ତେଲେଙ୍ଗାନା: ଆଜିକାଲି ଅପରାଧୀମାନେ ଆଇନ ହାତରୁ ଖସିଯିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି । ଏବେ ତେଲେଙ୍ଗାନାରେ ମଧ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ଯୁବକ ତାଙ୍କ ପତ୍ନୀଙ୍କ ନାଇଟ୍ ଡ୍ରେସ ଏବଂ ୱିଗ୍ ପିନ୍ଧି ମହିଳାଙ୍କ ଗେଟଅପରେ ଡକାୟତି କରିଛନ୍ତି । ତେବେ ସମଗ୍ର ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ପରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା ।
ଏହି ଘଟଣାଟି ତେଲେଙ୍ଗାନାର ରାଜନା-ସିର୍କିଲା ଜିଲ୍ଲାର ୟେଲୋରେଡଡିପେଟ୍ ମଣ୍ଡଳ ମୁଖ୍ୟାଳୟରେ ଘଟିଛି । ପୋଲିସର ସୂଚନାନୁସାରେ, ସିଙ୍ଗରାମ ଗାଁର ବାସିନ୍ଦା ଗାନାଗୋନି ବଣ୍ଟି ଲକ୍ଷ୍ମୀ ନାରାୟଣ ଫ୍ଲେକ୍ସି ପ୍ରିଣ୍ଟିଙ୍ଗ ନାମରେ ଏକ ଦୋକାନ କରିଥିଲେ । ଏହି ବିଲ୍ଡିଂର ମାଲିକ ରମିନ୍ଦଲା ସୁଧୀର ମଧ୍ୟ ତାଙ୍କ ପତ୍ନୀଙ୍କ ସହ ସେଠାରେ ରୁହନ୍ତି । ସୁଧୀର ନିଶା ସେବନ କରନ୍ତି । ତାଙ୍କର ଆବଶ୍ୟକତା ପୂରଣ କରିବାକୁ ତାଙ୍କ ପାଖରେ ଟଙ୍କା ନାହିଁ । ଏହି କାରଣରୁ ସେ ବଣ୍ଟିଙ୍କ ଦୋକାନରୁ ଚୋରି କରିବାକୁ ନିଷ୍ପତ୍ତି ନେଲେ । ଗତ ୯ ତାରିଖ ରାତିରେ ସମସ୍ତ କାର୍ଯ୍ୟ ଶେଷ କରିବା ପରେ ବଣ୍ଟି ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିଲେ । ପରେ ସୁଧୀର ତାଙ୍କ ପତ୍ନୀଙ୍କ ନାଇଟ୍ ଡ୍ରେସ ଏବଂ ୱିଗ୍ ପିନ୍ଧି ପଛ ଦ୍ୱାର ପଟେ ଦୋକାନରେ ପଶି କାଉଣ୍ଟରରୁ ୩୫୦୦ ଟଙ୍କା ନେଇ ସେଠାରୁ ଚାଲି ଯାଇଥିଲେ ।
ଗତ ୧୧ ତାରିଖରେ ବଣ୍ଟି ଦୋକାନ ଖୋଲି ଦେଖିଲା ବେଳକୁ ଟଙ୍କା ଗାଏବ ହୋଇଯାଇଛି । ସେ ଏନେଇ ଥାନାରେ ଅଭିଯୋଗ କଲେ । ପୋଲିସ ଦୋକାନର ସିସିଟିଭି ଫୁଟେଜ୍ ଯାଞ୍ଚକରିବାରୁ ଜଣେ ମହିଳା ଚୋରି କରୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ସୁଧୀର ମହିଳାଙ୍କ ବେଶରେ ଚୋରି କରିଥିବା ଜାଣିବାକୁ ପାଇ ତାଙ୍କୁ ଗିରଫ କରିଥିଲା । ଧରା ପଡ଼ିଯିବା ଭୟରେ ନିଜ ପତ୍ନୀଙ୍କ ୱିଗ୍ ଓ ଡ଼୍ରେସ ପିନ୍ଧି ଚୋରି କରିଥିବା ନେଇ ସୁଧୀର ପୋଲିସ ନିକଟରେ ସ୍ୱୀକାର କରିଥିଲେ ।
Comments are closed.