ସୁବର୍ଣ୍ଣପୁର : ମଣିଷ ଜୀବନ ପାଣି ଫୋଟକା ସଦୃଶ । ଜୀବନରେ କେତେବେଳେ କେଉଁ ରୂପରେ ମୃତ୍ୟୁ ଆସିବ କେହି ଜାଣନ୍ତିନି । ତେଣୁ ସେ ବା କେମିତି ଜାଣିବେ ? ସଂକୀର୍ତ୍ତନ ଗାଉ ଗାଉ ଏମିତି ତାଙ୍କର ଜୀବନ ଚାଲିଯିବ ବୋଲି ସେ କେମିତି ବା ଭାବିବେ ?
ହୁଏତ ଭାଗବନାଙ୍କ ସହ ତାଙ୍କର ଥିଲା ଭିନ୍ନ ଏକ ଭାବ । ସେହି ଭାବରେ ସେ ହଜି ଯାଉଥିଲେ, ମଜି ଯାଉଥିଲେ । ସେଦିନ ପାଟିରେ ତାଙ୍କର ଥିଲା ହରିନାମ ଆଉ ଚାଲିଯାଇଥିଲା ଜୀବନ । ଭକ୍ତଟିଏ ସବୁବେଳେ ଚାହେଁ, ପ୍ରଭୁଙ୍କ ନାଁ ନେଇ ଏ ଦୁନିଆରୁ ଶେଷ ବିଦାୟ ନେବ । ହେଲେ ସେ ଭାଗ୍ୟ କ’ଣ ସମସ୍ତଙ୍କୁ ମିଳେ ? ବୋଧହୁଏ ନା । କିନ୍ତୁ ଭଗବାନଙ୍କ ସହ ତାଙ୍କ ଭାବର ଡୋରୀ ଥିଲା ଅବିଚ୍ଛେଦ୍ୟ । ତେଣୁ ତୁଣ୍ଡରେ ହରିନାମ ଧରି ସେ ଦୁନିଆା ଛାଡ଼ିଲେ । ଆମେ ଏଠି କହୁଛୁ ସୁବର୍ଣ୍ଣର୍ପୁର ବିନିକା ବ୍ଲକ ଅନ୍ତର୍ଗତ ଟୁକୁରା ଗାଁ ସିନ୍ଦୂରପୂର ଗୋପାଳଜୀ ମନ୍ଦୀରର ପୂଜକ କୈଳାଶ ଚନ୍ଦ୍ର ପଣ୍ଡାଙ୍କ କଥା।
ନାମ ସଙ୍କୀର୍ତ୍ତନ କରୁଥିଲେ । ଗାଉଥିଲେ ହରେ ରାମ..ହରେ ରାମ..ରାମ ରାମ ହରେ ହରେ.. । ହଠାତ ଟଳିପଡ଼ିଲେ । କେହି କିଛି ବୁଝି ପାରିଲେନି । ତୁରନ୍ତ ତାଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁକୁ ନେଇ ସିନ୍ଦୂରପୂର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ସତ ହେଲେ ସବୁରି ତୁଣ୍ଡରେ ଗୋଟିଏ କଥା..ସତରେ କେତେ ଭାଗ୍ୟ ! ହରିନାମ ତୁଣ୍ଡରେ ଥାଇ ଚାଲିଗଲା ଜୀବନ l
Comments are closed.