ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଜଙ୍ଗଲ ଭିତରେ ଗତ ପାଞ୍ଚ ବର୍ଷ ଧରି ଏକାକୀ ଜୀବନଯାପନ କରୁଥିବା ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପରେ ଉଦ୍ଧାର କରାଯାଇଛି।
ପରେ ତାଙ୍କୁ ମୋହନା ବ୍ଲକର ମେରାପାଲି ଗାଁରେ ଥିବା ଘରକୁ ଫେରାଇ ଅଣାଯାଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି।
ତେବେ ତାଙ୍କୁ ଦୁଃଖ ନାଏକ ଭାବରେ ଚିହ୍ନଟ କରାଯାଇଛି ଓ ସେ ପାଞ୍ଚ ବର୍ଷ ପୂର୍ବରୁ ଗାଁ ଛାଡି ମେରାପାଲି ନିକଟସ୍ଥ ଜଙ୍ଗଲରେ ଏକାକୀ ରହି ସେଠାରେ ଫଳମୂଳ ଖାଇ ନିଜର ଭରଣପୋଷଣ କରୁଥିବା ନେଇ ଜଣାପଡ଼ିଛି।
ଦୁଃଖ ନାଏକଙ୍କ ସ୍ତ୍ରୀ ମୃତ୍ୟୁବରଣ କରିବାପରେ ତାଙ୍କ ପୁଅ ବିବାହ କରି ତାଙ୍କୁ ଗାଁରେ ଏକା ଛାଡି ଚାଲିଯାଇଥିଲେ। ପରେ ବାତ୍ୟା ତିତଲି ଯୋଗୁଁ ତାଙ୍କ ଗାଁ ଓ ଘର ପ୍ରବଳ କ୍ଷତିଗ୍ରସ୍ତ ହୋଇଥିଲା। ତେବେ କୌଣସି ବିକଳ୍ପ ନ ଥିବାରୁ ସେ ତାଙ୍କର ସେହି କ୍ଷତିଗ୍ରସ୍ତ ବାସଗୃହରେ ରହୁଥିଲେ। କିନ୍ତୁ ୨୦୧୯ ପରେ, ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସେ କାମ କରିପାରୁନଥିଲେ ଓ ଖାଦ୍ୟ ପାଇଁ ଗାଁ ଲୋକଙ୍କ ଉପରେ ହିଁ ନିର୍ଭର ହୋଇଯାଇଥିଲେ। ଯାହାଫଳରେ ତାଙ୍କର ମାନସିକ ଅବସ୍ଥା ଧୀରେ ଧୀରେ ଖରାପ ହେବାରେ ଲାଗିଥିଲା ଓ ହଠାତ୍ ସେ ଗାଁରୁ ନିଖୋଜ ହୋଇ ଯାଇଥିଲେ। ନିକଟରେ କିଛି ଯୁବକ ଏକ ପାହାଡ଼ ଉପରେ ତାଙ୍କୁ ଦେଖି ଗାଁ ଲୋକଙ୍କୁ ଜଣାଇଥିଲେ ଓ ସେମାନେ ସମାଜସେବୀ ଅଂଶୁମାନ ପଣ୍ଡାଙ୍କୁ ଏ ବିଷୟରେ ଜଣାଇଥିଲେ।
ଯାହାପରେ ସମାଜସେବୀ ଓ ତାଙ୍କ ବନ୍ଧୁମାନେ ଦୁଃଖଙ୍କ ପାଖକୁ ଯାଇ ତାଙ୍କୁ ଗାଁକୁ ଫେରିବାକୁ ଅନୁରୋଧ କରିଥିଲେ କିନ୍ତୁ ସେ ମନା କରିଦେଇଥିଲେ। ତେବେ ଦୁଃଖ ଜଙ୍ଗଲ ରେ ଏକ ଛୋଟ କୁଡିଆ ତିଆରି କରି ସେଠାରେ ରହୁଥିବା ନେଇ ସମାଜସେବୀ କହିଛନ୍ତି। ଏଥିସହିତ ସେ ଏକ ତାରପାଲ ପିନ୍ଧୁଥିଲେ ଓ ଫଳ ମୂଳ ଖାଇ ବଞ୍ଚୁଥିବା ମଧ୍ୟ ସେ କହିଛନ୍ତି।
ସମାଜସେବୀ ଏବଂ ଗାଁଲୋକେ ମିଶି ମୋହନାର ବ୍ଲକ ଉନ୍ନୟନ ଅଧିକାରୀ (BDO) ରାଜୀବ ଦାସଙ୍କୁ ଏ ସମସ୍ତ ବିଷୟରେ ଜଣାଇଥିଲେ ଓ ଦୁଃଖଙ୍କ ପାଇଁ ବାସସ୍ଥାନ ଏବଂ ଅନ୍ୟାନ୍ୟ ମୌଳିକ ଆବଶ୍ୟକତାର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲ। ଯାହାଫଳରେ ମୋହନା ତହସିଲଦାର ଚକ୍ରଧର ପାଢୀ, ସିଭିଲ୍ ସପ୍ଲାଏ ଅଧିକାରୀ ସତ୍ୟ ନାରାୟଣ ଭୋଇ, ମେରାପାଲି ସରପଞ୍ଚ ବ୍ରଜସୁନ୍ଦର ଜାନି ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପି ବାଲକୃଷ୍ଣଙ୍କ ସହିତ ବିଡିଓ ବୁଧବାର ଦିନ ଜଙ୍ଗଲ ପରିଦର୍ଶନ କରିଥିଲେ ଏବଂ ଦୁଃଖଙ୍କୁ ତାଙ୍କ ଗାଁକୁ ଫେରାଇ ଆଣିଥିଲେ। ପରେ ତହସିଲଦାର ଦୁଃଖଙ୍କ କେଶ କାଟି ତାଙ୍କୁ ନୂତନ ପୋଷାକ ଏବଂ ଚପଲ ଦେଇଥିଲେ।
ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଅନୁଯାୟୀ ଘର ମଞ୍ଜୁର ନହେବା ପର୍ଯ୍ୟନ୍ତ ତାଙ୍କ କ୍ଷତିଗ୍ରସ୍ତ କୁଡ଼ିଆକୁ ଅସ୍ଥାୟୀ ଭାବରେ ଘୋଡ଼ାଇ ରଖିବା ପାଇଁ ପଲିଥିନ୍ ଚାଦର ମଧ୍ୟ ଯୋଗାଇ ଦିଆଯାଇଥିବା ଜଣାପଡିଛି।