କୋଲକାତା: ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭଯୋଗ ହୋଇଛି। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଆନ୍ଦୋଳନାକାରୀମାନେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଗୁରୁବାର ରାତିରେ ପୂର୍ବ ମେଦିନିପୁର ଜିଲ୍ଲା ଚାନ୍ଦିପୁରରେ ଠାରେ ଏହି ଦୁର୍ଘଟଣା ଘଟିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ଶେଖ୍ ଇସ୍ରାଫିଲ ନାମକ ଜଣେ ବ୍ୟକ୍ତି ରାସ୍ତାରେ କଡ଼ାରେ ଥିବା ବେଳେ ଶୁଭେନ୍ଦୁଙ୍କ କାର ତାଙ୍କୁ ଧକ୍କା ଦେଇଥିଲା। ହେଲେ ଗାଡ଼ି ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁଙ୍କର ଥିଲା କି ନାହିଁ ସେ ନେଇ ପୁଲିସ ପକ୍ଷରୁ କିନ୍ତୁ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ମାମଲାରେ ତଦନ୍ତ ଚାଲିଥିବା ବେଳେ ହିଂସା ସୃଷ୍ଟି ହୋଇଛି।
ଶୁଭେନ୍ଦୁ ଅଧିକାରୀ ମୋଇନାର ଏକ ଦଳୀୟ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ଘଟିବା ପରେ ବି ଶୁଭେନ୍ଦୁଙ୍କ କାର୍ ଅଟକି ନଥିଲା ବୋଲି ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି। ପ୍ରତ୍ୟେକ୍ଷଦର୍ଶୀ ରଫିଜୁଲ ଅଲୀ ଦୁର୍ଘଟଣା ସ୍ଥାନରୁ କିଛି ଦୂରରେ ଏକ ଷ୍ଟଲ୍ରେ ଚା ପିଉଥିବା ବେଳେ ତାଙ୍କ ଆଖି ସାମ୍ନାରେ ଏହି ଦୁର୍ଘଟଣା ଘଟିଥିଲା ବୋଲି ସେ କହିଛନ୍ତି। ଏହି ଘଟଣାରେ ସ୍ଥାନୀୟ ଲୋକମାନେ ଆନ୍ଦୋଳନ କରିବା ସହ ଶୁଭେନ୍ଦୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ପୁଲିସର ସୂଚନା ଅନୁସାରେ ଶେଖ୍ ଇସ୍ରାଫିଲ ପେଟ୍ରୋଲ ପମ୍ପ ପାଖରେ ରାସ୍ତା ପାର୍ ହେଉଥିଲା। ରାତି ପ୍ରାୟ ୧୦.୩୦ରେ ତାଙ୍କୁ ଗାଡ଼ି ଧକ୍କା ଦେଇଥିଲା। ସ୍ଥାନୀୟ ହସ୍ପିଟାଲ୍କୁ ଆଣିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତେବେ ଯେଉଁ କାର୍ଟି ଧକ୍କା ଦେଲା ତାହା ଶୁଭେନ୍ଦୁ ଅଧିକାରୀଙ୍କ କାର୍କେଡ୍ରେ ଆସୁଥିବା କାର୍ କି ନା ସେ ନେଇ ତଦନ୍ତ ଜାରି ରହିଛି।
Comments are closed.