ଦେବଗଡ଼: ନୃଶଂସ ପାଲଟିଲା ସ୍ୱାମୀ। ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନିର୍ଦ୍ଦୟୀ ସ୍ଵାମୀ। ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାଞ୍ଚଳ ଝରାଡିହି ଗ୍ରାମରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା। ମୃତକ ମହିଳା ହେଲେ ସେହି ଗ୍ରାମର ବିଭୂତି ଭୂଷଣ ପ୍ରଧାନଙ୍କ ସ୍ତ୍ରୀ ଚଞ୍ଚଳା ପ୍ରଧାନ।
ସୂଚନାନୁଯାୟୀ, କୁଣ୍ଢେଇଗୋଳା ଥାନାଞ୍ଚଳ ଝରାଡିହି ଗ୍ରାମର ବିଭୂତି ଭୂଷଣ ପ୍ରଧାନ ଓ ସ୍ତ୍ରୀ ଚଞ୍ଚଳା ପ୍ରଧାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବିଭୂତି ସ୍ତ୍ରୀ ଚଞ୍ଚଳାକୁ ଅତି ଅମାନୁଷିକ ଭାବେ ପିଟିବା ସହ ତଣ୍ଟି ଚିପି ଦେଇଥିଲା। ଖବର ପାଇ ଚଞ୍ଚଳାଙ୍କ ବାପା ନିକଟସ୍ଥ ଅରଖପାଳ ଗ୍ରାମରୁ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ।
ସେ ଚଞ୍ଚଳାଙ୍କୁ ଅଚେତ ଅବସ୍ଥାରେ ନିକଟସ୍ଥ ଛତାବର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଚଞ୍ଚଳାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ମୃତକଙ୍କ ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଘଟଣାରେ ଅଭିଯୁକ୍ତ ସ୍ବାମୀ ବିଭୂତି ଓ ତାଙ୍କ ପରିବାର ଫେରାର ହୋଇଯାଇଛନ୍ତି। କୁଣ୍ଢେଇଗୋଳା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି।
Comments are closed.