Latest Odisha News

BREAKING NEWS

ବିନା ଦୋଷରେ ଡ୍ରଗ୍ସ କେସ୍‌ରେ ଫସି ବିଦେଶ ଜେଲ୍‌ରେ ବନ୍ଦୀ ବଲିଉଡ୍ ଅଭିନେତ୍ରୀ; ଷଡଯନ୍ତ୍ରକାରୀ ଗିରଫ

ମୁମ୍ବାଇ: ବିନା ଦୋଷରେ ବିଦେଶ ଜେଲ୍‌ରେ ଦଣ୍ଡ ଭୋଗୁଛନ୍ତି ବଲିଉଡ୍ ଅଭିନେତ୍ରୀ କ୍ରୀଷନ ପରେରା। ଡ୍ରଗ୍ସ କେସ୍‌ରେ ତାଙ୍କୁ ଫସାଇ ଦିଆଯାଇଛି। ପରିବାର ଲୋକଙ୍କ ଅଭିଯୋଗ ପରେ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ୍। ମୁମ୍ବାଇ ବୋରିବଲିରେ ରହୁଥିବା ଅନ୍ଥୋନୀ ପଲ୍‌ ଓ ମହାରାଷ୍ଟ୍ର ସିନ୍ଧୁଦୁର୍ଗରେ ରହୁଥିବା ରାଜେଶ ବାଭୋତେ ଓରଫ ରବିକୁ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ଗିରଫ କରିଛି।

କ୍ରୀଷନ ପରେରାଙ୍କ ମାଆ ପ୍ରିମିଲା ପରେରାଙ୍କ ଉପରେ ରାଗ ସୁଝାଇବାକୁ ଯାଇ ଏହି ଦୁଇ ଜଣ ଯୋଜନା କରି ଅଭିନେତ୍ରୀଙ୍କୁ ଏକ ଅନ୍ତର୍ଜାତୀୟ ଶୋରେ ଅଡିଶନ ପାଇଁ ଦୁବାଇ ପଠାଇଥିଲେ। ସେଠାରେ ଡ୍ରଗ୍ସ କେସ୍‌ରେ ଫସାଇ ଦେଇଥିଲେ।

୨୭ ବର୍ଷୀୟା ପରେରା ବଲିଉଡ୍‌ର ସଡ଼କ-୨ ଓ ବାଟଲା ହାଉସ ଭଳି ଫିଲ୍ମରେ ଅଭିନୟ କରିସାରିଛନ୍ତି। ତାଙ୍କୁ ଏପ୍ରିଲ ମାସ ଆରମ୍ଭରେ ଡ୍ରଗ୍ସ କାରବାର ଅଭିଯୋଗରେ ୟୁନାଇଟେଡ୍ ଆରବ ଏମିରାଟ୍‌ର ଶରଜାହ ପୁଲିସ ଗିରଫ କରିଥିଲା। ବର୍ତ୍ତମାନ ସେ ଶରଜାହ ଜେଲ୍‌ରେ ଅଛନ୍ତି।

ଏହି ପୂରା କାର୍‌ସାଦି ଆନ୍ଥୋନୀ ପଲ୍‌ର ଥିଲା। ଖବର ଅନୁସାରେ, କ୍ରୀଷାନଙ୍କ ମାଆ ପ୍ରିମିଲା ରହୁଥିବା ଆପାର୍ଟମେଣ୍ଟରେ ଆନ୍ଥୋନୀ ପଲ୍‌ଙ୍କର ଭଉଣୀ ରହୁଥିଲେ। କୋଭିଡ୍ ସମୟରେ ଆନ୍ଥୋନୀ ତାଙ୍କ ଭଉଣୀଙ୍କୁ ଦେଖା କରିବାକୁ ଆପାର୍ଟମେଣ୍ଟକୁ ଆସିଥିବା ବେଳେ ହଠାତ୍ ପ୍ରିମିଲାଙ୍କ କୁକୁର ତାଙ୍କ ଉପରେ ଆକ୍ରମଣ କରିଥିଲା। କୁକୁର ଆକ୍ରମଣରୁ ବଞ୍ଚିବା ପାଇଁ ସେ ଚେୟାର ଉଠାଇ ପିଟିବାରୁ ପ୍ରିମିଲା ସମସ୍ତଙ୍କ ସାମ୍ନାରେ ତାଙ୍କୁ ଅପମାନିତ କରିଥିଲେ। ଏହାର ପ୍ରତିଶୋଧ ନେବାକୁ ଯାଇ ଆନ୍ଥୋନୀ ଓ ରବି ମିଶି ଏହି ଷଡ଼ଯନ୍ତ୍ର କରିଥିଲେ।

ଘଟଣାର କିଛିଦିନ ପରେ ଆନ୍ଥୋନୀର ସହଯୋଗୀ ରବି ରିୟଲ ଇଷ୍ଟେଟ୍ ସମ୍ପର୍କିତ ଏକ କାମ ପାଇଁ ପ୍ରିମିଲାଙ୍କୁ ଫୋନ୍ କରି ଅଫିସ୍ ଡକାଇଥିଲେ। ଅଫିସ୍‌ରେ ଝିଅ ଫିଲ୍ମରେ କାମ କରୁଥିବା ପ୍ରିମିଲା ରବିଙ୍କୁ କହିବା ପରେ ରବି ମଧ୍ୟ ତାଙ୍କ ମ୍ୟାନେଜ୍‌ମେଣ୍ଟ କମ୍ପାନୀ ଟାଲେଣ୍ଟ ପୁଲ୍‌ ପାଇଁ ଜଣେ ଅଭିନେତ୍ରୀ ଖୋଜୁଛନ୍ତି ବୋଲି କହିଥିଲେ। ଏହାପରେ ଅନ୍ତର୍ଜାତୀୟ ଶୋ ପାଇଁ କ୍ରୀଷନଙ୍କୁ ଅଡିସନ ଦେବାକୁ ଦୁବାଇ ପଠାଯାଇଥିଲା। ସେଠାରେ ଶରଜାହ ଠାରେ ରବି ତାଙ୍କ ହାତକୁ ଏକ ଟ୍ରଫି ଦେଇ ଏହାକୁ ଦୁବାଇ ନେବାକୁ କହିଥିଲେ। ଏହି ଟ୍ରଫିରେ ଡ୍ରଗ୍ସ ଲୁଚାଯାଇଥିଲା। ଚେକିଂ ବେଳେ ଏପ୍ରିଲ ୧ ତାରିଖରେ ଶରଜାହ ପୁଲିସ କ୍ରୀଷନଙ୍କୁ ଗିରଫ କରିଥିଲା।

ଝିଅ ଗିରଫ ହେବା ନେଇ ପ୍ରିମିଲା ଜାଣିବାକୁ ପାଇବା ପରେ ସେ ମୁମ୍ବାଇର ଭୋକାଲ ଥାନାରେ ମାମଲା କରିଥିଲେ। ଏହାପରେ ଜଏଣ୍ଟ କମିଶନର ଅଫ୍ ପୁଲିସ କ୍ରାଇମ୍ ଲକ୍ଷ୍ମୀ ଗୌତମ ମାମଲାର ତଦନ୍ତ କରି ଆନ୍ଥୋନୀ ଓ ରବିକୁ ଗିରଫ କରିଛନ୍ତି। କ୍ରୀଷନାଙ୍କୁ ମୁକୁଳାଇବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଘଟଣା ସମ୍ପର୍କରେ ଖବର ଦିଆଯାଇଛି।

Leave A Reply

Your email address will not be published.