ରାଜସ୍ଥାନ: ଦୁନିଆରେ ଏପରି ଅନେକ କଳାକାର ଅଛନ୍ତି, ଯେଉଁମାନେ ନିଜ ଚମତ୍କାର କଳା ମାଧ୍ୟମରେ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି । ଅନେକ କଳାକାର ସେମାନଙ୍କ ପାଟିରେ ବଂଶୀ ବଜାଉଥିବା ଦେଖିଥିବେ, କିନ୍ତୁ ଆପଣ କେବେ ଦେଖିଛନ୍ତି, କିଏ ନାକରେ ବଂଶୀ ବଜାଇବା ? କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି , ଯିଏ ପାଟି ବଦଳରେ ନାକରେ ବଂଶୀ ବଜାନ୍ତି ।
ରାଜସ୍ଥାନର ବିକାନେର ସହରରେ ରୁହନ୍ତି ବସନ୍ତ କୁମାର ଓଜା । ବୃତ୍ତିରେ ସେ ଜଣେ ସରକାରୀ ଶିକ୍ଷକ । ସେ ଦୀର୍ଘ ୩୨ ବର୍ଷ ହେଲା ବଂଶୀ ବଜାଇ ଆସୁଛନ୍ତି । ଆଉ ୧୨ ବର୍ଷ ହେଲା ନାକରେ ବଂଶୀ ବଜାଇ ଚର୍ଚ୍ଚାକୁ ଆସିଛନ୍ତି । ୧୨ ବର୍ଷ ପୂର୍ବେ ବିକାନେରରେ ଚାଲିଥିଲା ଆନ୍ତର୍ଜାତୀୟ ଓଟ ଫେଷ୍ଟିଭାଲ । ଏହି ଫେଷ୍ଟିଭାଲରେ ଭାଗ ନେବା ପାଇଁ ମୁଣ୍ଡରେ ପଗଡି ଏବଂ ଅନ୍ୟାନ୍ୟ ପୋଷାକ ପିନ୍ଧି ସାଙ୍ଗମାନଙ୍କ ସହିତ ଥଟ୍ଟା କରୁଥିଲେ । ହଠାତ୍ ସେ ପାଟି ବଦଳରେ ନାକରେ ବଂଶୀ ବଜାଇବାକୁ ଚେଷ୍ଟା କଲେ । ସେତେବେଳେ ସାଙ୍ଗମାନେ ଏହାକୁ ବହୁତ ପସନ୍ଦ କରିଥିଲେ । ଏହା ଅତ୍ୟନ୍ତ ଚମତ୍କାର ଏବଂ ଅଦ୍ଭୁତ ବୋଲି ସାଙ୍ଗମାନେ କହିଥିଲେ ।
ସାଙ୍ଗମାନେ ଏହି ପ୍ରତିଭାକୁ ମଞ୍ଚରେ ଦେଖାଇବାକୁ ଅନୁରୋଧ କରିଥିଲେ । ସେ ମଞ୍ଚରେ ଯେତେବେଳେ ନାକରେ ବଂଶୀ ବଜାଇଲେ, ସେଠାରେ ଉପସ୍ଥିତ ଥିବା ଦେଶ ତଥା ବିଦେଶର ଲୋକମାନେ ପସନ୍ଦ କରିବା ସହ ଖୁବ୍ ପ୍ରଶଂସା କରିଥିଲେ । ଏହା ପରେ ଉତ୍ସାହିତ ହୋଇ ନାକରେ ବଂଶୀ ବଜାଇବା ଜାରି ରଖିଲେ ବସନ୍ତ କୁମାର ।
ବସନ୍ତ କୁହନ୍ତି , ସେ ନାକରେ ବଂଶୀ ବଜାଇ ସେମି-ଶାସ୍ତ୍ରୀୟ, ରାଜସ୍ଥାନୀ, ଫିଲ୍ମ ସହିତ ଅନେକ ପ୍ରକାରର ଗୀତ ବଜାଇ ଲୋକଙ୍କୁ ଆକୃଷ୍ଟ କରିଥାନ୍ତି । ଏଥିସହିତ ସେ ସମସ୍ତ ପ୍ରକାର ବାଦ୍ୟ ବଜାଇ ପାରନ୍ତି । ବଂଶୀ ବଜାଇ ବିଶ୍ୱ ରେକର୍ଡ କରିବା ହେଉଛି ତାଙ୍କର ଲକ୍ଷ୍ୟ । ପ୍ରତ୍ୟେକ ଦିନ ଦୁଇ ଘଣ୍ଟା ନାକ ଏବଂ ପାଟିରେ ବଂଶୀ ବଜାଇବା ଅଭ୍ୟାସ କରିଥାନ୍ତି । ଏହା ସହିତ ସେ ପ୍ରାଣାୟାମ ମଧ୍ୟ କରନ୍ତି, ଯେଉଁଥିପାଇଁ ତାଙ୍କର କୌଣସି ପ୍ରକାରର ସମସ୍ୟା ହୁଏ ନାହିଁ । ଏବେ ସେ ପିଲାମାନଙ୍କୁ ମାଗଣାରେ ବଂଶୀ ବଜାଇବା ଶିକ୍ଷା ଦେଉଛନ୍ତି ।
Comments are closed.