Latest Odisha News

BREAKING NEWS

ସହି ପାରିଲେନି ବାଲ୍ୟବନ୍ଧୁଙ୍କ ବିୟାେଗ, ଜୁଇକୁ ଡେଇଁ ଜୀବନ ହାରିଲେ

ଫିରୋଜାବାଦ: ବନ୍ଧୁ.. ସବୁ ସମ୍ପର୍କଠାରୁ ନିଆରା ସେ ସମ୍ପର୍କ । ସେ ସମ୍ପର୍କ ରକ୍ତର ନୁହେଁ । ହେଲେ ବନ୍ଧନ ପରିବାରଠାରୁ ବି ନିବିଡ । ଆକର୍ଷଣ ପ୍ରେମଠାରୁ ବି ଅଧିକ ।  ବନ୍ଧୁ ପାଇଁ ଜୀବନକୁ ବାଜି ଲଗାଇବାର ଅନେକ କାହାଣୀ ଶୁଣିଛେ । ଅନେକ ଫିଲ୍ମ ଦେଖିଛେ । ଅଳ୍ପ ବହୁତ ଉଦାହରଣ ବି ଆଖପାଖ ଚରିତ୍ରରୁ ଖୋଜି ପାଇଛେ । ହେଲେ ଆମେ ଏଠି ଯେଉଁ  ବନ୍ଧୁତ୍ୱର କଥା କହିବାକୁ ଯାଉଛି ତାହା ଖାଲି ବିରଳ ନୁହେଁ, ଅଦ୍ଭୁତ ବି  ।

ସେମାନେ ଥିଲେ ପିଲାଦିନର ସାଙ୍ଗ । ପଞ୍ଚମ ଶ୍ରେଣୀରୁ ଗଢି ଉଠିଥିଲା ବନ୍ଧୁତ୍ୱ । ଅନାବିଳ ଥିଲା ସେ ବନ୍ଧୁତ୍ୱ । ପିଲାଦିନରୁ ଆଜିଯାଏ । ବୋଧହୁଏ କଥା ଦେଇଥିଲେ ଏକାଠି ଜୀଇଁବା…ଏକାଠି ମରିବା । ପିଲାଦିନର ଏଇ ଦୁଇବନ୍ଧୁ  ଫିରୋଜାବାଦର ଅଶୋକ କୁମାର ଲୋଧି ଏବଂ ଆନନ୍ଦ ଗୌରବ ରାଜପୁତ ଏବେ ୪୨-୪୪ ବର୍ଷରେ ଉପନୀତ । ଅଶୋକ ନାଗଲା ଖଙ୍ଗାର ଗାଁର ବାସିନ୍ଦା ହୋଇଥିବାବେଳେ ନିକଟବର୍ତ୍ତୀ ଗଡିୟା ପଞ୍ଚବଟିର ଗାଁର ବାସିନ୍ଦା । ଦୁଇ ବାଲ୍ୟ ବନ୍ଧୁଙ୍କ ମଧ୍ୟରେ ଭଲପାଇବା, ବନ୍ଧୁତ୍ୱ ଏବେ ବି ସେମିତି ଅତୁଟ ରହିଛି  । ୪୪ ବର୍ଷ ବୟସରେ ସେମାନେ ଦେଖାଇ ଦେଇଛନ୍ତି ବନ୍ଧୁ ବିନା ଜୀବନ କେତେ ତୁଚ୍ଛ..ବଞ୍ଚିବା କେତେ ମୁସ୍କିଲ.. ।

ଅଶୋକ କିଛି ଦିନ ହେବ କ୍ୟାନ୍ସନର ରୋଗରେ ପୀଡିତ ହୋଇଥିଲେ । ଚିକିତ୍ସା ସତ୍ତ୍ୱେ ତାଙ୍କର ଗତ ଶନିବାର ମୃତ୍ୟୁ ଘଟିଲା । ସାଙ୍ଗର ଜୀବନ ବଞ୍ଚାଇବା ପାଇଁ ଆନନ୍ଦ ବହୁତ ଚେଷ୍ଟା କରିଥିଲେ । ଠାକୁରଙ୍କୁ ବହୁତ ଡାକିଥିଲେ । ହେଲେ ସବୁ ବ୍ୟର୍ଥ ହୋଇଥିଲା । ଅଶୋକଙ୍କର  ଶେଷକୃତ୍ୟ  ଚାଲିଥାଏ । ଅନ୍ୟମାନଙ୍କ ସହ ଏହି କର୍ମରେ ଆନନ୍ଦ ମଧ୍ୟ ଯୋଗ ଦେଇଥାନ୍ତି ।

ଶ୍ମଶାନରେ ଜଳୁଥିଲା ଅଶୋକଙ୍କ ଚିତା  । ଅନ୍ୟମାନେ ଜୁଇ ପାଖରୁ ଦୂରେଇ ଛିଡା ହୋଇଥାନ୍ତି । ହଠାତ ଆନନ୍ଦ ‘ସାଙ୍ଗ, ମୁଁ ଆସୁଛି’ ବୋଲି ଚିତ୍କାର କରି କାନ୍ଦି କାନ୍ଦି  ଆସିଲେ ଏବଂ ହଠାତ ଜଳୁଥିବା ଜୁଇକୁ ଡେଇ ପଡିଲା ।

ଅବଶ୍ୟ ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ହେଲେ ସେହି ସମୟ ଭିତରେ ବି ତାଙ୍କର ୯୦ ଭାଗ ଶରୀର ପୋଡି ଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଉଭୟ ପିଲାଦିନରୁ ଗୋଟିଏ ସ୍କୁଲରେ ପଢୁଥିଲେ । ଏପରିକି ଗୋଟିଏ ଦିନରେ ବିବାହ ବି କରିଥିଲେ । ଅଶୋକ ଭଲ ଢୋଲକ ବଜାଉଥିବାବେଳେ ଆନନ୍ଦ ଭଲ ମଞ୍ଜିରା ବଜାନ୍ତି । ଆଖପାଖ ଅଞ୍ଚଳରେ କିଛି ସଙ୍ଗୀତ କାର୍ଯ୍ୟକ୍ରମ ହେଲେ ଉଭୟେ ଏକାଠି ବାଦ୍ୟଯନ୍ତ୍ର ବଜାଇଥାନ୍ତି ।

Comments are closed.