କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ଖୁକୁଣ୍ଡି ଗୋଠ ନିକଟରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକଙ୍କ ନାଁ ମନୋଜ ବିଶ୍ୱାଳ ଓ ତାଙ୍କର ଘର ବସୋଇ ଗାଁରେ ବୋଲି ଜଣାଯାଇଛି । ପ୍ରେମ ଜନିତ କାରଣରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ଗତ କାଲି ରାତିରେ ଅଁଳାକଟା ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ ମନୋଜ । ରାତି ୧୧ଟାରେ ଯାତ୍ରା ସରିବା ପରେ ଘରକୁ ଫେରୁଥିଲେ । ହେଲେ ଘରେ ପହଞ୍ଚିବାରେ ବିଳମ୍ବ ହେବାରୁ ପରିବାର ଲାେକ ଫୋନ କରିଥିଲେ । ଫୋନ ରିଂହୋଇଥିଲେ ହେଁ ମନୋଜ ଉଠାଇ ନ ଥିଲେ । ଆଜି ସକାଳୁ ଗାଁ ପାଖ ଖୁକୁଣ୍ଡି ଗୋଠ କାଜୁ ଜଙ୍ଗଲରୁ ମୃତ ଦେହ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ମୃତ ଦେହ ସହିତ କିଛି ଦୂରରେ ମନୋଜଙ୍କ ବାଇକ ପଡିଥିବା ଦେଖିବାକୁ ମିଳିଛି । ଖବର ପାଇ ପରଜଙ୍ଗ ପୋଲିସ ପହଞ୍ଚି ତନାଘନା ଜାରି ରଖିଛି । କେହି ତାଙ୍କୁ ପିଟି ପିଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ଏହା ପୂର୍ବରୁ ମନୋଜଙ୍କ ଭାଇଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ହେଲେ କାହିଁକି ତାଙ୍କ ଉପରେ ଆକ୍ରମଣ ହୋଇଥିଲା ଏବଂ କିଏ କରିଥିଲା ସେ ବିଷୟରେ ସେ କିଛି ଜାଣି ନ ଥିବା କହିଛନ୍ତି । ତେବେ ଏ ନେଇ ପୋଲିସରେ ସେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କିଛି କାର୍ଯ୍ୟୁାନୁଷ୍ଠାନ ନେଇ ନ ଥିଲା ।
ତେବେ ବଡ ଭାଇଙ୍କୁ ମାଡ ମାରିବା ଘଟଣା ନେଇ ଗାଁର କିଛି ଲୋକଙ୍କୁ ମନେଜ ଧମକଚମକ ଦେଇଥିଲେ । ଏହାର କିଛି ଦିନ ପରେ ତାଙ୍କୁ ହତ୍ୟା କରାଯାଇଛି । ତେବେ ଏ ନେଇ ପରିବାର ଲାେକେ କାହା ବିରୋଧରେ ଅଭିଯୋଗ କରିନାହାନ୍ତି ।
Comments are closed.