ଇରାନ୍: କୋଲଡ଼ ଡ଼୍ରିଙ୍କ୍ସ ଅଧିକ ପିଇଲେ ଶରୀର ପାଇଁ କ୍ଷତିକାରକ ବୋଲି ସମସ୍ତେ ଜାଣନ୍ତି । ଏହି ପାନୀୟଗୁଡ଼ିକ କେବଳ ପାଟିକୁ ସ୍ୱାଦ ଦେଇଥାଏ ଆଉ କୌଣସି ଲାଭ ଦେଇ ନ ଥାଏ । ବେଶୀ କୋଲଡ଼ ଡ଼୍ରିଙ୍କ୍ସ ପିଇଲେ ମେଦବହୁଳତା ସହ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ । କିନ୍ତୁ ଇରାନର ଜଣେ ବ୍ୟକ୍ତି ୧୭ ବର୍ଷ ହେଲାଣି କେବଳ କୋଲଡ଼ ଡ଼୍ରିଙ୍କ୍ସ ପିଇ ରହିବା ସହ ସୁସ୍ଥ ବି ଅଛନ୍ତି ।
ଇରାନର ବାସିନ୍ଦା ଗୋଲାମେରେଜା ଆର୍ଡେଶିରି । ସେ ଫାଇବର ଗ୍ଲାସ ତିଆରି କରନ୍ତି । ତାଙ୍କୁ ଖାଦ୍ୟ ଖାଇବାକୁ ପସନ୍ଦ ନୁହେଁ । କେବଳ କୋଲ୍ଡ଼ ଡ଼୍ରିଙ୍କ୍ସ ଭଲ ଲାଗୁଥିଲା । ଧୀରେ ଧୀରେ ସେ ଖାଦ୍ୟ ଖାଇବା ଛାଡ଼ିଦେଲେ । ଇତିମଧ୍ୟରେ ସେ ୧୭ ବର୍ଷ ଧରି କେବଳ କୋଲଡ଼ ଡ଼୍ରିଙ୍କ୍ସ ପିଇ ରହିଛନ୍ତି । ଶେଷ ଥର ପାଇଁ ୨୦୦୬ ରେ ଖାଦ୍ୟ ଖାଇଥିଲେ । ସେ ତାଙ୍କର ପୁରା ଦିନ କେବଳ ପେପସି କିମ୍ବା ସେଭେନ୍ ଅପ୍ ପିଇବାରେ ବିତାଇଥାନ୍ତି । ଖାଦ୍ୟ ନ ଖାଇ ବି ସେ ମଧ୍ୟ ପୁରା ସୁସ୍ଥ ଅଛନ୍ତି ।
ଗୋଲାମେରେଜା କୁହନ୍ତି, ତାଙ୍କୁ କୌଣସି ଖାଦ୍ୟ ଖାଇବାକୁ ଆଗ୍ରହ ଆସୁ ନ ଥିଲା । ଯାହା ଖାଉଥିଲେ ତାହା ଠିକ୍ ଭାବେ ହଜମ ବି ହେଉ ନ ଥିଲା । ତାଙ୍କର କେବଳ ଥଣ୍ଡା ପାନୀୟ ହଜମ ହେଉଥିଲା । ଯଦି ସେ ଅନ୍ୟ କିଛି ଖାଇବାକୁ ଚେଷ୍ଟା କରନ୍ତି, ତାହା ବାନ୍ତି ହୋଇଯାଏ । କିନ୍ତୁ ଯେତେବେଳେ ସେ ଏହି କୋଲ୍ଡ଼ ଡ଼୍ରିଙ୍କ୍ସ ପିଅନ୍ତି, ସେତେବେଳେ ତାଙ୍କର କୌଣସି ଅସୁବିଧା ହୁଏ ନାହିଁ । ଏହି କାରଣରୁ, ସେ ଗତ ସତର ବର୍ଷ ଧରି ଥଣ୍ଡା ପାନୀୟ ପିଇ ଆସୁଛନ୍ତି । ଯଦି କୌଣସି ଖାଦ୍ୟ ଖାଇଦିଅନ୍ତି, ପାଟିରେ କେଶ ରହିଯାଇଥିବା ଭଳି ଅନୁଭବ କରନ୍ତି ଓ ପରେ ବାନ୍ତି କରନ୍ତି । ଏନେଇ ଡ଼ାକ୍ତରଙ୍କ ପରାମର୍ଶ ମଧ୍ୟ ନେଇଛନ୍ତି ।
ଡ଼ାକ୍ତରମାନେ କହିଛନ୍ତି ଯେ ଏସବୁ ଗୋଲାମେରେଜାଙ୍କ ମନର ଭାବନା । ଯେତେବେଳେ ବି ସେ ଖାଦ୍ୟ ଖାଆନ୍ତି, ପାଟିରେ କେଶ ରହିଛି ବୋଲି ଚିନ୍ତା ତାଙ୍କୁ ଖାଦ୍ୟ ହଜମ କରିବାକୁ ଦିଏ ନାହିଁ ।
Comments are closed.