Latest Odisha News

୪୦ ଦିନରେ ୧୯ ହଜାର କିମି ଯାତ୍ରା, ୧୮ଟି ଦେଶକୁ ପାର୍ କରି ସୁଦୁର କାନାଡାରୁ ଭାରତରେ ପହଞ୍ଚିଲେ ଯୁବକ

ପଞ୍ଜାବ: ମନରେ ଯୋଶ୍ ଆଉ କିଛି କରି ଦେଖେଇବାର ଆଶା ପ୍ରତ୍ୟକ ମଣିଷକୁ ଏକ ଅସାଧାରଣ ଦୁନିଆକୁ ଟାଣିନେଇଥାଏ । ସେହି ଯୁଦ୍ଧରେ ସେ କେବେ ହାରିନଥାଏ । ଜିତିବାର ଇଚ୍ଛା ତାକୁ ପାର କରିଦିଏ ସାତ ସିନ୍ଧୁ ତେର ନଇ । ଆଜି ଆମେ ଆପଣଙ୍କୁ ଜଣେ ଏଭଳି ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ ୪୦ଦିନରେ ୧୯,୦୦୦ କିମି ଯାତ୍ରା କରି ଏବେ ଚର୍ଚ୍ଚାରେ ଅଛନ୍ତି । ନିଜ ମନରେ ଥିବା ଆତ୍ମବିଶ୍ଵାସରୁ ପ୍ରେରିତ ହୋଇ ସେ ସୁଦୁର କାନାଡାରୁ ଆସି ପହଞ୍ଚିଛନ୍ତି ନିଜ ଜନ୍ମ ସ୍ଥାନରେ । ତେବେ ଏଥିପାଇଁ ସେ ୨୫,୦୦,୦୦୦ଟଙ୍କା ଖର୍ଚ୍ଚ କରିଛନ୍ତି ମଧ୍ୟ ।

ତେବେ ସେ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପଞ୍ଜାବ ଅମୃତସରର ଜସମିତ ସିଂ । ଜସମିତ ତାଙ୍କ ଫୋର୍ଡ ବ୍ରୋନକୋ ଏସୟୁଭି ଗାଡିରେ କାନାଡାରୁ ଭାରତ ଆସି ପହଞ୍ଚିଛନ୍ତି । ସେଥିପାଇଁ ତାଙ୍କୁ ପ୍ରାୟତଃ ୪୦ ଦିନ ସମୟ ଲାଗିଥିଲା । ଏହି ୪୦ ଦିନରେ ସେ ୧୯,୦୦୦କିମି ଯାତ୍ରା କରିଛନ୍ତି । କେବଳ ସେତିକି ନୁହେଁ ସଡକପଥରେ ସେ ୧୮ଟି ଦେଶ ଦେଇ ନିଜ ଦେଶରେ ପହଞ୍ଚିଛନ୍ତି । ଏଥିପାଇଁ ୨୫ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିଛି । ସବୁଠାରୁ ବଡ କଥା ହେଉଛି କାନାଡାରୁ ଭାରତ ଫେରିବା ସମୟରେ ସେ ପାକିସ୍ତାନ ଦେଇ ମଧ୍ୟ ଆସିଛନ୍ତି । ଭାରତରେ ପହଞ୍ଚିବା ପରେ ଜନ୍ମସ୍ଥାନ ଅମ୍ରିତସର ନିକଟ ଅଟାରୀ ୱାଘା ସୀମାରେ ତାଙ୍କ ପରିବାର ପକ୍ଷରୁ ତାଙ୍କୁ ମହାଆଡମ୍ବରରେ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।

ସଡକପଥରେ ଜସମିତ ଆସୁଥିବା ସମୟରେ ତାଙ୍କୁ ତାଙ୍କ ଗାଡି ଭିତରେ ହିଁ ରାତ୍ରୀ ଯାପନ କରିବାକୁ ପଡିଥିଲା । ଜସମିତଙ୍କ ‘କାନାଡା ଟୁ ଭାରତ’ ଯାତ୍ରାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସଡକ ପଥରେ ବିଶ୍ୱ ଭ୍ରମଣ କରିବାକୁ ଜସମିତ ସିଂହ ସ୍ୱପ୍ନ ଦେଖୁଥିବା ବେଳେ ଆସନ୍ତା ୬ ମାସ ଭିତରେ ସେ ପୁରା ଭାରତ ଭ୍ରମଣ କରିବାକୁ ଇଚ୍ଛା ରଖିଛନ୍ତି ।

Comments are closed.