧା ମାଆକୁ ମାଡ଼ମାରି ଘରୁ ତଡ଼ିଦେଲେ ପୁଅ-ବୋହୂ; ରାସ୍ତାକଡ଼ରେ କାନ୍ଦିଲେ, କହିଲେ ଦୁଃଖ କାହାଣୀ…

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହରର ଏକ ଲଜ୍ଜାକର ତଥା ଦୁଃଖଦାୟକ ଘଟଣା ସମଗ୍ର ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି କରିଛି । ନିଜର ଅସହାୟ ବୃଦ୍ଧା ମାଆକୁ ତା’ ନିଜ ପୁଅ ନିସ୍ତୁକ ମାଡ଼ମାରି ରାସ୍ତାକୁ ଠେଲିଦେଇଛି । ରାସ୍ତାକଡ଼ରେ ଦିନରାତି କାନ୍ଦି କାନ୍ଦି ବିଚାରା ମାଆ ରହିଥିଲେ ମଧ୍ୟ ପୁଅର ଅମଙ୍ଗଳ ନଚାହିଁ ବରଂ ପୁଅଟିକୁ ସଦବୁଦ୍ଧି ପ୍ରଦାନ କରିବାକୁ ମାଆଟି ନେହୁରା ହେଉଛି ।

ମିଳିଥିବା ସୂଚନାନୁଯାୟୀ, ସୋମବାର ରାତିରେ ଜଣେ ବୃଦ୍ଧା ଚାନ୍ଦବାଲି ଆହାର କେନ୍ଦ୍ର କଡ଼ରେ ଗୁମୁରି ଗୁମୁରି କାନ୍ଦୁଥିବାର ସ୍ଥାନୀୟ କିଛି ଯୁବକ ଦେଖିବାକୁ ପାଇଥିଲେ । ଚାନ୍ଦବାଲି ଚନ୍ଦନପୁରର ବାସିନ୍ଦା ଅର୍ଜୁନ ଏବଂ ତାଙ୍କ ବୋହୁ କାଳୀ ଏବେ କେନ୍ଦ୍ରାପଡ଼ାରେ ବସବାସ କରନ୍ତି । ଘଟଣାଦିନ କେନ୍ଦ୍ରାପଡ଼ାରୁ ବସ୍ ଯୋଗେ ବୃଦ୍ଧା ମାଆକୁ ପୁଅ-ବୋହୁ ସକାଳେ ଚାନ୍ଦବାଲି ନେଇ ଆସିଥିଲେ । ଅସହାୟ ମାଆଙ୍କ କହିବା ଅନୁଯାୟୀ, ତାଙ୍କୁ ତାଙ୍କ ପୁଅ-ବୋହୁ ବସଷ୍ଟାଣ୍ଡ ନିକଟରେ ଆସୁଛୁ କହି କୁହାଡ଼େ ଚାଲିଗଲେ ।

ସେହି ସ୍ଥାନରେ ଅଖିଆ ଅପିଆ ହୋଇ ଘଣ୍ଟା ପରେ ଘଣ୍ଟା ଅପେକ୍ଷା କରି ବସିରହିଥିଲେ ବୃଦ୍ଧା ଜଣକ । ରାତି ହୋଇଯିବା ପରେ ମଧ୍ୟ ନିଜ ପୁଅ-ବୋହୁଙ୍କ ଦେଖା ଦର୍ଶନ ମିଳିନଥିଲା । ବାଧ୍ୟହୋଇ ବୃଦ୍ଧାଜଣକ ଆହାର କେନ୍ଦ୍ର ନିକଟରେ ବସି ରହିଲେ ।

ବୃଦ୍ଧା ଜଣକ କାନ୍ଦୁଥିବାର ଲକ୍ଷ୍ୟ କରି କିଛି ସ୍ଥାନୀୟ ଯୁବକ ତାଙ୍କ ପାଖକୁ ଯାଇ ପଚାରିବାରୁ ସେ ସମସ୍ତ କଥା କହିଥିଲେ । ଏହାପରେ ଯୁବକମାନେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ମାତ୍ର ସେଠାରୁ ନିରାଶ ହେବାପରେ ଯୁବକମାନେ ସ୍ଥାନୀୟ ଚାନ୍ଦବାଲି ତହସିଲଦାରଙ୍କୁ ରାତି ୧୨ଟାରେ ଖବର ଜଣାଇବାକୁ ବାଧ୍ୟ ହୋଇଥିଲେ । ଏସମ୍ପର୍କରେ ଶୁଣିବାମାତ୍ରେ ତହସିଲଦାର ସତ୍ୟଜିତ ମହାନ୍ତି ତୁରନ୍ତ ଘଟଣାସ୍ଥଳକୁ ଆସି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ । ବୃଦ୍ଧାଙ୍କ ଖାଇବା ଏବଂ ରହିବାର ସୁବିଧା କରିଦେବା ସହିତ ନିକଟସ୍ଥ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରାଥମିକ ଚିକିତ୍ସା ନିମନ୍ତେ ଭର୍ତ୍ତି କରିବାରେ ନିଜେ ସହଯୋଗ କରିଥିଲେ ।

“ମୋ ସ୍ୱାମୀଙ୍କ ମୃତ୍ୟୁ ପରେ ପରେ ମୋ ନିଜ ପୁଅ ବୋହୁ ମୋତେ ଅନେକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏପରିକି ମୋତେ ଶାରିରୀକ ନିର୍ଯ୍ୟାତନା ମଧ୍ୟ ଦେଇଛନ୍ତି । ସୋମବାର ଦିନ ବସରେ ଆଣି ଚାନ୍ଦବାଲି ବସଷ୍ଟାଣ୍ଡରେ ମୋତେ ଛାଡ଼ିଦେଇ କୁଆଡ଼େ ଚାଲିଗଲେ । ମୁଁ ଦିନସାରା ଅଖିଆ ଅପିଆ ଅପେକ୍ଷା କରିବା ପରେ ରାତି ବେଳକୁ ମଧ୍ୟ ଆସିଲେ ନାହିଁ । ମୁଁ ଏବେ କ’ଣ କରିବି? କୁଆଡ଼େ ଯିବି,” ବୋଲି କାନ୍ଦି କାନ୍ଦି ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ଏହି ବୃଦ୍ଧା ଅସହାୟା ମାଆ ଜଣକ ।

ଏହି ଘଟଣାଟି ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ସହିତ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

Leave A Reply

Your email address will not be published.