Latest Odisha News

ମାଣବସା ଗୁରୁବାରକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ…

ଭୁବନେଶ୍ୱର: ଓଡ଼ିଆ ଘରର ଅନ୍ୟତମ ପର୍ବପର୍ବାଣି ମଧ୍ୟରେ ରହିଛି ମାଣବସା ଓଷା । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ ।

ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ। ଏହି ପର୍ବ ହେଉଛି ଓଡିଶା ଏବଂ ଓଡ଼ିଆ ମାନଙ୍କ ର ନିଜସ୍ୱ ପର୍ବ । ଏଥିରେ ଝୋଟି, ଧାନସିସା , ଆଙ୍ଗୁଠି ଚିତା ଯେଭଳି ଓଡ଼ିଆ ଙ୍କ ର ନିଜସ୍ୱ, ଏଥିରେ ପିଠା ପଣା, ପୂଜା ସବୁ କିଛି ଓଡ଼ିଆ ଜାତିର । ଏ ପୂଜା ରେ ଜାତି,ଅଜାତି ନାହିଁ । ବ୍ରାହ୍ମଣ ଠାରୁ ଚଣ୍ଡାଳ ପର‌୍ୟ୍ୟନ୍ତ ସବୁ ଓଡ଼ିଆ ଘରେ ଏ ପର୍ବ ପାଳନ କରାଯାଏ ।

ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାଣବସା ମଧ୍ୟ ଅନ୍ୟ ପ୍ରଦେଶରେ ପ୍ରଚଳିତ ଅଛି ।କିନ୍ତୁ ଆମ ମାର୍ଗଶିର ମାସ ଗୁରୁବାର ମାଣ ବସା ଭଳି ୪ ବା ୫ ପାଳି ମାଣବସା ଓଡ଼ିଆଙ୍କ ଛଡ଼ା ଅନ୍ୟ କେଉଁଠି ପାଳିତ ହେଉଥିବା ଦୃଷ୍ଟିଗୋଚର ହୁଏନାହିଁ।

ପୌରାଣିକ କାହାଣୀ:

ପୌରାଣିକ କଥାବସ୍ତୁ ଅନୁଯାୟୀ ଏକଦା ମାଣବସା ଗୁରୁବାର ଦିନ ମା’ ଲକ୍ଷ୍ମୀ ସ୍ୱାମୀଙ୍କ ଠାରୁ  ଅନୁମତି ନେଇ ନଗର ପରିଭ୍ରମଣରେ ବାହାରି ଗଲେ।

ବ୍ରାହ୍ମଣୀ ରୂପରେ ସେ ଘର ଘର ବୁଲିଲେ । ଅନେକ ସ୍ଥାନ ବୁଲିବା ପରେ ସେ ଶ୍ରୀୟା ନାମକ ଜଣେ ଚଣ୍ଡାଳୁଣୀ ଘରେ ପହଞ୍ଚିଥିଲେ। ଘରଦ୍ୱାର ପରିଷ୍କାର କରି ଲିପାପୋଛା କରି ଶ୍ରୀୟା ତାଙ୍କ ପୂଜା ପାଇଁ ସଜ, ଭୋଗ-ନୈବେଦ୍ୟ ଆଦି ସଜାଡ଼ି ରଖୁଥିଲା । ଲକ୍ଷ୍ମୀ ତାହାଙ୍କ ଭକ୍ତିରେ ମନ୍ତ୍ରମୁଗ୍ଧ ହୋଇ ସେଠାରେ ହିଁ ରହିଗଲେ ।

ସେକାଳରେ ସମାଜରେ ଛୁଆଁ ଅଛୁଆଁ ଭେଦଭାବ ରହିଥିଲା।  ଏହା ଦେଖିପ୍ରଭୁ ବଳରାମ କୋପ ପ୍ରକାଶ କଲେ ।ଚଣ୍ଡାଳୁଣୀର ଘରେ ପାଦ ଦେଇଥିବାରୁ ବଡ଼ଦେଉଳ ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା । ପରେଅପମାନିତ ହୋଇ ମାଆ ମଧ୍ୟ ମନ୍ଦିରରୁ ବାହାରି ଗଲେ ।

ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ ବିଶ୍ୱକର୍ମା ଆଉ ଏକ ପ୍ରାସାଦ ଗଢ଼ିଦେଲେ ।  ତାଳବେତାଳଙ୍କୁ ଡକାଇ ମାଆ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ଶ୍ରୀମନ୍ଦିରକୁ ଶ୍ରୀହୀନ କରିଦେଲେ ।

ଖାଇବାକୁ ନପାଇ ଦୁଇଭାଇ ଭୋକରେ ଆଉଟୁ ପାଉଟୁ ହୋଇ ଶେଷରେ ସେହି ପ୍ରାସାଦ ସମ୍ମୁଖରେ ପହଞ୍ଚିଲେ। ପ୍ରାସାଦ ମାଲିକାଣୀଙ୍କ ଅତିଥେୟତାରେ ବିମୁଗ୍ଧ ହୋଇ ସେମାନେ ପ୍ରାସାଦ ମୁରବିଙ୍କୁ ଭେଟିବାକୁ ଚାହିଁଲେ। ଆଉ ପରିଚୟ ପାଇବା ପରେ ନିଜକୁ ଲଜ୍ଜିତ ମନେ କଲେ ଦୁଇ ଭାଇ।

ଶୁଚିଶୁଦ୍ଧ ଲୋକର ଦ୍ୱାରକୁ ଯିବାକୁ ବାରଣ ନାହିଁ କି ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ ।

ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ । ଚାଷୀ ତା’ର ଖଳାକୁ ଧାନହଳା ଆଣିଥାଏ । ଧାନ ଅମଳ କରି ଘରକୁ ଆଣିବା ଆଗରୁ ତା’ର ଘରଣୀ ଏଥିରୁ ଧଳାଧାନର ଶିଶା ବାଛି ବାହାର କରିଥାଏ। ଏହି ଧାନର ଶିଶାରେ ବେଣୀ ବାନ୍ଧି ମେଣ୍ଟି ବା ମେଣ୍ଟା ପ୍ରସ୍ତୁତ କରି ଏହାକୁ ଶୁଖାଇ ଅତି ଯତ୍ନ ଓ ଆଦରରେ ରଖିଥାଏ ।

ଗୁରୁବାର ଓଷାର ପୂର୍ବଦିନରୁ ଘର ଦ୍ୱାର ଅଗଣା ଓ ଘର ଚାରିପାଖ ଗୋବର ମାଟିରେ ଲିପା ପୋଛା କରି ପରିଷ୍କାର କରିଥାଏ । ଅମଳ ପରେ ଖଳାରେ ସେହି ସ୍ତୁପୀକୃତ ଧାନକୁ ଅନ୍ନ ଓ ଧନର ଦେବୀ ଲକ୍ଷ୍ମୀଙ୍କର ଆଶିଷ ବୋଲି ମାନି ଏହି ଓଷା ପାଳନ କରାଯାଇଥାଏ ।

ନାମକରଣ:

ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା “ଧାନବେଣୀ”ରେ ସଜାଯାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।

ଚାଉଳ ଆଦି ଶସ୍ୟ ମାପିବା ପାଇଁ ମାଣର ବ୍ୟବହାର ହୋଇଥାଏ । ଏହି ଓଷାରେ ଧାନମାଣ ବସାଇ ତାହାକୁ ପୂଜା କରାଯାଉଥିବାରୁ ଓଷାଟି ମାଣବସା ନାମରେ ଜଣାଯାଏ ।

ଆହୁରି ମଧ୍ୟ ଏହି ମାଣବସା ଭୋଗ ଆମ ଓଡ଼ିଆଙ୍କର ନିଜସ୍ୱ ରାନ୍ଧଣାର ନିଦର୍ଶନ । ଓଡିଆଙ୍କ ଭଜା,ରାଇ,ଅମ୍ବିଳ,ସାକର, କଖାରୁ, ମୂଳା ଶାଗ, ବଢ଼ି ପକା ମହୁର,କାକରା ପିଠା,ଆରିସା ପିଠା ଇତ୍ୟାଦି କେବଳ ଓଡିଆ ଙ୍କ ଘର ଛଡା ଆଉ କେଉଁଠି ହୁଏ ନାହିଁ।

Leave A Reply

Your email address will not be published.